ଓଡ଼ିଶା

ଉତ୍କଳ ବିଶ୍ୱବିଦ୍ୟାଳୟ ମହିଳା ହଷ୍ଟେଲରେ ଜଣ୍ଡିସ ଆତଙ୍କ, ମିଡ୍-ସେମେଷ୍ଟର ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର ପରିସରରେ ଥିବା ମହିଳା ହଷ୍ଟେଲରେ ବ୍ୟାପିଛି ଝାଡ଼ାବାନ୍ତି । ହଷ୍ଟେଲର ଅପମିଶ୍ରିତ ପାଣି ପିଇ ୧୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହେବା ସହିତ ଜଣେ ଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କିଛି ଛାତ୍ରୀଙ୍କ ଠାରେ ଜଣ୍ଡିସ ଲକ୍ଷଣ ମଧ୍ୟ ଦେଖାଦେଇଥିବା ଅଭିଯୋଗ ହୋଇଛି । ଛୁଟି ପରେ ଗାର୍ଲ୍ସ ହଷ୍ଟେଲ ନଂ ୬ ଓ ୭ ର ଛାତ୍ରୀମାନେ ଫେରିବା ପରେ ଏହି ଅସୁସ୍ଥତା ଦେଖାଦେଇଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ମେଟ୍ରୋପଲିଟନ ସର୍ଭେଲାନ୍ସ ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚି ପାଣି ନମୁନା ସଂଗ୍ରହ କରିଛି ।

ଏ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟୀକରଣ ରଖାଯାଇଛି । ବିଶ୍ୱବିଦ୍ୟାଳୟ କହିଛି ଯେ, ବିଷୟକୁ ଗମ୍ଭୀରତାର ସହ ନିଆଯାଇ ତୁରନ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ହସ୍ପିଟାଲରେ ଭର୍ତ୍ତି ଛାତ୍ରୀଙ୍କ ସହ ପ୍ରଶାସନ ନିୟମିତ ଯୋଗାଯୋଗରେ ଅଛି । ହଷ୍ଟେଲ ପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍, ଫାର୍ମାସି ଓ ଜନସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି ଏବଂ ୧୦୦୦ ଲିଟର ପିଇବା ପାଣି ଯୋଗାଇ ଦିଆଯାଇଛି । ଛାତ୍ରୀଙ୍କୁ ଫୁଟା ପାଣି ପିଇବାକୁ ପରାମର୍ଶ ଦିଆଯାଇଛି ।

BMC ଅର୍ବାନ ସର୍ଭେଲାନ୍ସ ୟୁନିଟ୍ ର ଏପିଡେମିଓଲୋଜିଷ୍ଟ, ମାଇକ୍ରୋବାୟୋଲୋଜିଷ୍ଟ, ଫୁଡ୍ ସେଫଟି ଏକ୍ସପର୍ଟ ଟିମ୍ ହଷ୍ଟେଲ ପରିଦର୍ଶନ କରି ପାଣି ଓ ରକ୍ତ ନମୁନା ସଂଗ୍ରହ କରିଛନ୍ତି ଓ ହାତ ସଫା, ନିରାପଦ ପାଣି ଓ ଖାଦ୍ୟ ସ୍ୱଚ୍ଛତା ନେଇ ସଚେତନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହ ମିଶି ପରିସ୍ଥିତି ଉପରେ ନଜର ରଖାଯାଇଥିବା ବିଶ୍ୱବିଦ୍ୟାଳୟ କହିଛି ।

ବିଶ୍ୱବିଦ୍ୟାଳୟରେ ମହିଳା ହଷ୍ଟେଲରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ମିଡ୍ ସେମିଷ୍ଟର ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଏନେଇ ପିଜି କାଉନସିଲ ଚେୟାରମେନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନୋଟିସ୍ ଅନୁଯାୟୀ ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL