ଓଡ଼ିଶା

ରଥଯାତ୍ରା ଦଳାଚକଟା, ୭ ଅଫିସରଙ୍କ ଉପରେ ଆକ୍ସନ, ବରିଷ୍ଠ ଆଇପିଏସ ଅଫିସରମାନଙ୍କୁ କ୍ଲିନଚିଟ୍‌

ପୁରୀ : ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳିତବର୍ଷ ରଥଯାତ୍ରାରେ ଦଳାଚକଟା ଓ ଅବ୍ୟବସ୍ଥା ପାଇଁ ୭ଜଣ ପୁଲିସ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ପୁଲିସ ନିମନ୍ତେ ‘କମାଣ୍ଡ ଓ କଂଟ୍ରୋଲ ରୁମ୍‌’ ସ୍ଥାପନ କରିଥିବା ସଂସ୍ଥା ‘ଇନଭେଂଟ ଗ୍ରୀଡ୍ ଇଣ୍ଡିଆ ଲିମିଟେଡ’କୁ କଳା ତାଲିକାଭୁକ୍ତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ତଦନ୍ତ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗୃହ ବିଭାଗ ଗତମାସ ୨୫ତାରିଖରେ ପୁଲିସ ଡିଜି ୱାଇବି ଖୁରାନିଆଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛି ।
ତେବେ ରଥଯାତ୍ରାରେ ବିପର୍ଯ୍ୟସ୍ତ ପରିଚାଳନା ପାଇଁ ସବଇନ୍ସପେକ୍ଟରରୁ ଅତିରିକ୍ତ ଏସପି ପାହ୍ୟାର ୭ଜଣ ପୁଲିସ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିବା ଅନୁ ଗର୍ଗ କମିଟି କିଭଳି ସମଗ୍ର ରଥଯାତ୍ରା ପରିଚାଳନାରେ ନିୟୋଜିତ ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କୁ ଛୁଇଁବାକୁ ବି ସାହାସ କଲେନି, ଓଲଟା ସେମାନଙ୍କୁ କ୍ଲିନଚିଟ୍ ଦେଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।
ଯଦିଓ ରଥଯାତ୍ରାର ୩ଦିନ ପୂର୍ବରୁ ଖୋଦ୍ ପୁଲିସ ଡିଜି ଶ୍ରୀ ଖୁରାନିଆଙ୍କ ସମେତ ଏଡିଜି ପାହ୍ୟାର ୫ ଆଇପିଏସ୍ ଅଫିସର ପୁରୀରେ ଡେରା ପକାଇ ବିଭିନ୍ନ ଦାୟିତ୍ୱରେ ନିୟୋଜିତ ହୋଇଥିଲେ । କେବଳ ସେତିକି ନୁହେଁ, ରଥଯାତ୍ରା ସମୟରେ ପୁଲିସ ଡିଜି ଖୋଦ୍ ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିଲେ ମଧ୍ୟ ଅନୁ ଗର୍ଗ ତଦନ୍ତ କମିଟିକୁ ସହଯୋଗ କରିନଥିଲେ କି ହାଜର ହୋଇ ପକ୍ଷ ରଖି ନଥିଲେ ବୋଲି ଜଣାପଡ଼ିଛି ।
ଗୃହ ବିଭାଗର ଅତିରିକ୍ତ ସଚିବ ସୌମେନ୍ଦ୍ର ପାତ୍ର ଅକ୍ଟୋବର ୨୫ତାରିଖରେ ପୁଲିସ ଡିଜି ଶ୍ରୀ ଖୁରାନିଆଙ୍କୁ ଚିଠି ଲେଖି ଅନୁ ଗର୍ଗ କମିଟିର ସୁପାରିଶ ଆଧାରରେ ୨୦୨୫ ଜୁନ୍ ୨୯ତାରିଖରେ ପୁରୀ ରଥଯାତ୍ରାବେଳେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ଘଟଣାରେ ୭ଜଣ ଅଫିସରଙ୍କ ବିରୁଦ୍ଧରେ ଦାୟିତ୍ୱରେ ଅବହେଳା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।
ଓପିଏସ୍ ଅଜୟ କୁମାର ପାଢୀଙ୍କ ସମେତ ବିଷ୍ଣୁ ପ୍ରସାଦ ପତି, ତାପସ ରଞ୍ଜନ ଦାସ, କେ.କେ. ନାୟକ, ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ ଓ ଶାରଦା ପ୍ରସାଦ ଦାଶଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରଥଯାତ୍ରା ଅଘଟଣ ପରେ ଶ୍ରୀ ପାଢ଼ୀ ଓ ଶ୍ରୀ ପତିଙ୍କୁ ସରକାର ନିଲମ୍ବନ କରିସାରିଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ଯଦି ଏହି ଅଫିସରମାନେ ସବୁ କାର୍ଯ୍ୟ ପାଇଁ ଦାୟୀ ବୋଲି ଦର୍ଶାଯାଉଛି, ତା’ହେଲେ ରଥଯାତ୍ରାବେଳେ ଓଡ଼ିଶା ପୁଲିସର ଡିଜିଙ୍କଠୁ ଆରମ୍ଭ କରି ଏଡିଜି ପାହ୍ୟାର ଅଫିସରମାନେ ପୁରୀରେ କେଉଁ ଦାୟିତ୍ୱରେ ନିୟୋଜିତ ହୋଇଥିଲେ ଓ କ’ଣ ପାଇଁ ରଥଯାତ୍ରାର ୨-୩ ଦିନ ପୂର୍ବରୁ ସେଠାରେ ଡେରା ପକାଇ ରହିଥିଲେ, ଏହି ସେମାନଙ୍କୁ କାହିଁକି ଉତ୍ତରଦାୟୀ କରାଗଲାନି ଓ ଅନୁ ଗର୍ଗ କମିଟି କାହିଁକି ଚୁପ୍ ରହିଛି ତାହା ବି ସାଧାରଣରେ ସନ୍ଦେହ ବଢ଼ାଇଛି ।
ରଥଯାତ୍ରା ସୁରକ୍ଷାରେ ମୁଖ୍ୟ ମେରୁଦଣ୍ଡ ପାଲଟିଥିବା Integrated Command and Control Centre ( ICCC-ଆଇସିସିସି ) ଠିକ୍ ସମୟରେ ଫେଲ୍ ମାରିଥିଲା । ଅନୁ ଗର୍ଗ ତଦନ୍ତ ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିଛି ଯେ ଅତ୍ୟାଧୁନିକ କୁହାଯାଉଥିବା ଏହି ବ୍ୟବସ୍ଥାରେ ଚରମ ବୈଷୟିକ ତ୍ରୁଟି ରହିଥିଲା । ଟେଣ୍ଡର ଅନୁଯାୟୀ ମୋଟ ୨୭୫ଟି ସିସିଟିଭି କ୍ୟାମେରା ଲଗାଯାଇଛି ବୋଲି କୁହାଯାଉଥିଲେ ମଧ୍ୟ କୌଣସି ଦିନରେ ସର୍ବାଧିକ କେବଳ ୧୨୩ରୁ ୨୩୨ଟି କ୍ୟାମେରାର ଫିଡ୍ ହିଁ ଆଇସିସିସିକୁ ମିଳୁଥିଲା, ଯାହା ସିଧାସଳଖ ଭାବରେ ଉକ୍ତ ସଂସ୍ଥା ‘ଇନଭେଂଟ ଗ୍ରୀଡ୍ ଇଣ୍ଡିଆ ଲିମିଟେଡ’ର ଅପାରଗତାକୁ ଦର୍ଶାଉଛି ।
ଏହା ବ୍ୟତୀତ ଏଆଇ ଆଧାରିତ କ୍ରାଉଡ୍ ଡେନସିଟି(ଜନଗହଳି ଘନତା) ଓ ଫେସିଆଲ୍ ରେକଗ୍ନିସନ୍ ସିଷ୍ଟମ୍ (ଏଫଆରଏସ୍‌) ଭଳି ଗୁରୁତ୍ୱପୂର୍ଣ୍ଣ ଆନାଲିଟିକ୍ସ ମଧ୍ୟ ଆବଶ୍ୟକ ସମୟରେ କାର୍ଯ୍ୟ କରିନଥିଲା । ଅନେକ ସ୍ଥାନରେ କ୍ୟାମେରା ଏଭଳି ଲଗାଯାଇଥିଲା ଯେ, ଯାହାର ଆଙ୍ଗଲ୍‌, ଉଚ୍ଚତା ଓ ଦିଗ ମଧ୍ୟ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଉପଯୁକ୍ତ ନଥିଲା । ଡ୍ରୋନଗୁଡ଼ିକୁ ମଧ୍ୟ ଠିକ୍ ଭାବେ ବ୍ୟବହାର କରାଯାଇ ନଥିଲା । ଏସବୁ ବୈଷୟିକ ନିର୍ଦ୍ଦେଶାବଳୀର ଖୋଲା ଉଲ୍ଲଂଘନ ଯୋଗୁଁ ସମ୍ପୃକ୍ତ ‘ଇନଭେଂଟ ଗ୍ରୀଡ୍ ଇଣ୍ଡିଆ ଲିମିଟେଡ’ ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ଅନୁ ଗର୍ଗ କମିଟି ସୁପାରିଶ କରିଛନ୍ତି ।
ଅନୁ ଗର୍ଗ କମିଟିର ଏହି ସୁପାରିଶ ସିଧାସଳଖ ଏଡିଜି ସଞ୍ଜୟ କୁମାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଉଛି, ଯିଏକି ଏହି ‘ଆଇସିସିସି’ ଟେଣ୍ଡର ପାଇଁ ଗଠିତ କ୍ରୟ କମିଟିର ମୁଖ୍ୟ ଥିଲେ । ଟେକ୍ନିକାଲ୍ ମାନଦଣ୍ଡରେ ଅଯୋଗ୍ୟ ଥିବା ଏହି କଂପାନୀ କିଭଳି ଭାବରେ ଏତେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଚୟନ ହେଲା? ଏହି କମ୍ପାନୀକୁ ରଥଯାତ୍ରାର ୫ମାସ ପରେ ମଧ୍ୟ କାହିଁକି କାରଣଦର୍ଶାଅ ନୋଟିସ୍ ଜାରି ହୋଇନି, ଟେଣ୍ଡର ଅନୁମୋଦନ ପ୍ରକ୍ରିୟାରେ ଅନିୟମିତତା ହୋଇଥିଲା କି ନାହିଁ,ସେଥିରେ କେଉଁ ଅଫିସରଙ୍କ ସମ୍ପୃକ୍ତି ରହିଛି ଓ ତା’ର ତଦନ୍ତ କାହିଁକି ଏପର୍ଯ୍ୟନ୍ତ ସରକାର କରିନାହାନ୍ତି ତାହା ମଧ୍ୟ ଅସ୍ପଷ୍ଟ ।
ଅନୁ ଗର୍ଗ ତଦନ୍ତ କମିଟି ଆଗରେ ପୁଲିସ ଡିଜି ଶ୍ରୀ ଖୁରାନିଆ ଉପସ୍ଥିତ ନହେବା କିମ୍ବା ବ୍ୟକ୍ତିଗତ ହାଜର ହୋଇ ସାକ୍ଷ୍ୟ ନଦେବା ହିଁ କମିଟିର ରିପୋର୍ଟ ଏବଂ ନିରପେକ୍ଷତାକୁ ସନ୍ଦେହଘେରକୁ ଆଣିଛି । ଯଦିଓ ରଥଯାତ୍ରାର ୩ଦିନ ପୂର୍ବରୁ ଜୁନ୍ ୨୪ତାରିଖରେ ପୁଲିସ ଡିଜି ଶ୍ରୀ ଖୁରାନିଆ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ପୁରୀ ଟାଉନ୍ ଥାନା ପରିସରରେ ପ୍ରଥମଥର ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବିଶିଷ୍ଟ ‘ଆଇସିସିସି’ ସ୍ଥାପନ କରାଯାଇଛି । ଉତ୍ତରା ଛକରୁ ପୁରୀ-କୋଣାର୍କ ରୋଡ୍ ପର୍ଯ୍ୟନ୍ତ ଏଆଇ କ୍ୟାମେରା ମାଧ୍ୟମରେ ଏହି କମାଣ୍ଡ ସେଂଟରରୁ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯିବ । ଏହାମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନାରେ ସହାୟକ ହେବ ।
ତେବେ ପୁଲିସ ଡିଜିଙ୍କ ଏହି କଥାରେ ସାଧାରଣ ଲୋକ ଭରସା କରିଥିବାବେଳେ ରଥଯାତ୍ରାବେଳେ ‘ଆଇସିସିସି’ କିଭଳି ଫେଲ୍ ମାରିଲା ଓ ଡିଜିପି ନିଜେ ପୁରୀରେ ଉପସ୍ଥିତ ଥାଇ କାହିଁକି ଏହାର ତଦାରଖ କରୁନଥିଲେ ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ପୁଲିସ ଡିଜି ନିଜେ ଜୁନ୍ ୨୫ତାରିଖରୁ ପୁରୀରେ ଡେରା ପକାଇ ସାମଗ୍ରିକ ତଦାରଖର ଦାୟିତ୍ୱ ନେଇଥିଲେ । କିନ୍ତୁ ଅନୁ ଗର୍ଗ କମିଟି ତାଙ୍କୁ ଓ ଅନ୍ୟାନ୍ୟ ତଦାରଖ ଦାୟିତ୍ୱରେ ନିୟୋଜିତ ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କୁ ପରୋକ୍ଷରେ କ୍ଲିନଚିଟ୍ ଦେଇଥିବା ଜଣାପଡ଼ିଛି।
Odisha Police ପୁଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଏଡିଜି ପାହ୍ୟାର ଅଫିସରମାନଙ୍କୁ ପୁରୀ( Puri) ରଥଯାତ୍ରାର ସମ୍ପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ଅନୁ ଗର୍ଗ କମିଟିର ରିପୋର୍ଟରେ ଦର୍ଶାଯାଇଛି ଯେ, ଏଡିଜି କମ୍ୟୁନିକେସନ୍ ଦୟାଲ ଗଙ୍ଗୱାର ଦେଇଥିବା ରିପୋର୍ଟ ଆଧାରରେ ତ୍ରୁଟି ବା ଅସଙ୍ଗତି ଚିହ୍ନଟ କରାଯାଇଛି । ଯଦିଓ ଏଡିଜି ଶ୍ରୀ ଗଙ୍ଗୱାର ପୁରୀ ରଥଯାତ୍ରାବେଳେ ‘ଟ୍ରାଫିକ ପରିଚାଳନା ଓ ଆଇସିସିସି’ ଦାୟିତ୍ୱରେ ରହିଥିଲେ । ଆଉ ତାଙ୍କୁ ଆଇପିଏସ୍ କନୱର ବିଶାଳ ସିଂ ଓ ବି.ଗଙ୍ଗାଧର ସହାୟତା କରୁଥିଲେ । ମାତ୍ର ଏହି ଆଇପିଏସମାନଙ୍କ ସମ୍ପର୍କରେ ସାମାନ୍ୟତମ ପ୍ରତିକୂଳ ମନ୍ତବ୍ୟ ତଦନ୍ତ ରିପୋର୍ଟରେ ଉଲ୍ଲେଖ ନାହିଁ ।
ସେହିପରି ଏଡିଜି ଅମିତାଭ ଠାକୁରଙ୍କୁ ମନ୍ଦିର ସୁରକ୍ଷା, ଆଭ୍ୟନ୍ତରୀଣ କର୍ଡନ ଓ ତିନି ରଥର ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ଦଳାଚକଟା ଘଟଣା ଓ ଅବ୍ୟବସ୍ଥା ଆଭ୍ୟନ୍ତରୀଣ କର୍ଡନ ନିକଟରେ ହିଁ ଘଟିଥିଲା । ଶ୍ରୀ ଠାକୁରଙ୍କୁ ଆଇପିଏସ୍ ସାର୍ଥକ ଷଡ଼ଙ୍ଗୀ ଓ ପିନାକ ମିଶ୍ର ସହାୟତା କରୁଥିଲେ । ମାତ୍ର ଏସବୁ ସତ୍ତ୍ୱେ ଅନୁ ଗର୍ଗଙ୍କ ତଦନ୍ତରେ ସେମାନଙ୍କୁ କ୍ଲିନଚିଟ୍ ଦିଆଯାଇଛି ।
ଏମାନଙ୍କ ବ୍ୟତୀତ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ଭିଡ଼ ପରିଚାଳନା ଓ କର୍ଡନ ବାହାରର ଦାୟିତ୍ୱ ମିଳିଥିଲା । ତାଙ୍କୁ ଆଇପିଏସ୍ ସତ୍ୟବ୍ରତ ଭୋଇ, ଅବିନାଶ କୁମାର ଓ ଚରଣ ସିଂ ମୀନା ସହାୟତା କରୁଥିଲେ । ତଦନ୍ତ ରିପୋର୍ଟରେ ଏହି ସମସ୍ତଙ୍କୁ ମଧ୍ୟ କ୍ଲିନଚିଟ୍ ମିଳିଛି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା(Rath Yatra)ରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସମେତ ପ୍ରାୟ ୭୫୦ରୁ ଊର୍ଦ୍ଧ୍ୱ ଭକ୍ତମାନେ ଆହତ ହୋଇଥିଲେ । କିନ୍ତୁ ଅନୁ ଗର୍ଗ କମିଟି ନିଜର ତଦନ୍ତ ରିପୋର୍ଟରେ ଯେଉଁମାନେ ବାସ୍ତବରେ ଶୀର୍ଷସ୍ତରରେ ଏସବୁ ଦାୟିତ୍ୱର ତଦାରଖ କରୁଥିଲେ ସେମାନଙ୍କୁ ଛୁଇଁବାକୁ ସାହାସ କରିନାହାନ୍ତି । ଯଦି ଓପିଏସ୍ ଅଫିସରମାନେ ସବୁ କାର୍ଯ୍ୟ କରୁଥିଲେ, ତା’ହେଲେ ଏହି ବରିଷ୍ଠ ଆଇପିଏସ୍ ଅଫିସରମାନେ ପୁରୀ ରଥଯାତ୍ରାରେ ନିର୍ଦ୍ଧିଷ୍ଟ ଭାବେ କ’ଣ କରୁଥିଲେ । ସେମାନଙ୍କ ଉପସ୍ଥିତିରେ ଜୁନିୟର ଅଫିସରମାନେ ଦାୟିତ୍ୱରେ କିଭଳି ଖିଲାପ କରିବା ସମ୍ଭବପର ହେଲା ।
ତା’ଛଡ଼ା କମିଟି ରିପୋର୍ଟକୁ ପ୍ରାୟ ସାଢ଼େ ୩ମାସ ଧରି ତର୍ଜମା କରିଥିବା ରାଜ୍ୟ ସରକାର କାହିଁକି ଏହାର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇନାହାନ୍ତି ତାହା ମଧ୍ୟ ସନ୍ଦେହଘେରରେ । ଯଦି କରିଥିଲେ ଏହି ବରିଷ୍ଠ ପୁଲିସ ଅଫିସରମାନଙ୍କୁ କେଉଁ ଅଦୃଶ୍ୟ କାରଣରୁ କ୍ଲିନଚିଟ୍ ଦିଆଗଲା , ଯଦିଓ ସବୁକିଛି ଜଳଜଳ ଦିଶୁଛି । ତଳସ୍ତରର ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ରଥଯାତ୍ରା ଅବ୍ୟବସ୍ଥାକୁ ଚପାଇ ଦେବାକୁ ପ୍ରଶାସନିକ କଳ ଷଡ଼ଯନ୍ତ୍ର କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିରବତା ହିଁ ଉଭୟ ତଦନ୍ତ ଓ ସରକାରଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL