ଓଡ଼ିଶା

ଦଶପଲ୍ଲାରେ ଆତ୍ମଗୋପନ କରିଛନ୍ତି ମାଓବାଦୀ, କମ୍ବିଂ ଅପରେସନ ଜାରି

ଦଶପଲ୍ଲା: ଛତିଶଗଡ଼ ଓ ଓଡ଼ିଶାର ମାଓ ଉପଦ୍ରୁତ ଜିଲାଗୁଡ଼ିକରେ ଯବାନଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି। ଏଥିପାଇଁ ଛତିଶଗଡ଼ର ଏକ ଛାମୁଆ ମାଓ ସଙ୍ଗଠନ ନୟାଗଡ଼, ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାନ୍ତ ଅଞ୍ଚଳରେ ଆତ୍ମଗୋପନ କରିଥିବା ଗୁଇନ୍ଦା ସୂଚନା ଆଧାରରେ ଦଶପଲ୍ଲାରେ ଶୁକ୍ରବାର ରାତିରୁ କମ୍ବିଂ ଅପରେସନ ଜାରି ରହିଛି। ୪ ଦିନ ପୂର୍ବେ ୫୦ ଜଣ ସଶସ୍ତ୍ର କ୍ୟାଡର ମାଓବାଦୀ ଦୁଇ ଭାଗରେ ବିଭକ୍ତ ହୋଇ ଦଶପଲ୍ଲାର ଦୁର୍ଗମ ହଣାଡିହ ଜଙ୍ଗଲରୁ ଗଞ୍ଜାମ ଜିଲା ହାତୀଗଡ଼ ପର୍ଯ୍ୟନ୍ତ ଚଳପ୍ରଚଳ କରୁଥିବା ଜଣାପଡ଼ିଥିଲା। ଏଥିପାଇଁ ଏସଓଜି ଓ ଡିଭିଏଫ ଯବାନମାନେ ତଲାସି ଚଳାଇ ଥିଲେ। ମାତ୍ର ଏତେ ବଡ଼ ଜଙ୍ଗଲ ଓ ପାହାଡ଼ ଅଞ୍ଚଳ ହୋଇଥିବାରୁ ଆବଶ୍ୟକ ସଂଖ୍ୟକ ଯବାନ ନଥିବା ଦୃଷ୍ଟିରୁ ସେମାନେ ଫେରି ଆସିଥିଲେ। ଶୁକ୍ରବାର ରାତିରୁ ଅଧିକ ସଂଖ୍ୟକ ଯବାନଙ୍କୁ ନେଇ ପୁନଃ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ସୂଚନା ଅନୁସାରେ, ମାଓବାଦୀମାନେ ଗଞ୍ଜାମର ଗସମା, ଦଶପଲ୍ଲାର ତାମୁଣ୍ଡି-ଭିରୁଡ଼ା, କନ୍ଧମାଳ ଜିଲାର ପାହାଡ଼ିଆ ଅଞ୍ଚଳ, ବୌଦ୍ଧ ଏବଂ ନୟାଗଡ଼ ଜିଲା ସୀମାନ୍ତ ମହାନଦୀ ଅଭୟାରଣ୍ୟର ଲଙ୍ଗଳ ଖୋଲ ଓ ବାଇଶିପଲିର କେତେକ ଗାଁ ମାଓବାଦୀଙ୍କ ଆଶ୍ରୟସ୍ଥଳ ପାଲଟିଛି। ସୂଚନା ପରେ ପ୍ରବଳ ଥଣ୍ଡା ଓ କୁହୁଡ଼ି ସତ୍ତ୍ବେ ଯବାନମାନେ ୨୪ ଘଣ୍ଟା ହେଲା ଜଙ୍ଗଲ ଓ ପାହାଡ଼ ଉପରେ ଥିବା ଆଦିବାସୀ ଗାଁ, ଗୁମ୍ଫା, ବଡ଼ ପଥର ଚଟାଣରେ ତଲାସି ଅଭିଯାନ ଜାରି ରଖିଛନ୍ତି।

ଅନ୍ୟପକ୍ଷରେ ଦଶପଲ୍ଲା ବନାଞ୍ଚଳରେ ବାଘ ଗଣନା ପାଇଁ ୨୪ଟି ୟୁନିଟ୍‌ ଦ୍ବାରା ଗଣନା କରାଯିବାକୁ ଯୋଜନା ହୋଇଥିଲେ ହେଁ ମାଓବାଦୀଙ୍କ ଗତିବିଧି ଜଣାପଡ଼ିବା ପରେ ୧୫ଟି ୟୁନିଟ୍‌ରେ ସମ୍ପୂର୍ଣ୍ଣ ଗଣନାକୁ ବନ୍ଦ ରଖାଯାଇଛି। ଏହି ମାଓବାଦୀଙ୍କ ସହ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଥିବା ସନ୍ଦେହ କରାଯାଉଛି। ମାଓ ଦମନ ପାଇଁ ୮ଟି ବସ୍‌ରେ ଯବାନଙ୍କୁ ଅଣାଯାଇ ନିର୍ଦିଷ୍ଟ ଜଙ୍ଗଲରେ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL