ଗୋଆ : ଗୋଆରେ ନାଇଟ୍ କ୍ଲବ ଟ୍ରାଜେଡି । ଭୟଙ୍କର ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି । ୨୫ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା ଗୋଆ ପୋଲିସ । ଗତକାଲି ରାତିରେ ନର୍ଥ ଗୋଆର ଅରପୁରାରେ ଏକ ନାଇଟ କ୍ଲବରେ ପାର୍ଟି ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା । ମାତ୍ର କିଛି ସେକେଣ୍ଡ ମଧ୍ୟରେ ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା । କିଚେନ ପାଖରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ହୁହୁ ହୋଇ ଜଳିଥିଲା ପୂରା ବିଲ୍ଡିଂ। ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ୪ ଜଣ ପର୍ଯ୍ୟଟକ ଥିବା ବେଳେ ୧୪ ଜଣ ଷ୍ଟାଫ୍ ମେମ୍ବର ରହିଥିବା ଜଣାପଡିଛି । ଅନ୍ୟ ୭ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ ।
ସୂଚନାନୁଯାୟୀ, ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହତଙ୍କ ପାଇଁ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି । ଆହତଙ୍କୁ ୫୦ ହଜାର ଟଙ୍କା ଏବଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ଘୋଷଣା କରାଯାଇଛି ।
ଅନ୍ୟପଟେ ଅଗ୍ନିଶମ ବିଭାଗ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାରେ ୫୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ । ଗ୍ୟାସ ଟାଙ୍କି ଫାଟିଲା ନାଁ ଅନ୍ୟ କାରଣରୁ ନିଆଁ ଲାଗିଲା, ତାର ଅନୁଧ୍ୟାନ ଚାଲିଛି। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାର ତଦନ୍ତ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ରାତି ପ୍ରାୟ ୧ଟା ବେଳେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିଲା ।





