ଓଡ଼ିଶା

ଯାତ୍ରା ଅଭିନେତା ଗୁରୁ ପୃଷ୍ଟି ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ମଉସା, ପତ୍ନୀଙ୍କ ସନ୍ଦେହ

ଭଦ୍ରକ, ୧୩/୧୨ : ଲୋକପ୍ରିୟ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣାରେ ଏକ ନୂଆ ମୋଡ଼ ଆସିଛି | ପୂର୍ବରୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ତାଙ୍କ ମଉସା ହତ୍ୟା ଅଭିଯୋଗ ଆଣିଛନ୍ତି | ଗୁରୁ ପୃଷ୍ଟିଙ୍କ ସମ୍ପର୍କୀୟ ମଉସା ନରେନ୍ଦ୍ର ମିଶ୍ର ଶୁକ୍ରବାର ଦିନ ଭଦ୍ରକ ଜିଲ୍ଲାର ଧାମନଗର ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି | ଏଥିରେ ସେ ଗୁରୁ ପୃଷ୍ଟିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକାଶ କରିଛନ୍ତି |

ସୂଚନାନୁସାରେ, ଗୁରୁ ପୃଷ୍ଟି ଇନ୍ଦ୍ରଭୁବନ ଯାତ୍ରା ଦଳର ଜଣେ ହାସ୍ୟ ଅଭିନେତା ଥିଲେ | ଡିସେମ୍ବର ୭, ୨୦୨୫ ରାତି ପ୍ରାୟ ୮ଟା ୧୫ରେ ସେ ଭଦ୍ରକରୁ ଧୁସୁରୀ ଅଭିମୁଖେ ଯାତ୍ରା କରୁଥିବାବେଳେ ଚିଙ୍ଗୁଡିପୁର ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ | ସେ ସେଣ୍ଡପୁରରେ ଅଭିନୟ କରିବାକୁ ଯାଉଥିଲେ | ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା | ପ୍ରାଥମିକ ଭାବେ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ଭାବେ ଗ୍ରହଣ କରାଯାଇଥିଲା, କିନ୍ତୁ ଏବେ ପରିସ୍ଥିତି ବଦଳିଛି |

ମୃତ ଗୁରୁ ପୃଷ୍ଟିଙ୍କ ମଉସା ନରେନ୍ଦ୍ର ମିଶ୍ର, ଯିଏ ନୟାଗଡ଼ ଜିଲ୍ଲାର ଓଡଗାଁ ଗ୍ରାମର ବାସିନ୍ଦା, ଧାମନଗର ଥାନାରେ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ପୂର୍ବରୁ ‘ସ୍ୱପ୍ନ ମହଲ’ ଯାତ୍ରା ଦଳର ଜଣେ ଅଭିନେତ୍ରୀଙ୍କ ସହ ତାଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା | ଏହି ଯୁକ୍ତିତର୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି | ଅଭିଯୋଗ ଅନୁଯାୟୀ, ଏହି ଘଟଣାର ମାତ୍ର ଦୁଇରୁ ଅଢେଇ ଘଣ୍ଟା ପରେ ଗୁରୁ ପୃଷ୍ଟି ଦୁର୍ଘଟଣାର ଶିକାର ହୋଇଥିଲେ, ଯାହା ସନ୍ଦେହ ସୃଷ୍ଟି କରିଛି | ନରେନ୍ଦ୍ର ମିଶ୍ର ଏହା ମଧ୍ୟ ଦର୍ଶାଇଛନ୍ତି ଯେ ସେହି ଅଭିନେତ୍ରୀ ହିଁ ଗୁରୁଙ୍କ ହତ୍ୟା ପଛରେ ଥାଇପାରନ୍ତି |

ଗୁରୁ ପୃଷ୍ଟିଙ୍କ ପତ୍ନୀ ସ୍ନେହଲତା ସାହୁ ମଧ୍ୟ ଏହି ମାମଲାରେ ସନ୍ଦେହ ପ୍ରକାଶ କରିଛନ୍ତି | ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କର ଜଣେ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଥିଲା | ମୃତ୍ୟୁ ପରେ ଗୁରୁଙ୍କର ଗୋଟିଏ ମୋବାଇଲ ଫୋନ୍ ହଜିଯାଇଥିବା ବେଳେ ପରେ ଏହାକୁ ପୋଲିସ ଉଦ୍ଧାର କରିଥିଲା | ଅଭିନେତ୍ରୀଙ୍କ ସହ ହୋଇଥିବା ଚାଟ୍ ଏବଂ କିଛି ଅନ୍ତରଙ୍ଗ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ଏହି ଘଟଣାକୁ ଅଧିକ ରହସ୍ୟମୟ କରିଛି | ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ସ୍ନେହଲତା ସାହୁ ସନ୍ଦେହ କରୁଛନ୍ତି | ଗୁରୁ ପୃଷ୍ଟିଙ୍କ ଘର କଟକ ଜିଲ୍ଲାର ମାହାଙ୍ଗା ଅଞ୍ଚଳରେ ହୋଇଥିବା ଜଣାପଡିଛି |

ଧାମନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି | ପୋଲିସ ଭାଇରାଲ ଭିଡିଓ, ଗୁରୁ ପୃଷ୍ଟିଙ୍କ ମୋବାଇଲ ଫୋନ୍ କଲ୍ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରି ଘଟଣା ପଛର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରୁଛି | ଏହି ହତ୍ୟା ଅଭିଯୋଗ ଯାତ୍ରା ଜଗତରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସମସ୍ତେ ଘଟଣାର ସତ୍ୟାସତ୍ୟ ଉପରୁ ପରଦା ହଟିବାକୁ ଅପେକ୍ଷା କରିଛନ୍ତି |
#GuruPrustyDeath #JatraComedian #MurderAllegation #OdishaCrime #DhamnagarPolice #Bhadrak #OdishaNews

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL