ଜାତୀୟ

ବିରୋଧ ପ୍ରଦର୍ଶନ ବେଳେ ଜନ୍ତର ମନ୍ତରରେ ମହିଳା ସାମ୍ବାଦିକାଙ୍କୁ ପୋଲିସର ଅସଦାଚରଣ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ ବେଳେ ମହିଳା ସାମ୍ବାଦିକାଙ୍କ ସହ ପୋଲିସର ଅସଦାଚରଣ ଅଭିଯୋଗକୁ ନେଇ ବଢ଼ିଛି ବିବାଦ। ଜଣେ ବରିଷ୍ଠ ଦିଲ୍ଲୀ ପୋଲିସ ଅଧିକାରୀ ତାଙ୍କୁ ଅଶୋଭନୀୟ ଭାବେ ସ୍ପର୍ଶ କରିଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ FIR ରୁଜୁ ହୋଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶତାଧିକ ସାମ୍ବାଦିକ ଜନ୍ତର ମନ୍ତରରେ ବସି FIR ଦାବି କରିଛନ୍ତି। ଘଟଣାକୁ ନେଇ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜବାବ ମାଗିଛନ୍ତି। ଦିଲ୍ଲୀ ପୋଲିସ ସିଧାସଳଖ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବାରୁ ଏହି ପ୍ରସଙ୍ଗରେ ଅମିତ ଶାହଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ରାହୁଲ କହିଛନ୍ତି। ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଜଣେ ମହିଳା ସାମ୍ବାଦିକା ଜନ୍ତର ମନ୍ତରରେ ଜଣେ ପୋଲିସ ଅଧିକାରୀଙ୍କ ଅସଦାଚରଣ ନେଇ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗରେ FIR ରୁଜୁ କରିବା ଦାବିରେ ଶତାଧିକ ସାମ୍ବାଦିକ ଘଣ୍ଟା ଘଣ୍ଟା ଧରି ବସିଛନ୍ତି। ଏହା ପୋଲିସର ମୌଳିକ ଦାୟିତ୍ୱ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

କେବଳ ଏତିକି ନୁହେଁ, ଶନିବାର ଜନ୍ତର ମନ୍ତରରୁ ଶତାଧିକ ଲୋକଙ୍କୁ ପୋଲିସ ହେପାଜତକୁ ନେଇଥିବା ରାହୁଲ ଅଭିଯୋଗ କରିଛନ୍ତି। ମହିଳା ପ୍ରଦର୍ଶନକାରୀଙ୍କ ସହ ଅସଦାଚରଣ, କ୍ୟାମେରା ଛଡ଼ାଇ ନେବା ଏବଂ ସାମ୍ବାଦିକଙ୍କୁ ଟାଣି ନେବା ଭଳି ଅଭିଯୋଗ ମଧ୍ୟ ଆସିଥିବା ସେ କହିଛନ୍ତି। ରାହୁଲ କହିଛନ୍ତି, ମହିଳାଙ୍କ ସୁରକ୍ଷା ପାଇଁ ଦାୟୀ ପୋଲିସ ଯଦି ସେମାନଙ୍କ ବିରୋଧରେ ହାତ ଉଠାଏ, ତେବେ ସରକାର କଣ ସୁରକ୍ଷା କରୁଛି? ଦିଲ୍ଲୀ ପୋଲିସ ଗୃହ ମନ୍ତ୍ରଣାଳୟ ଅଧୀନରେ ରହିଛି। ତେଣୁ ଅମିତ ଶାହ ଏହାର ଜବାବ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏହି ଘଟଣାରେ CJP ମୁଖପାତ୍ର ସୌରଭ ଦାସ ଦିଲ୍ଲୀ ପୋଲିସର ACP ବିବେକ ଭଗତଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଜଣେ ମହିଳା ସାମ୍ବାଦିକାଙ୍କ ସହ ACP ଭଗତ ଅସଦାଚରଣ କରିବା ସହ ଅଶୋଭନୀୟ ଭାବେ ସ୍ପର୍ଶ କରିଥିବା ସେ ଦାବି କରିଛନ୍ତି। ଅଭିଯୋଗ ଉପରେ ତୁରନ୍ତ FIR ରୁଜୁ କରିବା ସହ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ସେ ଦାବି କରିଛନ୍ତି। CJP ପ୍ରତିଷ୍ଠାତା ଅଭିଜିତ ଦିପକେ ମଧ୍ୟ ଦାବି କରିଛନ୍ତି ଯେ, ସମ୍ପୃକ୍ତ ମହିଳା ସାମ୍ବାଦିକା FIR କରିବାକୁ ଚାହିଁଥିଲେ ମଧ୍ୟ ପୋଲିସ ତାଙ୍କ ଅଭିଯୋଗ ଗ୍ରହଣ କରିନଥିଲା। ସ୍ଥାନୀୟ DCP କାହିଁକି ACP ବିବେକ ଭଗତଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ବାମପନ୍ଥୀ ଛାତ୍ର ସଂଗଠନ AISA ମଧ୍ୟ ଜନ୍ତର ମନ୍ତର ଘଟଣାକୁ ନେଇ ସମାନ ଅଭିଯୋଗ କରିଛି। ସଂଗଠନର କହିବା ଅନୁସାରେ, ମହିଳା ପ୍ରଦର୍ଶନକାରୀ, ସାମ୍ବାଦିକ ଓ ଓକିଲମାନଙ୍କୁ ପୁରୁଷ ପୋଲିସ କର୍ମଚାରୀମାନେ ଦୁର୍ବ୍ୟବହାର କରିଛନ୍ତି। ଏକାଧିକ ମହିଳା ପୋଲିସ କର୍ମଚାରୀଙ୍କ ଅଶୋଭନୀୟ ସ୍ପର୍ଶ ନେଇ ଅଭିଯୋଗ କରିଥିବା AISA ଦାବି କରିଛି। ତେବେ ଏହି ସମସ୍ତ ଅଭିଯୋଗ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି FIR ରୁଜୁ ହୋଇଛି କି ନାହିଁ, ଏନେଇ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। ତେଣୁ ଘଟଣାର ପ୍ରକୃତ ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଜନ୍ତର ମନ୍ତରରେ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ବିରୋଧ ପ୍ରଦର୍ଶନ ସମୟରେ ଏହି ଘଟଣାକୁ ନେଇ ରାଜନୈତିକ ତାତି ମଧ୍ୟ ବଢ଼ିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL