ଓଡ଼ିଶା

ଗଞ୍ଜାମରେ ‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍, ବିପନ୍ନଙ୍କୁ ପଚାରି ବୁଝିଲେ ସମସ୍ୟା

ବ୍ରହ୍ମପୁର: ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍ । ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଆଠଜଣିଆ ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ପ୍ରତିନିଧି ଦଳ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଏହି ଟିମ୍ ଜିଲ୍ଲାର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଛନ୍ତି । କେନ୍ଦ୍ରୀୟ ଟିମ୍ ପୁରୁଷୋତ୍ତମପୁର ବ୍ଲକର ଆଚୁଲି, ହାଣ୍ଡିଘର ଓ ହୀରାଧରବାଟି ଜଳସେଚନ ପ୍ରକଳ୍ପ, ହିଞ୍ଜିଳି ବ୍ଲକର ଘୋଡ଼ାହାଡ଼ ପୋଲ ଓ ଜୟମଙ୍ଗଳ ଜଳସେଚନ ପ୍ରଣାଳୀ ପରିଦର୍ଶନ କରିଥିଲେ । ସେହିପରି ଆସିକାର ଲକ୍ଷ୍ମୀ ବଜାର, ନବରତ୍ନପୁର ଓ ଉପଖଣ୍ଡ ଚିକିତ୍ସାଳୟ ସମେତ ଧରାକୋଟ ବ୍ଲକ୍ ର ଜାହାଡ଼ା ଗ୍ରାମ ଓ ଜାନିବିଲି ଆନିକଟ ବୁଲି ଦେଖିଥିଲେ ।

ଅନୁଧ୍ୟାନ ସମୟରେ ଚାଷଜମିରେ ବାଲିଚର ମାଡ଼ିଯିବା, ନଦୀବନ୍ଧ ଓ ଜଳସେଚନ ପ୍ରକଳ୍ପର କ୍ଷତି, ଗ୍ରାମ୍ୟ ରାସ୍ତା, ବିଦ୍ୟୁତ୍ ଭିତ୍ତିଭୂମି, ବାସଗୃହ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର କ୍ଷୟକ୍ଷତି ସମ୍ପର୍କରେ ଟିମ୍ ସବିଶେଷ ତଥ୍ୟ ସଂଗ୍ରହ କରିଥିଲା । ଏଥିସହ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରାଥମିକ ଆକଳନ ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ୫୦୦ କୋଟି ଟଙ୍କାରୁ ଅଧିକ କ୍ଷୟକ୍ଷତି ହୋଇଥିବା ସୂଚନା । ବିଶେଷକରି ବନ୍ୟା ଯୋଗୁଁ ଚାଷଜମି ଓ ଫସଲ ନଷ୍ଟ ହୋଇ ଚାଷୀକୁଳ ଗୁରୁତର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଆସିକା ସମେତ ବିଭିନ୍ନ ଅଞ୍ଚଳର ବ୍ୟବସାୟୀମାନେ ମଧ୍ୟ ବ୍ୟାପକ କ୍ଷତି ସହିଛନ୍ତି । ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ କେନ୍ଦ୍ରୀୟ ଟିମ୍ କୁ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL