ଓଡ଼ିଶା

ଋଣ ଟଙ୍କା ପାଇଁ ସ୍ତ୍ରୀକୁ ପିଟିପିଟି ହତ୍ୟା

ବିଞ୍ଝାରପୁର : ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀସାମଲ ସାହି କୁନୀତା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବିଞ୍ଝାରପୁର ପୁଲିସ। ଋଣ ଟଙ୍କା ସୁଝିବାକୁ ଜିଦ କରିବାରୁ କୁନୀତାଙ୍କୁ ରଡ଼ରେ ପିଟି ହତ୍ୟା ପରେ ପୋଡିଦେଇଥିଲେ ଶାଶୁଘର ଲୋକେ।ଶନିବାର ବିଞ୍ଝାରପୁର ପୁଲିସ ଅଭିଯୁକ୍ତ ସ୍ୱାମୀ,ଶାଶୁ,ଶ୍ୱଶୁର,ଦିଅର ଓ ଯାଆଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ପ୍ରଶାନ୍ତ କୁମାର ମାଝୀ।

ଘଟଣା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଦଶିପୁର ଅଞ୍ଚଳର କୁନୀତା ୧୫ ବର୍ଷ ପୂର୍ବେ ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ସାମଲ ସାହି ସ୍ଥିତ ଦ୍ୱାରିକାନାଥ ସାମଲଙ୍କ ପୁଅ ଦୀନବନ୍ଧୁଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ୧୪ବର୍ଷର ପୁଅ ଓ ୭ ବର୍ଷର ଝିଅ ଅଛି। ପରିବାରର ସ୍ଥିତି ନେଇ ସ୍ୱାମୀଙ୍କ ପରାମର୍ଶ ରେ କୁନୀତା ଏକ ସଂସ୍ଥାରୁ ଋଣ ଆଣି ସ୍ୱାମୀଙ୍କୁ ଦେଇଥିଲେ। ମାତ୍ର ପରେ ସ୍ୱାମୀ ଋଣ ଟଙ୍କା ପରିଶୋଧ କରିବାକୁ ମନା କରିଥିଲେ। ସମ୍ପୃକ୍ତ ସଂସ୍ଥା କୁନିତାଙ୍କୁ ବାରମ୍ବାର ଋଣ ପରିଶୋଧ କରିବାକୁ କହୁଥିଲେ। ଯାହାକୁନେଇ ଉଭୟଙ୍କ ମଧ୍ୟରେ ଗତ ୧୦ ତାରିଖ ରାତିରେ ପାଟିତୁଣ୍ଡ ହୋଇଥିଲା। ପରଦିନ ସକାଳେ କୁନୀତାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ବାଡ଼ିପଟୁ ମିଳିଥିଲା। ଯାହାକୁ ଆତ୍ମହତ୍ୟା ବୋଲି ପରିବାର ଲୋକେ କହିଥିଲେ। ମାତ୍ର ମୃତା କୁନୀତାଙ୍କ ଭାଉଜ ତପସ୍ୱିନୀ ରାଉତ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଦର୍ଶାଇ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ବିଞ୍ଝାରପୁର ଥାନା ଆଇଆଇସି ବିଲ୍ଵମଙ୍ଗଲ ସେଠୀ ଘଟଣାକୁ ଗୁରୁତର ସହ ନେଇ ଅଭିଯୋଗ ଆଧାରରେ ବିଞ୍ଝାରପୁର ଥାନା କେସ ନଂ ୭୮/୨୬ରେ ମାମଲା ରୁଜୁ କରି ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ସାଇଣ୍ଟିଫିକ ଦଳ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ। ପାରିପାର୍ଶ୍ଵିକ ସ୍ଥିତିରୁ ଏହା ହତ୍ୟା କାଣ୍ଡ ବୋଲି ସନ୍ଦେହ କରି ପୁଲିସ ସ୍ୱାମୀ ଦୀନବନ୍ଧୁ ଓ ପରିବାର ଲୋକଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲେ।

ତଦନ୍ତ ପରେ ପୁଲିସ ଜାଣିବାକୁ ପାଇଥିଲା ଯେ, ୧୦ ତାରିଖ ରାତିରେ ଋଣ ସୁଝିବାକୁ ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଲାଗିଥିବା ଝଗଡା ସମୟରେ ସ୍ୱାମୀ ଦୀନବନ୍ଧୁ, ଦିଅର କୃପାସିନ୍ଧୁ, ଶ୍ୱଶୁର ଦ୍ୱାରିକା, ଶାଶୁ ରେବତୀ ଓ ଯାଆ ସାବିତ୍ରୀ ଅତି ନିର୍ମମ ଭାବେ କୁନୀତାଙ୍କୁ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ କୁନିତା ଦଉଡି ଛାତ ଉପରକୁ ପଳାଇ ଯାଉଥିବା ସମୟରେ ସ୍ୱାମୀ ଦୀନବନ୍ଧୁ ଏକ ରଡ଼ରେ ତାଙ୍କ ମୁଣ୍ଡକୁ ପିଟିଥିଲା। ଘଟଣା ସ୍ଥଳରେ କୁନୀତାଙ୍କ ମୃତ୍ୟୁ ହୋଇଥିଲା। ପରେ ହତ୍ୟାକାଣ୍ଡକୁ ଲୁଚାଇବାକୁ ପରିବାର ଲୋକେ ଘରେ ଥିବା ଡିଜେଲ କୁ କୁନିତାଙ୍କ ଉପରେ ଢାଳି ନିଆଁ ଲଗାଇ ଦେଇଥିଲେ।

ପୁଲିସ ତଦନ୍ତରେ ସବୁ ଜଣାପଡିବା ପରେ ଘଟଣାରେ କୁନୀତାଙ୍କ ସ୍ୱାମୀ,ଶାଶୁ,ଶ୍ୱଶୁର, ଦିଅର ଓ ଯାଆଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ହତ୍ୟାରେ ବ୍ୟବହୃତ ଲୁହାରଡ଼କୁ ପୁଲିସ ଜବତ କରିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL