ଓଡ଼ିଶା

ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପି ଉପରେ ନବୀନଙ୍କ କଡ଼ା ପ୍ରହାର

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ଅବସରରେ ରାଜ୍ୟର ବିଜେପି ସରକାର ଉପରେ କଡ଼ା ପ୍ରହାର କରିଛନ୍ତି ବିରୋଧୀ ଦଳ ନେତା ତଥା ଦଳର ସଭାପତି ନବୀନ ପଟ୍ଟନାୟକ । ବୁଧବାର, ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ଉଦ୍‌ବୋଧନ ଦେଇ ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନର ରାଜ୍ୟ ସରକାର ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କେବଳ ମିଥ୍ୟା ପ୍ରଚାର କରିବା ଏବଂ ଲୋକଙ୍କ ଟଙ୍କାର ଅପବ୍ୟବହାର କରିବା ଛଡ଼ା ଏହି ‘ଡବଲ୍ ଇଞ୍ଜିନ୍’ ସରକାରଙ୍କର ଅନ୍ୟ କୌଣସି ଆଖିଦୃଶିଆ ଉପଲବ୍ଧି ନାହିଁ ବୋଲି ସେ ସିଧାସଳଖ ଆକ୍ରମଣ କରିଛନ୍ତି ।

ନିଜର ଅଭିଭାଷଣରେ ବିଶେଷ କରି ଖଣି ନୀତିକୁ ନେଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଆଣିଥିବା ସଂଶୋଧିତ ଖଣି ଆଇନ ଫଳରେ ଓଡ଼ିଶା ଭଳି ଖଣିଜ ସମୃଦ୍ଧ ରାଜ୍ୟର ଅଧିକାର ଓ ଆର୍ଥିକ ସ୍ୱାର୍ଥ ବହୁଳ ଭାବରେ କ୍ଷୁର୍ଣ୍ଣ ହେଉଛି । ରାଜ୍ୟ ସରକାର ଓ ଓଡ଼ିଶାରୁ ନିର୍ବାଚିତ ୨୦ ଜଣ ଲୋକସଭା ସାଂସଦ ନିଜ ମାଟିର ସ୍ବାର୍ଥ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ ନକରି ସମ୍ପୂର୍ଣ୍ଣ ନୀରବ ରହୁଥିବା ବେଳେ, କେବଳ ଖଣି ମାଲିକମାନଙ୍କ ସପକ୍ଷରେ କଥା କହୁଛନ୍ତି ।

ବର୍ତ୍ତମାନର ସରକାରଙ୍କ ଆର୍ଥିକ ପରିଚାଳନା ଉପରେ ପ୍ରଶ୍ନ ଉଠାଇ ବିଜେଡି ସୁପ୍ରିମୋ କହିଛନ୍ତି ଯେ, ରାଜ୍ୟର ରାଜସ୍ୱ ଆଦାୟ ହ୍ରାସ ପାଉଥିବା ବେଳେ ବଜେଟ୍ ଅର୍ଥର ସଠିକ୍ ବିନିଯୋଗ ହୋଇପାରୁନାହିଁ । ଏହାର ଓଲଟା ପ୍ରଭାବ ସ୍ୱରୂପ ଓଡ଼ିଶା ଉପରେ ଋଣ ଭାର ବଢ଼ିବାରେ ଲାଗିଛି । ଲୋକେ ଏବେ ଅନୁଭବ କଲେଣି ଯେ, ବର୍ତ୍ତମାନର ଶାସନ ବ୍ୟବସ୍ଥା କେବଳ “ବିଶୃଙ୍ଖଳିତ ପରିଚାଳନା” କ୍ଷେତ୍ରରେ ବିଶେଷଜ୍ଞ ହୋଇଯାଇଛି ।

ଏଥିସହ ଦରଦାମ୍ ବୃଦ୍ଧି ଓ ସାଧାରଣ ଖାଉଟିଙ୍କ ସମସ୍ୟା ପ୍ରସଙ୍ଗକୁ ଉଠାଇ ନବୀନ କହିଛନ୍ତି, ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ହେତୁ ସାଧାରଣ ଲୋକଙ୍କ ଘର ଚଳାଇବା କଷ୍ଟକର ହୋଇପଡ଼ିଲାଣି । ୟୁପିଆଇ ପେମେଣ୍ଟ ଉପରେ ଲାଗୁ ହେବାକୁ ଥିବା ଅତିରିକ୍ତ ଦେୟ ଯୋଗୁଁ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ ଏବଂ ଶେଷରେ ଏହି ଅତିରିକ୍ତ ଭାର ଗ୍ରାହକମାନଙ୍କୁ ହିଁ ଶୋଷଣ କରିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି । ଏହାଛଡ଼ା, ଡବଲ୍ ଇଞ୍ଜିନ୍ ସରକାରର ଦାବି ସତ୍ତ୍ୱେ କେନ୍ଦ୍ରୀୟ ସଂସ୍ଥା ଏଫ୍‌ସିଆଇ ଓଡ଼ିଶାରୁ ଆବଶ୍ୟକୀୟ ଚାଉଳ ଉଠାଉନଥିବାରୁ ଏହାକୁ ନେଇ ସେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଅକ୍ଟୋବର ୨ ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ସାରା ରାଜ୍ୟର ଗାଁଠୁ ସହର ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଜେଡିର ଏହି ବହୁଚର୍ଚ୍ଚିତ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନବୀନ ପଟ୍ଟନାୟକ ବିଜେଡିର ସମସ୍ତ ବିଧାୟକ, ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL