ଜାତୀୟ

ଇରାନର ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ, ପଶ୍ଚିମ ଏସିଆରେ ପୁଣି ବଢ଼ିପାରେ ଉତ୍ତେଜନା

ୱାଶିଂଟନ: ପଶ୍ଚିମ ଏସିଆରେ ଉତ୍ତେଜନା ପୁନର୍ବାର ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯଦି ଆମେରିକାର ସର୍ତ୍ତଗୁଡ଼ିକୁ ଗ୍ରହଣ କରେ, ତେବେ ସେ ସାତ ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ଇରାନ ପ୍ରସ୍ତାବ ଦେଇଥିଲା। ଆମେରିକାର ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ରିପୋର୍ଟରେ ଦାବି କରାଯାଇଛି ଯେ ଟ୍ରମ୍ପ ତାଙ୍କ ପରାମର୍ଶଦାତା ଏବଂ ନିକଟତମ ସହଯୋଗୀମାନଙ୍କୁ କହିଛନ୍ତି ଯେ ନଭେମ୍ବରରେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଇରାନ ବିରୋଧରେ ପୁଣି ଥରେ ବୋମା ମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଟ୍ରମ୍ପ୍ ଜାତିସଂଘ ସାଧାରଣ ପରିଷଦରେ ଇରାନର ଭବିଷ୍ୟତ ସମ୍ପର୍କରେ କହିଥିଲେ ଯେ ତାଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ, ଆଲୋଚନା ମାଧ୍ୟମରେ ଇରାନକୁ ପୁଣି ଥରେ ଶକ୍ତିଶାଳୀ ହେବାର ସୁଯୋଗ ଦିଆଯିବ ନା ଇସଲାମିକ ଗଣରାଜ୍ୟ ଉପରେ ବଡ଼ ଧରଣର ଆକ୍ରମଣ କରି ଏହାକୁ ଧ୍ବଂସ କରାଯିବ। ନିର୍ବାଚନ ସମାପ୍ତ ହେବା ପରେ ଏକ ନୂତନ ଚୁକ୍ତି ହେବାର ସମ୍ଭାବନା ଅଧିକ।ସୂଚନାଥାଉ କି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି ଘୋଷଣା କରିଥିଲେ ଯେ ସେ ପଶ୍ଚିମ ଏସିଆରେ ଶାନ୍ତି ଫେରାଇ ଆଣିବା ପାଇଁ ମଧ୍ୟସ୍ଥତା ମାଧ୍ୟମରେ ଆମେରିକା ନିକଟକୁ ଏକ ସାତ ଦିନିଆ ଯୁଦ୍ଧ ବିରତି ଯୋଜନା ନେଇ ଏକ ଡ୍ରାଫ୍ଟ ପଠାଇଛନ୍ତି।

ଏହି ଯୋଜନାରେ ଉଲ୍ଲେଖିତ ସର୍ତ୍ତାବଳୀ କାର୍ଯ୍ୟକାରୀ ହେବା ପରେ ସପ୍ତମ ଦିନରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ଜାହାଜ ଚଳାଚଳ ପାଇଁ ଖୋଲାଯିବ ଏବଂ ଦୁଇ ଦେଶ ମଧ୍ୟରେ ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା ପୁଣି ଆରମ୍ଭ ହେବ। ଆରାଘଚିଙ୍କ ଅନୁଯାୟୀ, ଏହି ଡ୍ରାଫ୍ଟ ଜୁନ୍ ମାସରେ ହୋଇଥିବା ଚୁକ୍ତି ଉପରେ ଆଧାରିତ ଥିଲା। ଜର୍ମାନ ବୈଦେଶିକ ମନ୍ତ୍ରୀ ଜୋହାନ ୱାଡେଫୁଲଙ୍କ ସହ ତାଙ୍କର ସାକ୍ଷାତ ସମୟରେ ଇରାନ ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ, ତେହେରାନ କୂଟନୀତି ପାଇଁ ନିରପେକ୍ଷ ଏବଂ ଯୁକ୍ତିଯୁକ୍ତ ସର୍ତ୍ତାବଳୀ ରଖିଛି। ସେ ଜୋର ଦେଇ କହିଥିଲେ ଯେ ପଶ୍ଚିମ ଏସିଆରେ ସୁରକ୍ଷା କେବଳ ସେତେବେଳେ ସମ୍ଭବ ହେବ ଯେତେବେଳେ ଆମେରିକା ଆକ୍ରମଣାତ୍ମକ ଏବଂ ହସ୍ତକ୍ଷେପକାରୀ ନୀତି ବନ୍ଦ କରିବ। ଆରାଘଚି ଅଭିଯୋଗ କରିଥିଲେ, କୂଟନୈତିକ ଆଲୋଚନା ଚାଲିଥିବା ବେଳେ ଆମେରିକା ଏବଂ ଇସ୍ରାଏଲ ଆକ୍ରମଣ କରିଥିଲେ। ଏଥିସହ ଇରାନ ବିରୋଧରେ ସାମୁଦ୍ରିକ ବାଣିଜ୍ୟ ବାଧା ସୃଷ୍ଟି କରୁଥିବାର ଅଭିଯୋଗ ଆଣିଥିଲେ।ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିୟାନ ଫକ୍ସ ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ ଜୁନ୍ ଚୁକ୍ତିନାମା ଭଙ୍ଗ ପାଇଁ ଆମେରିକାର ନେତୃତ୍ୱକୁ ଦାୟୀ କରିଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL