ଓଡ଼ିଶା

ପଞ୍ଚାୟତ ନିର୍ବାଚନ ପାଇଁ ମାନସ ମନ୍ଥନ କଲେ ବିଜେପି ରାଜ୍ୟ ପ୍ରଭାରୀ, ଜିତିବା ଲାଗି ଖସଡ଼ା ପ୍ରସ୍ତୁତ

ଭୁବନେଶ୍ଵର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ରାଜ୍ୟରେ ଶାସକ ଭାରତୀୟ ଜନତା ପାର୍ଟି(ବିଜେପି) ପାଇଁ ବଡ଼ ପରୀକ୍ଷା ହେବ। ସରକାରକୁ ଆସିବା ପରେ ବିଜେପି ପାଇଁ ବଡ଼ ଆହ୍ଵାନ ପାଲଟିଛି। ତେଣୁ ଦଳ କେମିତି ଏହି ନିର୍ବାଚନୀ ବୈତରଣୀ ପାରି ହେବ ତାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଖୋଦ୍ ଦ୍ଵିତୀୟ ଥର ରାଜ୍ୟ ବିଜେପି ପ୍ରଭାରୀ ଦାୟିତ୍ଵ ସମ୍ଭାଳିଥିବା ଡି ପୁରନ୍ଦେଶ୍ଵରୀ ଓଡ଼ିଶା ଗସ୍ତରେ ଆସି ପଞ୍ଚାୟତ ନିର୍ବାଚନ ପାଇଁ ମାନସ ମନ୍ଥନ କରିଛନ୍ତି।

ଶନିବାର ଡି ପୁରନ୍ଦେଶ୍ଵରୀ ଭୁବନେଶ୍ଵର ପହଞ୍ଚିବା ପରେ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ମାରାଥନ ବୈଠକ ଚାଲିଛି। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନ ମୋହନ ସାମଲ , ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ବୈଠକରେ ପଞ୍ଚାୟତ ଓ ପୌର ନିର୍ବାଚନ ଉପରେ ସ୍ଵତନ୍ତ୍ର ଫୋକସ୍ ଦିଆଯାଇଛି। ବୈଠକରେ ପ୍ରାକ ନିର୍ବାଚନ ପ୍ରସ୍ତୁତି ଏବଂ ଦଳର ସଂଗଠନ ମଜବୁତ ଉପରେ ଗୁରୁତ୍ଵାରୋପ କରାଯାଇଛି।

ନିର୍ବାଚନ ଜିତିବା ପାଇଁ ଖସଡ଼ା ପ୍ରସ୍ତୁତ

ବିଜେପି ରାଜ୍ୟ ପ୍ରଭାରୀଙ୍କ ପ୍ରଥମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଓ ଦଳର କର୍ମୀମାନଙ୍କୁ ଭେଟିଛନ୍ତି। ଦଳକୁ ଆଗକୁ କେମିତି ମଜବୁତ କରାଯିବ ସେ ନେଇ ହେଲା ଆଲୋଚନା ହୋଇଛି। ପଞ୍ଚାୟତ ନିର୍ବାଚନ ଜିତିବା ପାଇଁ ପ୍ରସ୍ତୁତ ଖସଡ଼ା କରାଯାଇଛି। ଏହାସହ ବର୍ତ୍ତମାନ ଦଳର ନେତାଙ୍କ ମନଭାବ କିପରି ରହିଛି ତା ଉପରେ ମଧ୍ୟ ଆଲୋଚନା ହୋଇଛି। ବିଜେପିକୁ ମଜଭୁତ କରିବା ହିଁ ଆମର ଲକ୍ଷ୍ୟ। ଏହାସହ ଆଗକୁ ଦଳ କେମିତି ଯିବ ତା ଉପରେ ବିଶେଷ ଫୋକସ କରାଯାଇ ଥିବା କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ଵରୀ।ସୂଚନାଯୋଗ୍ୟ, ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲରେ ରାଜ୍ୟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ହୋଇପାରେ। ଶାସକ ବିଜେପି ପରି ଦୁଇ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ମଧ୍ୟ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL