ନୂଆଦିଲ୍ଲୀ: କ୍ଲାଇମେଟ୍ ଏକ୍ଟିବିସ୍ଟ ସୋନମ୍ ୱାଙ୍ଗଚୁକ୍ କେନ୍ଦ୍ର ସରକାରଙ୍କ ଉପରେ ମେ’ ୨୦୨୬ରେ ଲଦାଖର ବିଭିନ୍ନ ଗ୍ରୁପ୍ ସହ ହୋଇଥିବା ବୁଝାମଣାରୁ ଓହରିଯିବା ଅଭିଯୋଗ ଆଣିଛନ୍ତି । ଯେଉଁଥିରେ କେନ୍ଦ୍ରଶାସିତ ଅଞ୍ଚଳ (UT) ସ୍ତରରେ ଏକ ନିର୍ବାଚିତ ସଂସ୍ଥା ଗଠନ କରିବା କଥା ମଧ୍ୟ ସାମିଲ ଥିଲା । ଗୁରୁବାର ଦିଲ୍ଲୀରେ ଆଲୋଚନା ନହେବାକୁ ସେ “ବିଶ୍ୱାସର ଆଉ ଏକ ଧୋକା’’ବୋଲି କହିଛନ୍ତି ।
ୱାଙ୍ଗଚୁକ୍ କହିଛନ୍ତି, “ସରକାର କହିଥିଲେ ଯେ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଆବଶ୍ୟକ ସମ୍ବଳର ଅଭାବ ରହିଛି । ତେଣୁ ଆମେ ବିଧାନସଭା ଥିବା ଏକ କେନ୍ଦ୍ରଶାସିତ ଅଞ୍ଚଳ (UT) ଏବଂ ସମ୍ବିଧାନର ଧାରା ୩୭୧ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଦାବି କରିଥିଲୁ । ମେ’ ୨୨ ତାରିଖର ବୈଠକରେ ସରକାର ଏଥିରେ ରାଜି ହୋଇଥିଲେ । କିନ୍ତୁ ଏବେ ସରକାର କହୁଛନ୍ତି ଯେ ନା ରାଜ୍ୟ ମାନ୍ୟତା ମିଳିବ, ନା ବିଧାନସଭା ରହିବ । ଏହା ବଦଳରେ ଏକ ଛୋଟ ପରିଷଦ ଗଠନ କରିବା କଥା କୁହାଯାଉଛି, ଯାହା ଲଦାଖ ପାଇଁ ଲଜ୍ଜାଜନକ ଓ ଅପମାନଜନକ । ଏବେ ଆମେ ଦାବି କରୁଛୁ ଯେ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯାଉ ।’’ଏହାଦ୍ୱାରା ଚୀନ୍ ଏବଂ ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ଏକ ବାର୍ତ୍ତା ଯିବ ବୋଲି ସେ କହିଛନ୍ତି । ଏଥିସହ ଲେହରେ ଅକ୍ଟୋବର ୧୫ ତାରିଖରେ ହୋଇଥିବା ବୈଠକ ପରେ LAB ଏବଂ KDAର ପ୍ରତିନିଧିମାନେ ଅକ୍ଟୋବର ୨୨ ତାରିଖରେ ହେବାକୁ ଥିବା ଆଲୋଚନା ପାଇଁ ପ୍ରସ୍ତୁତି କରିଥିଲେ । ଏହି ବୈଠକରେ କେନ୍ଦ୍ରଶାସିତ ଅଞ୍ଚଳ ସ୍ତରରେ ଗଠନ ହେବାକୁ ଥିବା ସଂସ୍ଥା ଏବଂ ଜିଲ୍ଲା ପରିଷଦଗୁଡ଼ିକର କ୍ଷମତା ସମ୍ପର୍କିତ ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ସେମାନେ ଆଶା କରିଥିଲେ । ଲଦାଖ ପ୍ରଶାସନ ଏକପାଖିଆ ଭାବେ ନିଷ୍ପତ୍ତି ନେଉଛି ଏବଂ ଜିଲ୍ଲା ପରିଷଦଗୁଡ଼ିକର କ୍ଷମତା କମାଇ ଦେଉଛି ବୋଲି ୱାଙ୍ଗଚୁକ୍ ଅଭିଯୋଗ କରିଛନ୍ତି ।
ଏହାରି ମଧ୍ୟରେ ଲଦାଖର ସିଭିଲ୍ ସୋସାଇଟି ଫୋରମର ସମ୍ମିଳନୀରେ LAB ଏବଂ KDA ଉପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA)ର ପ୍ରସ୍ତାବକୁ ଭଲ ଭାବେ ଯାଞ୍ଚ ନକରି ଖାରଜ କରିଦେବା ଅଭିଯୋଗ ହୋଇଛି । ପୂର୍ବତନ ସାଂସଦ ଥୁପସ୍ତାନ ଛେୱାଙ୍ଗଙ୍କ ନେତୃତ୍ୱରେ ଏହି ଫୋରମ୍ ଆଲୋଚନା ବାତିଲ ହେବା ପାଇଁ LAB ଏବଂ KDAର ନେତାମାନଙ୍କ ଭୁଲ ତଥ୍ୟ ପ୍ରଚାର ଓ ସମସ୍ତଙ୍କ ସହମତିକୁ ଅଣଦେଖା କରିବାକୁ ଦାୟୀ କରିଛି । ଏଥିସହ ଜିଲ୍ଲାଗୁଡ଼ିକରୁ ନିର୍ବାଚିତ ପ୍ରତିନିଧିମାନଙ୍କୁ ସାମିଲ କରି LABକୁ ପୁନର୍ଗଠନ କରିବାକୁ ଫୋରମ୍ ଦାବି କରିଛି ।
ଅନ୍ୟପକ୍ଷରେ ଲଦାଖ ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଯେ ଆଲୋଚନା ବାତିଲ ହୋଇନାହିଁ । ଦିଲ୍ଲୀରେ ବୈଠକ ପାଇଁ ତାରିଖ ଖୁବ୍ଶୀଘ୍ର ଜଣାଇ ଦିଆଯିବ ବୋଲି LABର ଅଧ୍ୟକ୍ଷଙ୍କୁ ସୂଚନା ଦିଆଯାଇଛି ।




