ଓଡ଼ିଶା

ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଛାଡ଼ିବ ମୌସୁମୀ ବାୟୁ: କମିବ ବର୍ଷା, ଅସହ୍ୟ ଗୁଳୁଗୁଳି ନେଇ ଆଲର୍ଟ

ଭୁବନେଶ୍ୱର: ରାଜ୍ୟର ପାଣିପାଗ ଏବେ ପୁଣି ଥରେ ଖରାପ ରୂପ ନେବାର ଆଶଙ୍କା ଦେଖାଦେଇଛି । ସେପ୍ଟେମ୍ବର ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବଂ ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ଏକାଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଭଳି ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକ ଏବେ ବି ସେହି କ୍ଷୟକ୍ଷତିରୁ ସମ୍ପୂର୍ଣ୍ଣ ମୁକୁଳି ନଥିବା ବେଳେ, ଏବେ ପୁଣି ଏକ ସମାନ ଧରଣର ସିଷ୍ଟମ୍ ଘନୀଭୂତ ହେଉଥିବା ଜଣାପଡ଼ିଛି ।

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ଦାନା ବାନ୍ଧୁଥିବାରୁ ଓଡ଼ିଶା ପାଇଁ ପୁଣି ଥରେ ସତର୍କ ଘଣ୍ଟି ବାଜିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା କିଛି ଦିନ ମଧ୍ୟରେ ଏହି ନୂଆ ସିଷ୍ଟମ୍ ଓଡ଼ିଶା ଉପକୂଳରେ ପ୍ରଭାବ ପକାଇପାରେ, ଯାହା ଫଳରେ ଏକାଧିକ ଜିଲ୍ଲାରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ, ରାଜ୍ୟରେ ଏବେ ପବନର ଦିଗ ଏବଂ ଗତିବିଧିରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଏହି ପରିବର୍ତ୍ତିତ ପବନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଦିଗରେ ଏକ ସ୍ପଷ୍ଟ ସଙ୍କେତ ଦେଉଛି । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଆସନ୍ତା ଅକ୍ଟୋବର ୧ ତାରିଖ ସୁଦ୍ଧା ମୌସୁମୀ ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇଯିବ ଏବଂ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହା ସମ୍ପୂର୍ଣ୍ଣ ରୂପେ ଓଡ଼ିଶା ଛାଡ଼ିବାର ସମ୍ଭାବନା ରହିଛି । ମୌସୁମୀର ଏହି ପ୍ରତ୍ୟାବର୍ତ୍ତନ କାରଣରୁ ରାଜ୍ୟରେ ବର୍ଷାର ପରିମାଣ ଧୀରେ ଧୀରେ କମିବ ଏବଂ ଆକାଶ ମୁଖ୍ୟତଃ ମେଘମୁକ୍ତ ରହିବ ।

କିନ୍ତୁ ମୌସୁମୀର ବିଦାୟ ପରେ ରାଜ୍ୟବାସୀଙ୍କୁ ଏକ ଭିନ୍ନ ପ୍ରକାରର ପାଣିପାଗର ସାମ୍ନା କରିବାକୁ ପଡ଼ିବ, ଯାହା ହେଉଛି ‘ଅକ୍ଟୋବର ତାତି’ । ବର୍ଷା କମିବା ସହ ଆକାଶ ସଫା ରହିବା ଫଳରେ ସୂର୍ଯ୍ୟଙ୍କ କିରଣ ସିଧାସଳଖ ଭୂପୃଷ୍ଠରେ ପଡ଼ିବ। ଏଥିସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ଅକ୍ଟୋବର ମାସରେ ସାଧାରଣତଃ ତାପମାତ୍ରା ୩୫ ରୁ ୩୮ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବା ସହ ଏହି ଅସହ୍ୟ ଗୁମ୍‌ସୁମ୍ ପାଗ ଲୋକଙ୍କୁ ହନ୍ତସନ୍ତ କରିଥାଏ । ତେଣୁ ଗୋଟିଏ ପଟେ ଯାଉ ଯାଉ ମୌସୁମୀ ଓ ଲଘୁଚାପ ଡରାଉଥିବା ବେଳେ, ଅନ୍ୟପଟେ ଅକ୍ଟୋବରର ପ୍ରଚଣ୍ଡ ତାତି ସାଧାରଣ ଜନଜୀବନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL