ସୁନ୍ଦରଗଡ଼: ଭାଇରାଲ ହେଉଥିଲା ଚାକିରି ବିଜ୍ଞାପନ । ବିଜ୍ଞାପନରେ ଥିଲା ଆକର୍ଷଣୀୟ ଅଫର । ଯୁବପିଢ଼ିଙ୍କୁ କରାଯାଉଥିଲା ଶିକାର। କିନ୍ତୁ ଘଟଣାର ପର୍ଦ୍ଦାଫାସ୍ କଲା ପୋଲିସ । ଠକର ମହା ଠକାମି । ଟଙ୍କା ପାଇଁ ଚାକିରି ଆଶାୟୀଙ୍କୁ ଟାର୍ଗେଟ କରୁଥିଲା ଠକ । ଚାକିରି ବିଜ୍ଞାପନ ଟିଏ ପ୍ରସ୍ତୁତ କରି ଅନଲାଇନରେ ଭାଇରାଲ କରୁଥିଲା । ଆଉ ବିଜ୍ଞାପନରେ ଲୋଭନୀୟ ଦରମା ସହ ଥିଲା ଓଡ଼ିଶା ସରକାରଙ୍କ ଲୋଗୋ । କାହାକୁ ସନ୍ଦେହ ହେବନି ବୋଲି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଲୋଗୋ ବ୍ୟବହାର କରିଥିଲା । ଚାକିରି ବାବଦରେ ଆଶୟୀଙ୍କ ଠାରୁ ନେଉଥିଲା ଟଙ୍କା । କିନ୍ତୁ ଏଭଳି ବିଜ୍ଞାପନ ଦେଖି ପୋଲିସର ବଢ଼ିଥିଲା ସନ୍ଦେହ । ପରେ ଆରମ୍ଭ ହୋଇଥିଲା ଖୋଲତାଡ଼ । ଯାହା ପରେ ଧରା ପଡ଼ିଛି ଅଭିଯୁକ୍ତ ।
କିଛି ଦିନ ତଳେ ସୋସିଆଲ ମିଡିଆରେ ଚାକିରି ନାଁରେ ବିଜ୍ଞାପନ ବାହାରିଥିଲା । ସୁନ୍ଦରଗଡ଼, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ସମ୍ବଲପୁର ଜିଲ୍ଲାର ଡାକ୍ତରଖାନା ଡାଟାଏଣ୍ଟ୍ରି ଅପରେଟର ଓ ସିକ୍ୟୁରିଟି ଗାର୍ଡ ଆଦି ପାଇଁ ବିଜ୍ଞାପନ ବାହାରିଥିଲା । ଯାହାକୁ ଦେଖିବା ପରେ ପୋଲିସ ବିଭାଗକୁ ସନ୍ଦେହ ହୋଇଥିଲା । ଯେଉଁ ପଦବୀ ପାଇଁ ଆବେଦନ ରହିଥିଲା ସେଥିରେ ପ୍ରାର୍ଥୀଙ୍କୁ ମନଲୋଭା ଆକର୍ଷଣୀୟ ଦରମା ସହ ଅନ୍ୟ ସୁବିଧା ରହିଥିବା ହେତୁ ପ୍ରାର୍ଥୀ ସହଜରେ ପ୍ରଲୋଭିତ ହେଉଥିଲେ । ଏହି ଘଟଣା ପୋଲିସ ନଜରକୁ ଆସିବା ପରେ ସୁନ୍ଦରଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ ଗଠନ କରି ଆରମ୍ଭ ହୋଇଥିଲା ତଦନ୍ତ ।
ସଂପୃକ୍ତ ଜିଲ୍ଲାର ଅଧିକାରୀଙ୍କ ସହ ଯୋଗାଯୋଗ କରି ପୋଲିସ ଜାଣିବାକୁ ପାଇଥିଲା ଯେ ଏହି ବିଜ୍ଞାପନ ସମ୍ପୂର୍ଣ୍ଣ ମିଛ । ମିଛ ବିଜ୍ଞାପନରେ ଚାକିରି ଲୋଭ ଦେଖାଇ ଠକ୍ ସଂସ୍ଥା ପ୍ରତ୍ୟେକ ପ୍ରାର୍ଥୀଙ୍କ ଠାରୁ ୩,୫୦୦ ଟଙ୍କା ନେଉଥିଲା । ଅନ୍ୟପଟେ ଅଭିଯୁକ୍ତ ଜଣକ ବିଜ୍ଞାପନରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଲୋଗୋ ବ୍ୟବହାର କରିଥିଲା । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସୁନ୍ଦରଗଡ଼ ଟାଉନ ଥାନା ଏକ ମାମଲା ରୁଜୁ କରିଛି । ତେବେ ଘଟଣାର ଖୋଲତାଡ଼ କରିବା ପରେ ଧରା ପଡ଼ିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଜଣକ କେନ୍ଦ୍ରାପଡ଼ା ପାଟକୁରା ଥାନା ରଘୁନାଥପୁର ଗାଁର ସଂଗ୍ରାମ କୁମାର ବେହେରା ବୋଲି ଜଣାପଡ଼ିଛି ।
ଏହି ଠକାମିରେ ଆଉ କେଉଁମାନେ ସଂପୃକ୍ତ ରହିଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ। ବର୍ତ୍ତମାନର ଯୁବପିଢ଼ୀ ଚାକିରି ଆଶାରେ ରହୁଛନ୍ତି । ଏହାର ସୁଯୋଗ ନେଇ ଠକମାନେ ଏମିତି ଜାଲ ପକାଉଛନ୍ତି ଯେ, ଫସି ଯାଉଛନ୍ତି ଯୁବପିଢ଼ୀ । ତେଣୁ ଆପଣ ଯଦି ଚାକିରି ଆଶାରେ ଅଛନ୍ତି ତେବେ ସାବଧାନ ରୁହନ୍ତୁ । ଏମିତି ଠକଙ୍କ ହାବୁଡ଼ରେ ପଡ଼ି ସର୍ବସ୍ବ ହରାଇବା ପୂର୍ବରୁ ସତର୍କ ରୁହନ୍ତୁ ।








