ନୂଆଦିଲ୍ଲୀ: ଚଳିତମାସ ପ୍ରାରମ୍ଭରେ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋରେ ଯେଉଁ ପରିଚାଳନାଗତ ବିଭ୍ରାଟ ସୃଷ୍ଟି ହୋଇଥିଲା ସେଥିଯୋଗୁଁ ବିଭିନ୍ନ ବିମାନବନ୍ଦରରେ ସହସ୍ରାଧିକ ଯାତ୍ରୀଙ୍କୁ ଅକଥନୀୟ ଦୁର୍ଦଶା ଭୋଗିବାକୁ ପଡିଥିଲା। ଏହି ପରିପ୍ରେକ୍ଷୀରେ ଡିସେମ୍ବର ୫ରେ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଚାରିଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା।
ଶୁକ୍ରବାର ସନ୍ଧ୍ୟାରେ ତଦନ୍ତ କମିଟି ପକ୍ଷରୁ ଡିଜିସିଏ ନିକଟରେ ରିପୋର୍ଟ ଦାଖଲ କରାଯାଇଛି। ରିପୋର୍ଟର ଏକକିତା ନକଲ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଓ ବିଭାଗୀୟ ସଚିବ ସମୀର କୁମାର ସିହ୍ନାଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଡିଜିସିଏର ଯୁଗ୍ମ ନିିର୍ଦେଶକ ସଞ୍ଜୟ ବ୍ରାହାନେଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି ଗଠନ କରାଯାଇଥିବାବେଳେ ଏଥିରେ ଉପ ନିର୍ଦେଶକ ଅମିତ ଗୁପ୍ତା, ସିନିୟର ଫ୍ଲାଇଟ ଅପରେସନ୍ସ ଇନ୍ସପେକ୍ଟର କ୍ୟାପଟେନ କପିଲ ମାଙ୍ଗଲିକ୍ ଓ ଫ୍ଲାଇଟ ଅପରେସନ୍ସ ଇନ୍ସପେକ୍ଟର କ୍ୟାପଟେନ ରାମପାଲଙ୍କୁ ସଦସ୍ୟ ନିଯୁକ୍ତ କରାଯାଇଥିଲା। ତେବେ ତଦନ୍ତ ରିପୋର୍ଟର ବିଷୟବସ୍ତୁକୁ ସାର୍ବଜନୀନ କରାଯାଇନାହିଁ।
ସୂଚନାଯୋଗ୍ୟ ପାଇଲଟ୍ ଅଭାବ, ପାଇଲଟ୍-କ୍ରିଉ ସଦସ୍ୟଙ୍କ ରୋଷ୍ଟର ଡ୍ୟୁଟି ଭଳି ପ୍ରସଙ୍ଗ ଯୋଗୁଁ ଇଣ୍ଡିଗୋ ଏୟାରଲାଇନ୍ସର ବିମାନସେବା ଯଥେଷ୍ଟ ପ୍ରଭାବିତ ହୋଇଥିଲା। ଡିସେମ୍ବର ୩ରୁ ୧୦ ପର୍ଯ୍ୟନ୍ତ ଏହି ସଙ୍କଟ ଲାଗି ରହିଥିଲା। ଦୈନିକ ଶତାଧିକ ବିମାନର ଉଡାଣ ବାତିଲ ହୋଇଥିଲା। ଯାତ୍ରୀମାନେ ବିଭିନ୍ନ ବିମାନ ବନ୍ଦରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା। ଅନ୍ୟ ଏୟାରଲାଇନ୍ସରେ ଯାତ୍ରା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ଅତ୍ୟଧିକ ଭଡା ଯୋଗୁଁ ଏହା ସେମାନଙ୍କ ପକ୍ଷରେ ସମ୍ଭବ ହୋଇପାରିନଥିଲା। ଦିଲ୍ଲୀ-ମୁମ୍ବଇ, ଦିଲ୍ଲୀ-କଲକାତା, ଦିଲ୍ଲୀ-ବେଙ୍ଗାଲୁରୁ ରୁଟ୍ରେ ଗୋଟିଏ ପଟ ଭଡା ୫୦ରୁ ୬୦ ହଜାର ଟଙ୍କା ଛୁଇଁଥିଲା।
ଅବଶ୍ୟ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ଅନ୍ୟ ଏୟାରଲାଇନ୍ସଗୁଡିକ ନିର୍ଦ୍ଧାରିତ ଭଡା ନେବାକୁ ବାଧ୍ୟ ହୋଇଥିଲେ। ଇଣ୍ଡିଗୋ ଏୟାରଲାଇନସ ସିଇଓ ପିଟର ଏଲବର୍ସ ଏହି ଅବ୍ୟବସ୍ଥା ପାଇଁ କ୍ଷମାଭିକ୍ଷା କରିଥିଲେ। ଇଣ୍ଡିଗୋ ପକ୍ଷରୁ ପ୍ରଭାବିତ ଯାତ୍ରୀଙ୍କୁ ଭଡା ଫେରସ୍ତ କରାଯାଉଛି। ଡିସେମ୍ବର ୩ରୁ ୫ ପର୍ଯ୍ୟନ୍ତ ଯେଉଁ ଯାତ୍ରୀମାନେ ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହୋଇଥିଲେ, ସେମାନଙ୍କୁ ଇଣ୍ଡିଗୋ ପକ୍ଷରୁ ପ୍ରତ୍ୟେକ ୧୦ ହଜାର ଟଙ୍କାର ଟ୍ରାଭେଲ ଭାଉଚର (କୁପନ) ପ୍ରଦାନ କରାଯାଉଛି।
ଏହି କୁପନକୁ ସଂପୃକ୍ତ ଯାତ୍ରୀ ଏକବର୍ଷ ମଧ୍ୟରେ ବିମାନ ଭଡା ବାବଦକୁ ଆଡଜଷ୍ଟ କରିପାରିବେ ବୋଲି କୁହାଯାଇଛି। ଡିସେମ୍ବର ୨୬ରୁ ଟ୍ରାଭେଲ କୁପନ ଇସ୍ୟୁ ଆରମ୍ଭ ହୋଇଛି। ଏ ବାବଦରେ ଇଣ୍ଡିଗୋ ଏୟାରଲାଇନ୍ସକୁ ୩୭୬ କୋଟି ଟଙ୍କାର ଆର୍ଥିକ ବୋଝ ମୁଣ୍ଡାଇବାକୁୂ ପଡିବ। ସରକାରଙ୍କ ପକ୍ଷରୁ ଇଣ୍ଡିଗୋ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏହାର ଦୈନିକ ବିମାନ ଉଡାଣ ସଂଖ୍ୟା ୧୦ ପ୍ରତିଶତ ହ୍ରାସ କରାଯାଇଛି।







