ଓଡ଼ିଶା

୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ କାରବାର। ୩୦ ହଜାର ଟଙ୍କା ନେବାବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ କାରବାର ଅଭିଯୋଗ। ଏକ ଏନଜିଓ କର୍ମକର୍ତ୍ତାଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ଆସିଷ୍ଟାଣ୍ଟ ସର୍ଜନ ଡାକ୍ତର ସତ୍ୟଜିତ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ଧରିଥିବା ସୂଚନା। କ୍ୟାପିଟାଲ ହସ୍ପିଟାଲର କାଜୁଆଲଟିକୁ ଚିକିତ୍ସା ପାଇଁ ଆସୁଥିବା ଅଜଣା ଓ ଅସହାୟ ରୋଗୀଙ୍କୁ ସହାୟତା କରିବା ପାଇଁ ଏକ ଏନଜିଓକୁ ନିୟୋଜିତ କରାଯାଇଥିଲା।

ଏହି କାମରେ ଏନଜିଓ ପକ୍ଷରୁ କର୍ମଚାରୀମାନେ ନିୟୋଜିତ ଥିଲେ। ଏହି କର୍ମଚାରୀଙ୍କ ଜୁନ୍ ଓ ଜୁଲାଇ ୨ ମାସର ଦରମା ବିଲ୍ ପାସ୍ କରାଇବା ପାଇଁ ଆବଶ୍ୟକ ୱାର୍କ ସାର୍ଟିଫିକେଟ୍ ରେ ଡାକ୍ତର ବେହେରାଙ୍କ ଦସ୍ତଖତ ଆବଶ୍ୟକ ଥିଲା। ଅଭିଯୋଗ ଅନୁସାରେ, ଏନଜିଓର ଜଣେ କର୍ମକର୍ତ୍ତା ଗତ ଜୁନ୍ ମାସରୁ ଏଥିପାଇଁ ଡାକ୍ତର ବେହେରାଙ୍କୁ ଅନୁରୋଧ କରିଆସୁଥିଲେ। ତେବେ ୱାର୍କ ସାର୍ଟିଫିକେଟରେ ଦସ୍ତଖତ କରିବା ବଦଳରେ ଡାକ୍ତର ବେହେରା ୩୦ ହଜାର ଟଙ୍କା ଦାବି କରିଥିବା ଭିଜିଲାନ୍ସ ଅଭିଯୋଗ କରିଛି।

ବାରମ୍ବାର ଲାଞ୍ଚ ଦାବି ଓ ହଇରାଣ ହେବା ପରେ ସମ୍ପୃକ୍ତ ଏନଜିଓ କର୍ମକର୍ତ୍ତା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଜାଲ ବିଛାଯାଇଥିଲା। ଆଜି ଏନଜିଓ କର୍ମକର୍ତ୍ତାଙ୍କଠାରୁ ୩୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଡାକ୍ତର ସତ୍ୟଜିତ ବେହେରାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିବା କହିଛି।

ତାଙ୍କ ନିକଟରୁ ଲାଞ୍ଚ ବାବଦରେ ଦିଆଯାଇଥିବା ସମ୍ପୂର୍ଣ୍ଣ ୩୦ ହଜାର ଟଙ୍କା ଜବତ କରାଯାଇଛି।ଟ୍ରାପ୍ ପରେ ଆୟ ବହିର୍ଭୂତ ସମ୍ପତ୍ତି ଦିଗକୁ ମଧ୍ୟ ଭିଜିଲାନ୍ସ ତଦନ୍ତ ବଢ଼ାଇଛି। ଡାକ୍ତର ବେହେରାଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଓ ତଲାସି ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL