କୋଣାର୍କ : ଦୁଇ ଦିନ ପରେ ମାଘ ବୁଡ଼ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମରି ଭାସୁଛନ୍ତି କୁଢ କୁଢ ମୀନ ମାଛ । ପାଣିକୁ ବିଶୋଧିତ କରିବାକୁ ଚୂନ ବଦଳରେ ବ୍ଲିଚିଂ ପକାଯାଇଥିବାରୁ ଏଭଳି ଅବସ୍ଥା ଅଭିଯୋଗ ହୋଇଛି । ମାଘ ବୁଡ଼ ପାଇଁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀର ଖନନ କାର୍ଯ୍ୟ ସହ ପାଣିକୁ ବିଶୋଧିତ କରିବାକୁ କୋଣାର୍କ ବିଜ୍ଞପିତ ଅଞ୍ଚଳ ପରିଷଦକୁ ଦାୟିତ୍ୱ ଦିଆଯାଇଥିଲା । ଖନନ କାର୍ଯ୍ୟ ଶେଷ ହୋଇଥିଲା ।
ପରେ ତରବରିଆ ଭାବେ ପାଣିକୁ ବିଶୋଧିତ କରିବାକୁ ଚୂନ ବଦଳରେ ବ୍ଲିଚିଂ ପକା ଯାଇଥିଲା । ଯାହାଫଳରେ ପୁଷ୍କରିଣୀରେ କୁଢ଼ କୁଢ଼ ମାଛ ମରି ଭାସୁଛନ୍ତି । ଦୁର୍ଗନ୍ଧରେ ଫାଟିପଡୁଛି ପୁରା ଅଞ୍ଚଳ । ତୁରନ୍ତ ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟଲୋକେ । ଅନ୍ୟପକ୍ଷରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀ କହିଛନ୍ତି, ମାଘ ବୁଡ଼ରେ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦିଆଯିବ ।








