ଜାତୀୟ

ବକେୟା ଟ୍ରାଫିକ୍ ଇ-ଚାଲାଣକୁ ବିଦ୍ୟୁତ୍ ବିଲ୍ ସହ ଯୋଡ଼ି ଜରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ବିଦ୍ୟୁତ ବିଲ୍ ସହ ଯୋଡ଼ିହେବ ଟ୍ରାଫିକ ଚାଲାଣ । ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ କେବଳ ଇ-ଚାଲାଣ କାଟିଦେଲେ ହେବନି, ଜରିମାନା ଟଙ୍କା କିପରି ଆଦାୟ ହେବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ । ବର୍ଷ ବର୍ଷ ଧରି ଇ-ଚାଲାଣ ବକେୟା ରଖୁଥିବା ଗାଡ଼ି ମାଲିକଙ୍କଠାରୁ ଜରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ ଏକ ନୂଆ ଉପାୟ ଉପରେ ବିଚାର କରିବାକୁ କହିଛନ୍ତି । ବକେୟା ଟ୍ରାଫିକ୍ ଇ-ଚାଲାଣକୁ ବିଦ୍ୟୁତ୍ ବିଲ୍ ସହ ଯୋଡ଼ି ଜରିମାନା ଆଦାୟ କରାଯାଇପାରିବ କି ନାହିଁ, ସେନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ବିଚାର କରିବାକୁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି ।

ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍ କେ.ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ ଏସ୍. ରାଜଶେଖରନ ବନାମ ଭାରତ ସରକାର ମାମଲାରେ ଟ୍ରାଫିକ୍ ନିୟମର ଇଲେକ୍ଟ୍ରୋନିକ୍ ଏନଫୋର୍ସମେଣ୍ଟ ଓ ବକେୟା ଇ-ଚାଲାଣ ଆଦାୟ ପ୍ରସଙ୍ଗରେ ଶୁଣାଣି କରିବା ସମୟରେ ଏହି ପ୍ରସ୍ତାବ ଦେଇଛନ୍ତି । ଖଣ୍ଡପୀଠଙ୍କ ମତରେ, ପୋଲିସ ହଜାର ହଜାର କିମ୍ବା ଲକ୍ଷ ଲକ୍ଷ ଇ-ଚାଲାଣ ଜାରି କରିପାରେ । କିନ୍ତୁ କେବଳ ଚାଲାଣ କାଟିବା ଯଥେଷ୍ଟ ନୁହେଁ । ମୁଖ୍ୟ ପ୍ରଶ୍ନ ହେଉଛି ଜରିମାନା ଟଙ୍କାର ଆଦାୟ । କୋର୍ଟଙ୍କୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୪୫ ହଜାର କୋଟି ଟଙ୍କାର ଇ-ଚାଲାଣ ଆଦାୟ ହେବାକୁ ଥିଲା । ସେଥିମଧ୍ୟରୁ ପ୍ରାୟ ୨୫ ହଜାର କୋଟି ଟଙ୍କା ଆଦାୟ ହୋଇଛି ।

ଅର୍ଥାତ୍ ପ୍ରାୟ ୨୦ ହଜାର କୋଟି ଟଙ୍କା ଏବେ ବି ବକେୟା ରହିଛି । ଏହି ପରିପ୍ରେକ୍ଷୀରେ ବକେୟା ଟ୍ରାଫିକ୍ ଜରିମାନାକୁ ବିଦ୍ୟୁତ୍ ବିଲ୍ ସହ ଯୋଡ଼ିବାର ସମ୍ଭାବନା ଖୋଜିବାକୁ କୋର୍ଟ କହିଛନ୍ତି । ବିଦ୍ୟୁତ୍ ବିଲ୍ ଦେବାକୁ ଲୋକେ ବାଧ୍ୟ ହେଉଥିବାରୁ ଏହା ସହ ବକେୟା ଚାଲାଣ ଯୋଡ଼ାଗଲେ ଜରିମାନା ଆଦାୟର ଏକ ପ୍ରଭାବୀ ଉପାୟ ହୋଇପାରେ ବୋଲି ଶୁଣାଣି ସମୟରେ ମତ ପ୍ରକାଶ ପାଇଛି । ତେବେ ବକେୟା ଚାଲାଣକୁ ବିଦ୍ୟୁତ୍ ବିଲ୍ ରେ ଯୋଡ଼ିବା ପାଇଁ ସୁପ୍ରିମକୋର୍ଟ ଏପର୍ଯ୍ୟନ୍ତ କୌଣସି ଦେଶବ୍ୟାପୀ ନିର୍ଦ୍ଦେଶ ଜାରି କରିନାହାନ୍ତି । ଶୁଣାଣି ସମୟରେ ଏହାକୁ ଜରିମାନା ଆଦାୟର ଏକ ସମ୍ଭାବ୍ୟ ଉପାୟ ଭାବେ ପ୍ରସ୍ତାବ ଦିଆଯାଇଛି ।

ଏହା ସହ ବକେୟା ଚାଲାଣ ଥିଲେ ଗାଡ଼ିର RC ନବୀକରଣ ନକରିବା, ମାଲିକାନା ପରିବର୍ତ୍ତନ ଉପରେ ରୋକ୍, ପରିବହନ ପୋର୍ଟାଲରେ ଗାଡ଼ିକୁ ବ୍ଲାକ୍ ଲିଷ୍ଟ କରିବା, ଫିଟନେସ୍ ଓ PUC ସାର୍ଟିଫିକେଟ୍ ଅଟକାଇବା ଏବଂ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ନକରିବା ଭଳି ଅନ୍ୟ କେତେକ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଛି । ରାସ୍ତାରେ ଅଚାନକ ଗାଡ଼ି ଯାଞ୍ଚ ସମୟରେ ବକେୟା ଇ-ଚାଲାଣ ଥିବା ଜଣାପଡ଼ିଲେ ଗାଡ଼ିକୁ ଜବତ କରିବା ଭଳି ପଦକ୍ଷେପ ଉପରେ ବିଚାର କରିବାକୁ ମଧ୍ୟ ଖଣ୍ଡପୀଠ ପ୍ରସ୍ତାବ ଦେଇଛନ୍ତି । ଏହି ମାମଲା ୨୦୧୨ରେ କୋଏମ୍ବାଟୁରର ଅର୍ଥୋପେଡିକ୍ ସର୍ଜନ ଏସ୍. ରାଜଶେଖରନଙ୍କ ପକ୍ଷରୁ ଦାୟର ହୋଇଥିବା ସଡ଼କ ସୁରକ୍ଷା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଏକ ଅଂଶ । ଦୀର୍ଘ ବର୍ଷ ଧରି ଦିଆଯାଇଥିବା ନିର୍ଦ୍ଦେଶ ବାସ୍ତବ କ୍ଷେତ୍ରରେ କେତେଦୂର କାର୍ଯ୍ୟକାରୀ ହୋଇଛି, ତାହା ଉପରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL