ଭୁବନେଶ୍ବର: ବାଣ ବ୍ୟବସାୟକୁ ନେଇ କମିଶନରେଟ୍ ପୋଲିସର କଡ଼ା ନିୟମ । ଦୀପାବଳିକୁ ନଜରରେ ରଖି କଡ଼ା ନିୟମ ଲାଗୁ କରିଛି କମିଶନରେଟ୍ ପୋଲିସ । ରାଜଧାନୀରେ ବାଣ ବିକ୍ରି ପାଇଁ ଏପର୍ଯ୍ୟନ୍ତ ୫୨୬ ଜଣ ଆବେଦନ କରିଥିବା ବେଳେ ୧୫୦ ଜଣଙ୍କୁ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ କରାଯାଇଛି । ଅନ୍ୟ ଆବେଦନକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଡିସିପି କାର୍ଯ୍ୟାଳୟ ପକ୍ଷରୁ ଲାଇସେନ୍ସ ପ୍ରଦାନ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜସ୍ୱ ବିଭାଗ ଓ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ଅନୁମୋଦନ ପରେ ହିଁ ବାଣ ବିକ୍ରି ପାଇଁ ଲାଇସେନ୍ସ ଦିଆଯାଉଛି । ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ଫାୟାର ପ୍ରୁଫ୍ ଟେଣ୍ଟ, ଅଗ୍ନିନିର୍ବାପକ ଯନ୍ତ୍ର ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
ନିର୍ଦ୍ଧାରିତ ସମୟ ମଧ୍ୟରେ ହିଁ ବାଣ ବିକ୍ରି କରିପାରିବେ ବ୍ୟବସାୟୀ । ବେଆଇନ ଭାବେ ବାଣ ବିକ୍ରି କିମ୍ବା ଗଚ୍ଛିତ ରଖିଲେ ମାମଲା ରୁଜୁ କରିବ ପୋଲିସ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଗାଇଡଲାଇନ୍ ଅନୁଯାୟୀ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି । ସେହିପରି ଲୋକଙ୍କୁ କେବଳ ଗ୍ରୀନ୍ କ୍ରାକର୍ସ କିଣିବା ସହ ଲାଇସେନ୍ସପ୍ରାପ୍ତ ଦୋକାନରୁ ବାଣ କିଣିବାକୁ ପରାମର୍ଶ ଦେଇଛି କମିଶନରେଟ୍ ପୋଲିସ । ଦୀପାବଳିକୁ ସୁରକ୍ଷିତ ଓ ଦୁର୍ଘଟଣାମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସଚେତନତା ଓ ଯାଞ୍ଚ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ସର୍ବଣା ବିବେକ ଏମ୍ ।






