ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ରାମଗଢ ଜିଲ୍ଲାର ବରକାକାନା ଅଞ୍ଚଳରେ ଥିବା ଏକ ସିମେଣ୍ଟ କାରଖାନାରେ ଭୟଙ୍କର ଦୁର୍ଘଟଣା ଘଟିଛି । ବରକାକାନା ହେହଲସ୍ଥିତ ମା ଛିନ୍ନମସ୍ତିକା ସିମେଣ୍ଟ ଆଣ୍ଡ ଇସ୍ପାତ ପ୍ରାଇଭେଟ୍ ଲିମିଟେଡରେ ଟର୍ବାଇନ୍ ବିସ୍ଫୋରଣକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଦୁର୍ଘଟଣାରେ ୩ ଜଣ ଇଞ୍ଜିନିୟରଙ୍କ ମୃତ୍ୟୁ ଏବଂ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ବିସ୍ଫୋରଣ ପରେ କାରଖାନା ପରିସରରେ ନିଆଁ ଓ ଧୂଆଁର ଆସ୍ତରଣ ଖେଳିଯାଇଥିଲା । ଘଟଣା ସମୟରେ ଟର୍ବାଇନ୍ ନିକଟରେ ଡ୍ୟୁଟିରେ ଥିବା କର୍ମଚାରୀମାନେ ଆସିଯାଇଥିଲେ । ମୃତକଙ୍କ ମଧ୍ୟରେ ଶିଫ୍ଟ ଇନ୍ଚାର୍ଜ ସଞ୍ଜୀବ କୁମାର କେସରୀଙ୍କ ସମେତ ଇଞ୍ଜିନିୟର ବିନୀତ ମହତୋ ଓ ଅଭିଷେକ ପାଣ୍ଡେ ଥିବା ସୂଚନା ମିଳିଛି । ତରୁଣ ରାୱାଣୀ ନାମକ ଜଣେ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିବା କୁହାଯାଇଛି ।
ତେବେ ଟର୍ବାଇନରେ ଅତ୍ୟଧିକ ତାପମାତ୍ରା ଓ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦୁର୍ଘଟଣାର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ । ଘଟଣା ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କାରଖାନାର ସୁରକ୍ଷା ବ୍ୟବସ୍ଥା ଏବଂ ଦୁର୍ଘଟଣାର ପ୍ରକୃତ କାରଣ ଯାଞ୍ଚ କରାଯାଉଛି ।





