ଓଡ଼ିଶା

MMDR ବିଲ୍ ପ୍ରତ୍ୟାହାର ଦାବିରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: MMDRକୁ ନେଇ ଗର୍ଜିଲା ବିଜେଡି। ଗାନ୍ଧୀ ମାର୍ଗରେ MMDR ବିଲ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ। ବିଧାନସଭାରେ କକ୍ଷତ୍ୟାଗ କରି ଧାରଣାରେ ବିଜେଡି ବିଧାୟକ। ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ ସହ ବିଧାନସଭା ଘେରାଉ କରୁଛି BJD । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେଡି ନେତ୍ରୀ ସୁଜାତା ରାଉତ ନେତୃତ୍ଵ ନେଇଛନ୍ତି । MMDR ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ପ୍ରତି ଜିଲ୍ଲାକୁ ବ୍ୟାପିବ ବୋଲି ବିଜେଡି କହିଛି ।

ଏହି ବିଶାଳ ଗଣଧାରଣାରେ ବଢ଼ୁଛି ଆନ୍ଦୋଳନକାରୀଙ୍କ ସଂଖ୍ୟା। ସାମିଲ ହେଉଛନ୍ତି ହଜାର ହଜାର ବିଜେଡି କର୍ମୀ ଓ ନେତା। ବିଜୁ ଯୁବ, ଛାତ୍ର, ମହିଳା ଏବଂ କୃଷକ ମୋର୍ଚ୍ଚା – ସମସ୍ତେ ଏହି ଭିକ୍ଷୋଭ ରେ ସାମିଲ ହେଉଛନ୍ତି। MMDR ସଂଶୋଧନ ଆଇନକୁ BJD ‘କଳା ଆଇନ’ ବୋଲି ଅଭିହିତ କରିଛି। ନବୀନ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ଏବଂ ସାଢେ ଚାରି କୋଟି ଓଡ଼ିଆଙ୍କ ହକ୍ ପାଇଁ ଆମେ ଆଜି ଏକାଠି ହୋଇଛେ । ଜେନ୍-ଜିଙ୍କ ଭବିଷ୍ୟତ ପାଇଁ ଆମେ ଏ ଲଢେଇ ଲଢୁଛେ । MMDR ସଂଶୋଧିତ ବିଲ୍ ଏକ ସାଧାରଣ ବିଲ୍ ନୁହେଁ । ରାଜ୍ୟର ଅଧିକାର ସହ ଏ ବିଲ୍ ଜଡିତ । ଓଡ଼ିଶାର ଖଣି, ଓଡ଼ିଶାର ଜମି ଉପରେ ଓଡ଼ିଶାବାସୀ ହେଉଛନ୍ତି ମାଲିକ । ଦୁଃଖର କଥା ବିନା ଆଲୋଚନାରେ ଏ ଭଳି ଗୁରୁତ୍ଵପୂର୍ଣ୍ଣ ବିଲ୍ ପାସ୍ ହୋଇଗଲା । କାହା ସ୍ୱାର୍ଥରେ ଆମର ୨୦ ଜଣ ବିଜେପି ଏମପି ଚୁପ ବସିଲେ ? ଓଡ଼ିଶା ସରକାର ବି ଚୁପ୍ ରହିଲେ ।

ଦଳର ଅଭିଯୋଗ, ଏହି ସଂଶୋଧନ ଆଇନ ଖଣି ଓ ଖଣିଜ ସମ୍ପଦ ଥିବା ଜମି ଉପରେ ରାଜ୍ୟର ଅଧିକାରକୁ ସଙ୍କୁଚିତ କରିଛି । ଏହା ସଂଘୀୟ ବ୍ୟବସ୍ଥା ଉପରେ ଆଘାତ । ଦେଶର ପ୍ରାୟ ୪୪ ପ୍ରତିଶତ ଖଣିଜ ସମ୍ପଦ ଓଡ଼ିଶାରେ ଥିବାରୁ ନୂଆ ବ୍ୟବସ୍ଥାରେ ରାଜ୍ୟ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ବିଜେଡି ଦାବି କରିଛି । MMDR ସଂଶୋଧନ ଆଇନ ପ୍ରତ୍ୟାହାର କରାଯାଉ କିମ୍ବା ଏହାକୁ ସ୍ଥଗିତ ରଖାଯାଉ ବୋଲି ଦଳ ଦାବି କରିଛି । ଏହାସହ ଆଇନ ପ୍ରତ୍ୟାହାର ଦାବିରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଆଣିବାକୁ ବିଜେଡି ରାଜ୍ୟ ସରକାରଙ୍କୁ କହିଛି ।

ସେପଟେ MMDRକୁ ନେଇ ବିଜେଡି ଆନ୍ଦୋଳନ ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ବିଜେଡି ସବୁବେଳେ ବିରୋଧ କରେ, GST ଲାଗୁ ହେବା ସମୟରେ GSTକୁ ବିରୋଧ କରୁଥିଲେ । ୧୫ ହଜାର କୋଟି ଟଙ୍କା ହେଉଛି, ଆମକୁ ଅଧିକ ଟଙ୍କା ପାଇବା ଦରକାର, ୬୧ ହଜାର କୋଟି ଟଙ୍କା ମିଳିଲା ସେମାନେ ଚୁପ୍ ହେଲେ । ଖଣିରେ ୪ ହଜାର କୋଟି ମିଳୁଥିଲା, ୫ ହଜାର କୋଟି ବି ମିଳୁ ନଥିଲା । ୨୦୧୪ ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୫ ରେ ପ୍ରଧାନମନ୍ତ୍ରୀ ପଲିସି ଆଣିବା ପରେ ଆମ ରାଜ୍ୟ କ୍ଷତି ସହିବ ବୋଲି ସେମାନେ ଅଭିଯୋଗ କରୁଥିଲେ । ଏବେ ଆମେ ୫୪ ରୁ ୫୬ ହଜାର କୋଟି ପର୍ଯ୍ୟନ୍ତ ପାଉଛନ୍ତି । ସେମାନେ ବିରୋଧ କଣ ପାଇଁ କରୁଛନ୍ତି ବୁଝି ହେଉନି । ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ହୋଇଥିଲେ ଦାୟିତ୍ୱ ସମ୍ପନ୍ନ ବ୍ୟବହାର କରିଥାନ୍ତେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL