କୋରାପୁଟ : ପୁଣି ତେଜିଲା ଓଡ଼ିଶା ଏବଂ ଆନ୍ଧ୍ର ବିବାଦ। କୋଟିଆକୁ ନେଇ ପୁଣି ମୁହାଁମୁହିଁ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନ। ସୀମାନ୍ତ ନେରିଡ଼ିୱାଲସାରେ ଦୁଇ ରାଜ୍ୟର ପୁଲିସ ମଧ୍ୟରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି। ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାରିକେଡ୍ କରାଯାଇଥିବା ବେଳେ ଆନ୍ଧ୍ର ଏହାକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ ଘଟଣାସ୍ଥଳରେ ଉଭୟ ରାଜ୍ୟର ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଏବେ ବି ଅଞ୍ଚଳରେ ଉତ୍ତେଜନା ଜାରି ରହିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି କୋରାପୁଟ ଉପଜିଲ୍ଲାପାଳଙ୍କ ସମେତ ପ୍ରଶାସନିକ ଅଧିକାରୀ। ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି। ତେବେ ପ୍ରଶ୍ନ ଉଠୁଛି, କୋଟିଆରେ ବାରମ୍ବାର କାହିଁକି ଏଭଳି ସ୍ଥିତି ଉପୁଜୁଛି? ସୀମା ବିବାଦର ସ୍ଥାୟୀ ସମାଧାନ କେବେ ହେବ? ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ।









