ଓଡ଼ିଶା

ରାଜ୍ୟ କ୍ୟାବିନେଟରେ ୧୦ଟି ବିଭାଗର ୧୩ ପ୍ରସ୍ତାବକୁ ଅନୁମୋଦନ, କଲେଜ ଓ ବିଶ୍ୱବିଦ୍ୟାଳୟରେ ମାଗଣା Wi-Fi

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ୪୯ ତମ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ଏହି ବୈଠକରେ ରାଜ୍ୟର ବର୍ଷା ନିର୍ଭରଶୀଳ ଅଞ୍ଚଳ ବିଶେଷ କରି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ପାନୀୟ ଜଳ ସମସ୍ୟା ଦୂର କରିବା ଦିଗରେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାସହ ଉଚ୍ଚଶିକ୍ଷା, ଶକ୍ତି, ପ୍ରାଣୀଧନ ବିକାଶ ଏବଂ ଯୁବଗୋଷ୍ଠୀଙ୍କ ନିଯୁକ୍ତି ଓ ପ୍ରଶାସନିକ ସଂସ୍କାରକୁ ନେଇ ରାଜ୍ୟ କ୍ୟାବିନେଟ୍ ବିଭିନ୍ନ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଡିଜିଟାଲ୍ ବିପ୍ଳବ ଆଣିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଫ୍ଲାଗସିପ୍ ଯୋଜନା “ଓଡ଼ିଶା ଶିକ୍ଷାନେଟ୍” କୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅଧୀନରେ ଆଗାମୀ ତିନି ବର୍ଷ (ଆର୍ଥିକ ବର୍ଷ ୨୦୨୬-୨୭ ରୁ ୨୦୨୮-୨୯) ମଧ୍ୟରେ ୩୯୩.୬୨ କୋଟି ଟଙ୍କା ବ୍ୟୟ କରାଯିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୩୦ଟି କଲେଜରେ ସଫଳତାର ସହ କାର୍ଯ୍ୟକାରୀ ହେବା ପରେ ଏବେ ଏହି ଯୋଜନାକୁ ରାଜ୍ୟର ୬୦୧ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ସମ୍ପ୍ରସାରିତ କରାଯାଇଛି। କ୍ୟାମ୍ପସ ମଧ୍ୟରେ ପ୍ରତ୍ୟେକ ସ୍ବୀକୃତିପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ଗବେଷଣା ପାଇଁ ଦୈନିକ ୧ ଜିବି ହାଇସ୍ପିଡ୍ ଇଣ୍ଟରନେଟ୍ ଡାଟା ମାଗଣାରେ ଯୋଗାଇ ଦିଆଯିବ। ଫଳରେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଇ-ବୁକ୍, ଭର୍ଚୁଆଲ୍ କ୍ଲାସରୁମ୍, ସ୍ୱୟମ୍, ଡିଜିଟାଲ ଲାଇବ୍ରେରୀ ଏବଂ ଇ-ଗଭର୍ଣ୍ଣାନ୍ସ ସେବାଗୁଡ଼ିକର ସହଜ ଲାଭ ଉଠାଇପାରିବେ।

ଚାଷୀଙ୍କ ସୁବିଧା ଓ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେଇ ଖରିଫ ବିପଣନ ଋତୁ (କେଏମଏସ) ୨୦୨୬-୨୭ ପାଇଁ ଧାନ ସଂଗ୍ରହ ନୀତି ଘୋଷଣା କରାଯାଇଛି। ଚଳିତ ବର୍ଷ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏବଂ ଇନପୁଟ୍ ସହାୟତା ମିଶାଇ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କା ପ୍ରଦାନ କରିବେ। ରାଜ୍ୟରେ ମୋଟ ୭୮ ଲକ୍ଷ ମେଟ୍ରିକ ଟନ୍ ଧାନ ଅର୍ଥାତ୍ ୫୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଧାନ ବିକ୍ରିର ମାତ୍ର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଏନ୍.ପି.ସି.ଆଇ ଜରିଆରେ ସିଧାସଳଖ ଚାଷୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ। ଜାଲିଆତି ରୋକିବା ପାଇଁ ପି-ପାସ, ଆଧାର ଇ-କେଓ୍ବାଇସି, ଭୂଲେଖ ଡାଟାବେସ୍ ସହ ସାଟେଲାଇଟ୍ ଇମେଜେରୀ ମାଧ୍ୟମରେ ଶତପ୍ରତିଶତ ଫିଲ୍ଡ ଭେରିଫିକେସନ୍ କରାଯିବ ଏବଂ ଭାଗଚାଷୀଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କରାଯିବ।

ବର୍ଷା ନିର୍ଭରଶୀଳ ପଶ୍ଚିମ ଓଡ଼ିଶାରେ ଜଳସେଚନକୁ ସୁଦୃଢ଼ କରିବା ପାଇଁ କ୍ୟାବିନେଟ୍ ଦୁଇଟି ବଡ଼ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ଯୋଜନା (କ୍ଲଷ୍ଟର-୨୮) ଅଧୀନରେ ନୂଆପଡ଼ା ଜିଲାରେ ବୋଡ଼େନ, ବୋରିଗାଁ, ଖଇରମାଲ, ଲସୁନପାଲି, ଗଣ୍ଡାବାହାଲି, ଚୌରା ଏବଂ କୋନାବିରା ଭଳି ୭ଟି ପ୍ରକଳ୍ପ ନିର୍ମାଣ ହେବ। ଏଥିପାଇଁ ୨୬୮.୨୨ କୋଟି ଟଙ୍କାର ନିର୍ମାଣ ବ୍ୟୟ ଏବଂ ୧୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୨୧.୪୬ କୋଟି ଟଙ୍କାର ଟେଣ୍ଡର ଅନୁମୋଦିତ ହୋଇଛି। ଏହାଦ୍ୱାରା ଉଦନ୍ତୀ ନଦୀ ଏବଂ ଲୋୟର ଇନ୍ଦ୍ର ଜଳାଶୟରୁ ପାଣି ଅଣାଯାଇ ୫୯ଟି ଗ୍ରାମର ୮,୮୦୦ ହେକ୍ଟର ଉଚ୍ଚ ଜମିରେ ଭୂତଳ ପାଇପ୍ ମାଧ୍ୟମରେ ଜଳସେଚନ କରାଯିବ। ଅନ୍ୟପକ୍ଷରେ, ଟିଟିଲାଗଡ଼ ବ୍ଲକ୍‌ର ପଥର୍ଲା ଗ୍ରାମ ନିକଟରେ ତେଲ୍ ନଦୀର ଉପନଦୀ ଇନ୍ଦ୍ର ବା ସୁନ୍ଦର ନଦୀରେ ଏକ ଅନ୍ତଃନଦୀ ଜଳାଶୟ ନିର୍ମାଣ ପାଇଁ ୯୯,୯୯,୯୯,୯୯୯ ଟଙ୍କାର ବ୍ୟୟ ଅଟକଳକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ୩୦ ମାସରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଟିଟିଲାଗଡ଼ ଓ ବଙ୍ଗମୁଣ୍ଡା ବ୍ଲକ୍‌ର ୧୨ଟି ଗ୍ରାମକୁ ପାନୀୟ ଜଳ ଯୋଗାଇବ।

ଯୁବବର୍ଗ ଓ କର୍ମଚାରୀଙ୍କ ହିତରେ କ୍ୟାବିନେଟ୍ ଦୁଇଟି ପ୍ରଶାସନିକ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପରୀକ୍ଷା ନିୟମାବଳୀ-୧୯୯୧କୁ ସଂଶୋଧନ କରାଯାଇଛି, ଯାହା ଫଳରେ ଏଣିକି ଓସିଏସ ପରୀକ୍ଷାରେ ବସିବା ପାଇଁ ପ୍ରାର୍ଥୀଙ୍କ ଉପରେ ଥିବା ପ୍ରୟାସ ସଂଖ୍ୟା କଟକଣାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ନିର୍ଦ୍ଧାରିତ ବୟସ ସୀମା ଓ ଯୋଗ୍ୟତା ଥିଲେ ପରୀକ୍ଷାର୍ଥୀମାନେ ଯେତେଥର ଇଚ୍ଛା ପରୀକ୍ଷା ଦେଇପାରିବେ। ଏହାସହ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କ୍ୟାଡରର ପୁନର୍ଗଠନ କରାଯାଇ ଏହି ପଦବୀରେ ସିଧାସଳଖ ନିଯୁକ୍ତି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ-ତିନି (+୩) କିମ୍ବା ସ୍ନାତକ ସ୍ତରକୁ ବୃଦ୍ଧି କରାଯାଇଛି। ପୂର୍ବରୁ ପିଇଓ ରୁ ଜିଡିପିଓ ପଦବୀକୁ ପଦୋନ୍ନତି କେବଳ ୨.୫% ମଧ୍ୟରେ ସୀମିତ ଥିବାବେଳେ, ଏବେ ଏଥିପାଇଁ ୩,୨୯୪ଟି ପଦବୀ (ଲେଭଲ୍-୭ରେ ୨,୦୩୦ ଏବଂ ଲେଭଲ୍-୯ରେ ୧,୨୬୪) ସୃଷ୍ଟି କରାଯାଇ ପଦୋନ୍ନତି ସୁଯୋଗକୁ ବହୁଗୁଣିତ କରାଯାଇଛି।

ରାଜ୍ୟର ବିଦ୍ୟୁତ୍ ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ କଳାହାଣ୍ଡି ଜିଲାର ରାଣୀବାହାଲଠାରେ ୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଉପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ପ୍ରତିଷ୍ଠାକୁ ମଞ୍ଜୁରି ଦିଆଯାଇଛି। ପ୍ରକଳ୍ପର ମୋଟ କାର୍ଯ୍ୟକାରୀ ବ୍ୟୟ ୪,୭୦୮.୬୪ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି, ଯେଉଁଥିରୁ ଟେଣ୍ଡର ଜରିଆରେ ୩,୩୭୨.୮୮ କୋଟି ଟଙ୍କାର ଠିକା ମେସର୍ସ ମେଘା ଇଞ୍ଜିନିୟରିଂକୁ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ ୮୦:୨୦ ର ଋଣ-ଇକ୍ୱିଟି ଅନୁପାତରେ କାର୍ଯ୍ୟକାରୀ ହେବ, ଯେଉଁଥିରେ ଓପିଏଚସି ନିଜସ୍ୱ ପାଣ୍ଠିରୁ ୨୦% ଏବଂ ରାଜ୍ୟ ସରକାର ଅବଶିଷ୍ଟ ୮୦% ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ଆଧାରରେ ଋଣ ଆକାରରେ ପ୍ରଦାନ କରିବେ। ୨୦୩୦-୩୧ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ପ୍ରକଳ୍ପ ଅଫ୍-ପିକ୍ ସମୟରେ ବଳକା ବିଦ୍ୟୁତ୍ ସଂରକ୍ଷଣ କରିବ ଏବଂ ରାଜ୍ୟ ପାୱାର ଗ୍ରୀଡ୍‌କୁ ଅତ୍ୟାବଶ୍ୟକ ସ୍ଥିରତା ଯୋଗାଇବ।

ରାଜ୍ୟରେ ଗୋ-ସମ୍ପଦର ବିକାଶ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ କ୍ୟାବିନେଟ୍ ଓଡ଼ିଶା ଗୋ-ପ୍ରଜନନ (ନିୟନ୍ତ୍ରଣ) ବିଧେୟକ, ୨୦୨୬ କୁ ଅନୁମୋଦନ କରିଛନ୍ତି, ଯାହାଦ୍ୱାରା ଏକ ‘ଓଡ଼ିଶା ଗୋ-ପ୍ରଜନନ ନିୟନ୍ତ୍ରଣ କର୍ତ୍ତୃପକ୍ଷ’ ଗଠନ କରାଯିବ। ହିମିକୃତ ଶୁକ୍ର ଭଣ୍ଡାର, କୃତ୍ରିମ ପ୍ରଜନନ କେନ୍ଦ୍ର ଏବଂ ଏଆଇ ଟେକ୍ନିସିଆନ ପଞ୍ଜୀକରଣ ବାଧ୍ୟତାମୂଳକ ହେବ ଏବଂ ନିମ୍ନମାନର ସେବା ପ୍ରଦାନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟ ଏକ ଲୋକାଭିମୁଖୀ ନିଷ୍ପତ୍ତିରେ ରାଜ୍ୟ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ)ରେ କାର୍ଯ୍ୟରତ ବେସରକାରୀ ଡିଲରମାନଙ୍କୁ ଅନୁଷ୍ଠାନିକ ଡିଲରମାନଙ୍କ ଦ୍ୱାରା ପ୍ରତିସ୍ଥାପନ କରିବା ପ୍ରକ୍ରିୟାକୁ ୨୦୨୭ ସେପ୍ଟେମ୍ପର ୩୦ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛନ୍ତି, ଯାହାଦ୍ୱାରା ରାସନ ବଣ୍ଟନ ବ୍ୟବସ୍ଥାରେ କୌଣସି ପ୍ରଶାସନିକ ବାଧା ଉପୁଜିବ ନାହିଁ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL