ଜାତୀୟ

ତୈଳବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ, ୨୩ ଭାରତୀୟ ନାବିକ ସୁରକ୍ଷିତ ଉଦ୍ଧାର

ୟୁକ୍ରେନ୍: କୃଷ୍ଣ ସାଗରରେ ତୈଳବାହୀ ଜାହାଜ ଉପରେ ୟୁକ୍ରେନ ଡ୍ରୋନ୍ ଆକ୍ରମଣ  କରିଛି । ସୁରକ୍ଷିତ ଉଦ୍ଧାର ହେଲେ ସମସ୍ତ ୨୩ ଭାରତୀୟ ନାବିକ । ​ଏହି ଆକ୍ରମଣରେ ଲାଇବେରିଆ ପତାକାବାହୀ ‘ଆଫ୍ରାମାକ୍ସ ରିଓ’ ଟ୍ୟାଙ୍କରରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ​ରୁଷିଆର ସୋଚି ଉପକୂଳରେ ସମୁଦ୍ର ମଧ୍ୟରେ ଜଳିଲା ଅଶୋଧିତ ତୈଳ, ଆକାଶ ଛୁଇଁଲା କଳା ଧୂଆଁ  । ରୁଷର କୃଷ୍ଣ ସାଗର ଉପକୂଳରେ ଏକ ବଡ଼ ଧରଣର ସାମୁଦ୍ରିକ ଅଘଟଣ ଘଟିଛି ।

କାଲି ଦିନ ୟୁକ୍ରେନର ନୌସେନା ଡ୍ରୋନ୍ ଆକ୍ରମଣ ଯୋଗୁଁ ଏକ ଲାଇବେରିଆ ପତାକାବାହୀ ତୈଳବାହୀ ଜାହାଜରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଜାହାଜରେ ସମୁଦାୟ ୨୩ ଜଣ ଭାରତୀୟ ନାବିକ କାର୍ଯ୍ୟରତ ଥିଲେ । ତେବେ ରୁଷର ଜରୁରୀକାଳୀନ ଉଦ୍ଧାରକାରୀ ଦଳର ତ୍ୱରିତ ପଦକ୍ଷେପ ଫଳରେ ସମସ୍ତ ୨୩ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ କାହାରି କୌଣସି ଆଘାତ ଲାଗିନଥିବା ସ୍ପଷ୍ଟ ହୋଇଛି । ରୁଷ ପରିବହନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ‘ଆଫ୍ରାମାକ୍ସ ରିଓ’ନାମକ ଏହି ଅଏଲ୍ ଟ୍ୟାଙ୍କର ଉପରେ କୃଷ୍ଣ ସାଗରସ୍ଥିତ ରୁଷିଆର ପ୍ରସିଦ୍ଧ ପର୍ଯ୍ୟଟନ ସହର ସୋଚି ନିକଟରେ ନୌସେନା ଡ୍ରୋନ୍ ଦ୍ୱାରା ଟାର୍ଗେଟ କରାଯାଇଥିଲା । ଆକ୍ରମଣ ପରେ ଜାହାଜରେ ଥିବା ତୈଳରେ ନିଆଁ ଲାଗିଥିଲା । ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ମାଇଲ୍ ମାଇଲ୍ ଦୂର ପର୍ଯ୍ୟନ୍ତ ନିଆଁର ଶିଖା ଏବଂ ଆକାଶକୁ ଛୁଇଁଥିବା କଳା ଧୂଆଁର ବିରାଟ କୁଣ୍ଡଳୀ ଦେଖିବାକୁ ମିଳିଥିଲା । ନିଆଁର ପ୍ରଚଣ୍ଡତା ହେତୁ ଅଗ୍ନିଶମ ବାହିନୀକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଆଁ ଲିଭାଇବା ପାଇଁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା ।  ଏହି ଅଘଟଣ ପରେ ନାଗରିକ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଉପକୂଳବର୍ତ୍ତୀ ବେଳାଭୂମି ଗୁଡ଼ିକୁ ସାମୟିକ ଭାବେ ବନ୍ଦ କରାଯାଇଛି ।

ଅନ୍ୟପଟେ ପ୍ରଶାସନ ପକ୍ଷରୁ ସମୁଦ୍ର ଜଳ ଓ ପରିବେଶର ବାୟୁ ମାନ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ବାୟୁ ପ୍ରଦୂଷଣ ବିପଦଜନକ ସ୍ତରରୁ କମ୍ ରହିଥିବାରୁ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି କୌଣସି ଆଶଙ୍କା ନାହିଁ ବୋଲି ସ୍ଥାନୀୟ ଅଧିକାରୀ ପ୍ରକାଶ କରିଛନ୍ତି । ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ କୃଷ୍ଣ ସାଗରରେ ବାଣିଜ୍ୟିକ ତଥା ତୈଳ ପରିବହନ ଜାହାଜ ଗୁଡ଼ିକ ଉପରେ ଆକ୍ରମଣର ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି । ୟୁକ୍ରେନ ଏହି ଜାହାଜକୁ ପୂର୍ବରୁ ରୁଷିଆର ‘ଶ୍ୟାଡୋ ଫ୍ଲିଟ୍’ ତାଲିକାରେ ରଖି ପ୍ରତିବନ୍ଧକ ଲଗାଇଥିଲା ବୋଲି ସୂଚନା ମିଳିଛି । ଏଭଳି ସମ୍ବେଦନଶୀଳ ଯୁଦ୍ଧକ୍ଷେତ୍ରରେ ବିଦେଶୀ ଜାହାଜରେ କାର୍ଯ୍ୟରତ ସମସ୍ତ ୨୩ ଜଣ ଭାରତୀୟ କ୍ରୁ ସଦସ୍ୟ ବିନା କ୍ଷତିରେ ସୁରକ୍ଷିତ ଉଦ୍ଧାର ହେବା ଭାରତ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL