କର୍ଣ୍ଣାଟକ : ପରିବେଶ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବୈଠକରେ ପ୍ଲାଷ୍ଟକ୍ ପାଣି ବୋତଲର ବ୍ୟବହାର ନକରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଇଛନ୍ତି । ଯାହାଦ୍ବାରା ପ୍ଲାଷ୍ଟିକ ଅପଚୟର ସମସ୍ୟାକୁ ରୋକାଯାଇପାରିବ ।
ସୂଚନାନୁଯାୟୀ, ପୂର୍ବରୁ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏହି ନିଷ୍ପତ୍ତିକୁ କଡ଼ାକଡ଼ି ଲାଗୁ କରାଯିବା ଉଚିତ୍ । ଏହି ନିୟମ ପାଳନ କରିବାକୁ ସମସ୍ତ ବିଭାଗର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସରକାରୀ କାର୍ଯ୍ୟକ୍ରମ ଏବଂ ବୈଠକରେ ନନ୍ଦିନୀ କ୍ଷୀରର ଉତ୍ପାଦ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଆୟୋଜିତ ହେଉଥିବା ବୈଠକରେ ଚା, କଫି, କ୍ଷୀର କେବଳ ନନ୍ଦିନୀ ବ୍ରାଣ୍ଡର ଉତ୍ପାଦ ହେବ ।
ସରକାରଙ୍କ ଏଭଳି ନିଷ୍ପତ୍ତି କେବଳ ପ୍ଲାଷ୍ଟିକ ପ୍ରଦୂଷଣକୁ ହ୍ରାସ କରିବ ନାହିଁ ବରଂ ରାଜ୍ୟର ଦୁଗ୍ଧ ଶିଳ୍ପକୁ ମଧ୍ୟ ମଜବୁତ କରିବ । ତେଣୁ ଏହି ନିଷ୍ପତ୍ତିକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।





