ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ଧରଣର ସାଇବର ମ୍ୟୁଲ୍ ଆକାଉଣ୍ଟ ରାକେଟର ପର୍ଦ୍ଦାଫାସ୍ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ମ୍ୟାନ୍ ପାୱାର ଓ ହସ୍ପିଟାଲିଟି ସେବା ଯୋଗାଣ ନାଁରେ ଏକ ନକଲି କମ୍ପାନୀ ଖୋଲି ସାଇବର ଠକେଇ ଟଙ୍କାର କାରବାର ପାଇଁ ମ୍ୟୁଲ୍ ଆକାଉଣ୍ଟ ଚଲାଉଥିବା ଅଭିଯୋଗରେ ପୋଲିସ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି । ଏହି ଗ୍ୟାଙ୍ଗର ମୁଖ୍ୟ ସୂତ୍ରଧର ତଥା ଅନ୍ୟ ଏକ ବ୍ୟାଙ୍କର କର୍ମଚାରୀ କୃଷ୍ଣଚନ୍ଦ୍ର ବେହେରା ଏବେ ଫେରାର ରହିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏକ ଘରୋଇ ବ୍ୟାଙ୍କର ଫିଲ୍ଡ ଏଜେଣ୍ଟ ଜିତେନ୍ଦ୍ର କୁମାର ଖୁଣ୍ଟିଆ , ରଙ୍ଗ ମିସ୍ତ୍ରୀ ରାଜେଶ କୁମାର ଜେନା ଏବଂ ଟ୍ୟାକ୍ସି ଡ୍ରାଇଭର ପୁରୁଷୋତ୍ତମ ବେହେରା ପୋଲିସ ସୂଚନା ଅନୁସାରେ, ୬ଷ୍ଠ ପାସ୍ ରାଜେଶ ଏବଂ ନବମ ପାସ୍ ପୁରୁଷୋତ୍ତମଙ୍କୁ ମୋଟା ଅଙ୍କର ଟଙ୍କାର ଲୋଭ ଦେଖାଇ ‘ପିପି ମ୍ୟାନ୍ ପାୱାର ସପ୍ଲାଇ ଆଣ୍ଡ ହସ୍ପିଟାଲିଟି ସର୍ଭିସେସ୍’ ନାମକ ଏକ କମ୍ପାନୀର ଯୁଗ୍ମ ନିର୍ଦ୍ଦେଶକ କରାଯାଇଥିଲା । ଏହି କମ୍ପାନୀ ନାମରେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କରେ ପ୍ରାୟ ୨୫ଟି ମ୍ୟୁଲ୍ କରେଣ୍ଟ ଆକାଉଣ୍ଟ ଖୋଲାଯାଇଥିଲା ।
ଦିଲ୍ଲୀ, କୋଲକାତା ସମେତ ଦେଶର ବିଭିନ୍ନ ସ୍ଥାନରେ ସକ୍ରିୟ ଥିବା ସାଇବର ଠକମାନଙ୍କୁ ଏହି ଆକାଉଣ୍ଟଗୁଡ଼ିକ ଯୋଗାଇ ଦିଆଯାଉଥିଲା ଏବଂ ଠକେଇ ଟଙ୍କାର ନେଣଦେଣ କରାଯାଉଥିଲା । ପ୍ରାଥମିକ ତଦନ୍ତରୁ ଏହି ଆକାଉଣ୍ଟଗୁଡ଼ିକରେ ୩୦ ରୁ ୩୫ ଲକ୍ଷ ଟଙ୍କାର ସନ୍ଦେହଜନକ ନେଣଦେଣ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ନିକଟରୁ ବ୍ୟାଙ୍କ ପାସବୁକ୍, ସ୍ୱାଇପ୍ ମେସିନ୍, କମ୍ପାନୀ ସିଲ୍, ପ୍ରିଣ୍ଟର ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଘଟଣାରେ ଅନ୍ୟ କୌଣସି ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି କି ନାହିଁ ଏବଂ ଫେରାର ଥିବା ମାଷ୍ଟରମାଇଣ୍ଡ କୃଷ୍ଣଚନ୍ଦ୍ରକୁ ଧରିବା ପାଇଁ ଭୁବନେଶ୍ୱର ସାଇବର ପୋଲିସ ତଦନ୍ତ ଜାରି ରଖିଛି ।






