ଓଡ଼ିଶା

ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ

ଭୁବନେଶ୍ୱର: ଓଡିଶା ପୋଲିସକୁ ମିଳିଲା ନୂଆ ଡିଜିପି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ। ହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଶ୍ରୀ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍ IPS ବିନୟତୋଷ ମିଶ୍ରଙ୍କୁ ଏହି ଗୁରୁତ୍ୱପୂର୍ଣ ଦାୟିତ୍ବ ଓଡିଶା ସରକାରଙ୍କ ପକ୍ଷରୁ ଦିଆଯାଇଛି। ଆସନ୍ତା ୧୬ ତାରିଖରେ ବର୍ତ୍ତମାନର ଡିଜିପି ୱାଇ. ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଏହାପରେ ବିନୟତୋଷ ମିଶ୍ର ଡିଜିପି ଦାୟିତ୍ୱ ତୁଲାଇବେ।

ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ ଦାୟିତ୍ୱ ତୁଲାଉଥିବା ଶ୍ରୀ ମିଶ୍ର ଏବେ ରାଜ୍ୟ ପୁଲିସ ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ। ତାଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସରକାର ଏହି ଦାୟିତ୍ୱ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଓଡ଼ିଶା ପୁଲିସ ଡିଜି ମନୋନୟନକୁ ନେଇ ଉପୁଜିଥିବା ବିବାଦ ଗୁରୁବାର ନୂଆ ମୋଡ଼ ନେଇଛି। ସର୍ବୋଚ୍ଚ ଅଦାଲତରେ ଏନେଇ ଦାୟର ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ଖଣ୍ଡପୀଠ ଏହି ମନୋନୟନ ପ୍ରକ୍ରିୟା ଉପରେ ଅଙ୍କୁଶ ଲଗାଇଛନ୍ତି। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ନୂତନ ଡିଜିପି ମନୋନୟନ ନ କରିବାକୁ ୟୁପିଏସ୍‌ସିକୁ ନିର୍ଦେଶ ଦେଇଛନ୍ତି। ଏପଟେ, କୋର୍ଟଙ୍କ ହସ୍ତକ୍ଷେପ ପରେ ଆଜି ବସିବାକୁ ଥିବା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ବୈଠକ ବାତିଲ ହୋଇଛି। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏ ସଂକ୍ରାନ୍ତୀୟ ବୈଠକ ବସିବ ନାହିଁ ବୋଲି ୟୁପିଏସ୍‌ସି ତରଫରୁ ଆଇନଜୀବୀ ହୃଷୀକେଶ ବରୁଆ ଖଣ୍ଡପୀଠକୁ ଅବଗତ କରାଇଛନ୍ତି। ଅପରପକ୍ଷେ, ଖଣ୍ଡପୀଠ ନୋଟିସ୍‌ ଜାରି କରିବା ସହ ପ୍ରତିପକ୍ଷ ଚାହିଁଲେ ଜବାବ ଦାଖଲ କରିପାରିବେ ବୋଲି ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ତିନିଜଣିଆ ଖଣ୍ଡପୀଠରେ ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନା ରହିଛନ୍ତି। ମାମଲାର ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ଯୁକ୍ତି ବାଢ଼ିଥିଲେ ଯେ ‘ପ୍ରକାଶ ସିଂ ବନାମ ଭାରତ ସରକାର’ ମାମଲାରେ ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶନାମାକୁ ଉଲ୍ଲଙ୍ଘନ କରି ଓଡ଼ିଶା ସରକାର ରାଜ୍ୟର ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି। ତାଲିକା ଚୂଡ଼ାନ୍ତ ପାଇଁ ୟୁପିଏସ୍‌ସିରେ ଆଜି ବୈଠକ ବସୁଛି। ନ୍ୟାୟାଳୟରେ ଶୁଣାଣି ପୂର୍ବରୁ ଓଡ଼ିଶା ସରକାର ପୁଲିସ ଅଧିକାରୀଙ୍କୁ ପଦୋନ୍ନତି ଦେଉଛନ୍ତି। ରାଜ୍ୟ ଆଡ୍‌ଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହାକୁ ବିରୋଧ କରି ଦର୍ଶାଇଥିଲେ ଯେ ରାଜ୍ୟରେ ଡିଜିପି ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ। ଓଡ଼ିଶା ସରକାର କୌଣସି ବେନିୟମ କାମ କରିନାହାନ୍ତି। ସୁପ୍ରିମ୍‌କୋର୍ଟଙ୍କ ପୂର୍ବର ପ୍ରକାଶ ସିଂ ମାମଲାର ନିର୍ଦେଶକୁ ଅନୁସରଣ କରାଯାଇଛି। ଚାକିରି ସର୍ତ୍ତାବଳୀ ନେଇ ଆବେଦନକାରୀ ଅଜ୍ଞ ଏବଂ ଡିଜି ନିଯୁକ୍ତି ପ୍ରକ୍ରିୟାରେ ଆବେଦନକାରୀ କ୍ଷତିଗ୍ରସ୍ତ ହୋଇନାହାନ୍ତି। ଏଭଳି କପୋଳକଳ୍ପିତ ଓ ଅବାଞ୍ଛିତ ଯୁକ୍ତି ଗ୍ରହଣୀୟ ନୁହେଁ। ଏହା ଏକ ସେବା ସମ୍ବନ୍ଧୀୟ ବିବାଦ ହୋଇଥିବାରୁ ଜନସ୍ୱାର୍ଥ ମାମଲା ଭାବେ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସେ ଯୁକ୍ତି ବାଢ଼ିଥିଲେ।

ପ୍ରଧାନ ବଚାରପତି ସୂର୍ଯ୍ୟକାନ୍ତ ଟିପ୍ପଣୀ କରିଥିଲେ ଯେ ଏହି ଘଟଣାରେ କୌଣସି ପ୍ରଭାବିତ ଅଧିକାରୀ ନିଜେ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇନାହାନ୍ତି। ପ୍ରକାଶ ସିଂ ମାମଲାରେ କୋର୍ଟମିତ୍ର (ଆମିକ୍ୟୁସକ୍ୟୁରୀ) ତଥା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ ଡିଜିପି ଚୟନ ପ୍ରକ୍ରିୟାରେ ତ୍ରୁଟି ନେଇ ପ୍ରାଥମିକ ତଥ୍ୟରୁ ଜଣାପଡ଼ୁଛି। କୋର୍ଟ ମିତ୍ର ରାଜୁ ରାମଚନ୍ଦ୍ରନଙ୍କ ମନ୍ତବ୍ୟ ପରେ ଡିଜିପି ଚୟନ ଲାଗି ଅଗଷ୍ଟ ୧୮ପର୍ଯ୍ୟନ୍ତ ବୈଠକ ସ୍ଥଗିତ ରଖିବାକୁ ଖଣ୍ଡପୀଠ ୟୁପିଏସସିକୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL