ନୂଆଦିଲ୍ଲୀ, ୧୩/୧୨ : ଭାରତୀୟ ରେଳବାଇ ଦ୍ୱାରା ଯାତ୍ରୀ ସେବାରେ ଆଉ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି | ଖୁବ୍ ଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରୀମାନେ ସ୍ଥାନୀୟ ତଥା ଆଞ୍ଚଳିକ ବ୍ୟଞ୍ଜନର ସ୍ୱାଦ ଚାଖିପାରିବେ | ଏହି ସୁବିଧା ପର୍ଯ୍ୟାୟକ୍ରମେ ଦେଶର ସମସ୍ତ ଟ୍ରେନରେ ଉପଲବ୍ଧ କରାଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି|
ଶୁକ୍ରବାର ରେଳ ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି| ଏହି ଅବସରରେ ରେଳ ରାଷ୍ଟ୍ରମନ୍ତ୍ରୀ ତଥା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ମଧ୍ୟ ଉପସ୍ଥିତ ଥିଲେ| ଏହି ପଦକ୍ଷେପ ଦ୍ୱାରା ଯାତ୍ରୀମାନଙ୍କର ଭ୍ରମଣ ଅନୁଭୂତି ଆହୁରି ସମୃଦ୍ଧ ହେବ, କାରଣ ଏହା ଟ୍ରେନ୍ ଯାଉଥିବା ଅଞ୍ଚଳର ସାଂସ୍କୃତିକ ଓ ପାକ ପ୍ରଣାଳୀର ବିବିଧତାକୁ ପ୍ରତିଫଳିତ କରିବ ବୋଲି ମନ୍ତ୍ରୀ ବୈଷ୍ଣବ କହିଛନ୍ତି|
ରେଳବାଇ ପୂର୍ବରୁ ହିଁ ଏ ଦିଗରେ କାର୍ଯ୍ୟ କରୁଛି | ୨୦୨୫ ଅପ୍ରେଲ ମାସରୁ ଦକ୍ଷିଣ ରେଳବାଇରେ ଏକ ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା| ଏଥିରେ ତାମିଲନାଡୁରେ ଚାଲୁଥିବା ବନ୍ଦେ ଭାରତ ଟ୍ରେନରେ ଦକ୍ଷିଣ ଭାରତୀୟ ଖାଦ୍ୟର ଅଭାବ ଏବଂ ପାଣ୍ଟ୍ରି କର୍ମଚାରୀଙ୍କ ସହ ଭାଷାଗତ ସମସ୍ୟାକୁ ନେଇ ଉଠିଥିବା ଚିନ୍ତାକୁ ଦୂର କରିବାକୁ ଚେଷ୍ଟା କରାଯାଇଥିଲା| କେରଳର ବନ୍ଦେ ଭାରତ ଟ୍ରେନଗୁଡ଼ିକରେ ଗତ ଅକ୍ଟୋବର ମାସରୁ ସ୍ଥାନୀୟ ବ୍ୟଞ୍ଜନ ଯଥା ଥାଲସେରୀ ଭେଜ୍ ବିରିୟାନୀ, ଆଲପ୍ପି ଭେଜ୍ କରି, ଵରୁଥାରାଚା ଚିକେନ କରି ଇତ୍ୟାଦି ସାମିଲ କରାଯାଇଛି, ଯାହାକୁ ଯାତ୍ରୀମାନେ ଖୁବ୍ ପସନ୍ଦ କରିଛନ୍ତି|
ଭାରତୀୟ ରେଳବାଇର କ୍ୟାଟରିଂ ଶାଖା IRCTC (Indian Railway Catering and Tourism Corporation) ମଧ୍ୟ କେତେକ ବନ୍ଦେ ଭାରତ ଓ ଅମୃତ ଭାରତ ଟ୍ରେନରେ ବ୍ରାଣ୍ଡେଡ୍ ମିଲ୍ ସେବା ପାଇଁ ପରୀକ୍ଷାମୂଳକ ଭାବେ କାର୍ଯ୍ୟ ଆରମ୍ଭ କରିଛି | ଏହି ପରିକଳ୍ପନା (Proof of Concept – PoC) ଅଧୀନରେ ଖାଦ୍ୟ ପ୍ରସ୍ତୁତି ଏବଂ ପରିବେଷଣକୁ ଅଲଗା କରାଯାଇଛି | ପ୍ରତିଷ୍ଠିତ ଖାଦ୍ୟ ଓ ପାନୀୟ ବ୍ରାଣ୍ଡ୍, ଶିଳ୍ପ ରୋଷେଇଶାଳା, ରେଷ୍ଟୁରାଣ୍ଟ ଚେନ୍ ଏବଂ ଫ୍ଲାଇଟ୍ କ୍ୟାଟରମାନଙ୍କୁ ସ୍ୱଚ୍ଛ ତଥା ଉଚ୍ଚମାନର ଖାଦ୍ୟ ଯୋଗାଇବା ପାଇଁ ସାମିଲ କରାଯାଉଛି| ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟ୍ରେନରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଅଧିକ ବ୍ୟକ୍ତିଗତ ତଥା ପ୍ରାମାଣିକ ଭୋଜନ ବିକଳ୍ପ ପ୍ରଦାନ କରିବା| ଏହା ଖାଦ୍ୟର ଗୁଣବତ୍ତା ବୃଦ୍ଧି କରିବା ସହିତ ଆଞ୍ଚଳିକ ଖାଦ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବ |
ପୂର୍ବରୁ କିଛି ଯାତ୍ରୀ ଟ୍ରେନରେ ଉପଲବ୍ଧ ଖାଦ୍ୟର ଏକଘିଆ ମେନୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ | ଏବେ ଏହି ନୂତନ ପଦକ୍ଷେପ ଦ୍ୱାରା ଯାତ୍ରୀମାନେ ଯାତ୍ରା କରୁଥିବା ଅଞ୍ଚଳର ପ୍ରସିଦ୍ଧ ବ୍ୟଞ୍ଜନର ସ୍ୱାଦ ଚାଖିପାରିବେ | ଉଦାହରଣସ୍ୱରୂପ, ନାଗପୁର-ସିକନ୍ଦରାବାଦ ବନ୍ଦେ ଭାରତ ଏକ୍ସପ୍ରେସରେ ହାଲଦିରାମ (ନାଗପୁର) ଏବଂ ଏଲିଅର (ସିକନ୍ଦରାବାଦ) ଭଳି ପ୍ରତିଷ୍ଠିତ ବ୍ରାଣ୍ଡ ଦ୍ୱାରା ଖାଦ୍ୟ ଯୋଗାଇ ଦିଆଯାଉଛି| ଏହି ସେବାଗୁଡିକ କେବଳ ବନ୍ଦେ ଭାରତରେ ସୀମିତ ନରହି ରାଜଧାନୀ, ଶତାବ୍ଦୀ, ଦୁରନ୍ତୋ ଭଳି ପ୍ରିମିୟମ ଟ୍ରେନରେ ମଧ୍ୟ ଲାଗୁ ହେବ| ଏହି ପରିବର୍ତ୍ତନ ଭାରତର ସମୃଦ୍ଧ ପାକ ପ୍ରଣାଳୀର ଐତିହ୍ୟକୁ ପ୍ରୋତ୍ସାହିତ କରିବା ସହିତ ସ୍ଥାନୀୟ ବ୍ୟବସାୟ ଓ ଖାଦ୍ୟ ଉତ୍ପାଦକମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇବ|
#VandeBharat #IndianRailways #LocalCuisine #AshwiniVaishnaw #Railways #IRCTC #RegionalFood #TrainTravel #FoodOnWheels









