ଓଡ଼ିଶା

ଅର୍ଣ୍ଣବ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା କେନ୍ଦ୍ରୀୟ ଟିମ, ୨୫୨୬ କୋଟିର ସହାୟତା ମାଗିଲା ଓଡ଼ିଶା

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ଓ ତା ପରବର୍ତ୍ତୀ ବନ୍ୟା ଯୋଗୁ ରାଜ୍ୟରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ଆକଳନ କରିଛନ୍ତି କେନ୍ଦ୍ରୀୟ ଟିମ୍‌। ଏହି ଟିମ୍‌ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ରବିଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବନ୍ୟା, ବାତ୍ୟା ଓ ଗ୍ରୀଷ୍ମ ପ୍ରବାହ ପରି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଆସୁଛି। ଏହାଦ୍ୱାରା ରାଜ୍ୟର ବିକାଶ କାମ ବାଧାପ୍ରାପ୍ତ ହେଉଛି। ତେଣୁ, କେନ୍ଦ୍ରୀୟ ଟିମ୍ ତାଙ୍କ ରିପୋର୍ଟରେ ତତ୍କାଳ ରିଲିଫ ଓ ପୁନନିର୍ମାଣ ପାଇଁ ସହାୟତା ସହିତ ଏହାର ସ୍ଥାୟୀ ପ୍ରତିକାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।ରାଜ୍ୟରେ ବାତ୍ୟା ଓ ବନ୍ୟା ପ୍ରତିରୋଧୀ ଭିତ୍ତିଭୂମିର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏହାଦ୍ୱାରା ଓଡିଶାର ଲୋକମାନେ ସ୍ଥାୟୀ ସମାଧାନ ପାଇ ପାରିବେ ଏବଂ ରାଜ୍ୟର ବିକାଶ ବାଧାପ୍ରାପ୍ତ ନହୋଇ ତ୍ୱରାନ୍ୱିତ  ହେବ।ବନ୍ୟା କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ର ସରକାରଙ୍କୁ ୨୫୨୬ କୋଟି ଟଙ୍କାର ସହାୟତା ମାଗିଛି ଓଡ଼ିଶା। ଏଥିସହ ବନ୍ୟାର ସ୍ଥାୟୀ ସମାଧାନ ପାଇଁ ଅତିରିକ୍ତ ୧୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଦାବି କରାଯାଇଛି।

ସେହିପରି ଟିମ୍‌ର ମୁଖ୍ୟ ରବିଶଙ୍କର କହିଛନ୍ତି ଯେ, ସେମାନେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି।ବାସ୍ତବିକ ବନ୍ୟା ଯୋଗୁ ଜନସାଧାରଣଙ୍କ ଉପରେ ବ୍ୟାପକ ପ୍ରଭାବ ପଡିଛି। ଗଞ୍ଜାମରେ ଋଷିକୁଲ୍ୟା ନଦୀରୁ ପାଣି ମାଡି ଆସିବା ଦ୍ୱାରା ଅନେକ ଅଞ୍ଚଳରେ ବାଲିଚର ମାଡି ଯାଇଛି। ଚାଷଜମି ସହିତ ରାସ୍ତା ଘାଟ, ଘର ଦ୍ୱାର, କାର୍ଯ୍ୟାଳୟ ଇତ୍ୟାଦିରେ ବାଲି ମାଡିଯାଇଛି। ଅନେକ ସ୍ଥାନରେ ଘର ଭାଙ୍ଗି ନଥିଲେ ମଧ୍ୟ ଏହା ଦୁର୍ବଳ ହୋଇଯାଇଛି। ଦୀର୍ଘକାଳୀନ ଭିତ୍ତିରେ ଋଷିକୁଲ୍ୟା ନଦୀରୁ ବାଲି ଓ ମାଟି ଉଦ୍ଧାର କରିବାର (Desilting) ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ବ୍ୟାପକ ବିପର୍ଯ୍ୟୟ ଯୋଗୁ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରିବା ପାଇଁ ୭/୮ ଦିନ ସମୟ ଲାଗିବ ବୋଲି ସେ କହିଥିଲେ।

ବାତ୍ୟା ଓ ବନ୍ୟା ପରେ ରାଜ୍ୟ ସରକାର ଦ୍ରୁତ ଗତିରେ ରିଲିଫ ଓ ପୁନସ୍ଥାପନ କାମ କରିଥିବା ନେଇ ରବିଶଙ୍କର ଓଡିଶା ସରକାର ଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ରାସ୍ତା ଘାଟ ପ୍ରାୟତଃ ଗମନାଗମନ ଉପଯୋଗୀ ହୋଇସାରିଛି ଏବଂ ବିଦ୍ୟୁତ ସରବରାହ ପୁନସ୍ଥାପନ କରାଯାଇଛି ବୋଲି ସେ କହିଥିଲେ। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କ୍ଷୟକ୍ଷତି ଓ ସରକାରଙ୍କ ମୁକାବିଲା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ କରାଯାଇ ରିଲିଫ ଓ ରିଷ୍ଟୋରେସନ ପାଇଁ କେନ୍ଦ୍ର ସରକାରଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ୍ ଓ କେନ୍ଦ୍ରୀୟ ଟିମ୍‌ର ସଦସ୍ୟଗଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL