ଝାନ୍ସୀ : ଉତ୍ତରପ୍ରଦେଶ ଝାନ୍ସୀ ଜିଲ୍ଲାର ମଉରାନୀପୁର ଥାନା ଅନ୍ତର୍ଗତ ଅଞ୍ଚଳରେ ଶ୍ରାଦ୍ଧ କର୍ମ କରୁଥିବା ବେଳେ ବଡ଼ ଅଘଟଣ । ରାନୀପୁର ଦେବରିପୁରା ଗାଁରେ ସୁଖନଇ ନଦୀରେ ବୁଡ଼ିଯିବା ଯୋଗୁଁ ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଳିଯାଇଛି । ମୃତକଙ୍କ ମଧ୍ୟରେ ବାପା, ପୁଅ, ଭଣଜା, ଭାଣେଜି ଏବଂ ଅନ୍ୟ ଜଣେ ବ୍ୟକ୍ତି ରହିଛନ୍ତି । ତେବେ ପରସ୍ପରକୁ ବଞ୍ଚାଇବା ଚେଷ୍ଟା କରି ୫ ଜଣଙ୍କ ମୃତ୍ୟୁ ହୋଇଛି ।
ଖବର ମୁତାବକ, ଝାନ୍ସୀ ଜିଲ୍ଲାର ମଉରାନୀପୁର ଥାନା ଅନ୍ତର୍ଗତ ସୁଖନଇ ନଦୀ କୂଳରେ ପରିବାର ଲୋକ ଶ୍ରାଦ୍ଧ କର୍ମ କରୁଥିବା ବେଳେ ଜଣେ ବ୍ୟକ୍ତି ସନ୍ତୁଳନ ହରାଇ ପାଣିରେ ପଡ଼ିଯାଇଥିଲେ । ତାଙ୍କୁ ବଞ୍ଚାଇବା ଚକ୍କରରେ ପରିବାରର ଅନ୍ୟ ସଦସ୍ୟରେ ପାଣିକୁ ଚାଲିଯାଇଥିଲେ । ଫଳରେ ଜଣକ ପରେ ଜଣେ ପରସ୍ପରକୁ ବଞ୍ଚାଇବାକୁ ଚେଷ୍ଟା କରି ବୁଡ଼ିଯାଇଥିଲା ।
ଘଟଣା ବିଷୟରେ ସୂଚନା ପାଇ ପୋଲିସ ଅଧିକାରୀ, ସ୍ଥାନୀୟ ବୁଡ଼ାଳି ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ପାଣିରୁ ୫ଟି ମୃତଦେହ ଜବତ କରି ହସପିଟାଲକୁ ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଗୋଟିଏ ପରିବାରର ୫ ଜଣଙ୍କ ଅସମୟରେ ଜୀବନ ଚାଲିଯିବାରୁ ଗାଁ ଏବଂ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରି ମାମଲା ଯାଞ୍ଚ କରିଥିଲେ ।





