ଜାତୀୟ

ବିଶ୍ୱ ବାଣିଜ୍ୟ ପାଇଁ ସମୁଦ୍ର ପଥର ସୁରକ୍ଷା ଜରୁରୀ: ଆମେରିକା ଓ ଇରାନକୁ ପିଏମ୍ ମୋଦିଙ୍କ ପରୋକ୍ଷ ବାର୍ତ୍ତା

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ଏବଂ ଭୂ-ରାଜନୀତିରେ ବ୍ରିକ୍ସ ସମୂହର ଗୁରୁତ୍ୱ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବ୍ରିକ୍ସ ବିଜନେସ୍ ଫୋରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସଶକ୍ତ ଏବଂ ବିକଶିତ ଭାରତର ଚିତ୍ର ଉପସ୍ଥାପନ କରିବା ସହ ବିଶ୍ୱ ବାଣିଜ୍ୟ ଏବଂ ସୁରକ୍ଷା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ସମୟରେ ମାତ୍ର ୪ଟି ଦେଶକୁ ନେଇ ଗଠିତ ହୋଇଥିବା ବ୍ରିକ୍ସ ଆଜି ସମ୍ପ୍ରସାରିତ ହୋଇ ୨୧ଟି ରାଷ୍ଟ୍ରର ଏକ ବିଶାଳ ପରିବାରରେ ପରିଣତ ହୋଇଛି । ବର୍ତ୍ତମାନ ବିଶ୍ୱର ଅଧାରୁ ଅଧିକ ଜନସଂଖ୍ୟା ଏହି ସମୂହରେ ଥିବା ବେଳେ ଗ୍ଲୋବାଲ୍ ଜିଡିପିର ୪୦ ପ୍ରତିଶତ କେବଳ ବ୍ରିକ୍ସ ଦେଶଗୁଡ଼ିକରୁ ହିଁ ଆସୁଛି। ଏହା ବ୍ରିକ୍ସର ବଢ଼ୁଥିବା ଆର୍ଥିକ ଶକ୍ତିକୁ ସ୍ପଷ୍ଟ କରୁଛି ।

ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ଅଭୂତପୂର୍ବ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ। ଶକ୍ତି, ବୈଷୟିକ ଜ୍ଞାନକୌଶଳ ଏବଂ ନୂତନ ଉଦ୍ଭାବନ କ୍ଷେତ୍ରରେ ଭାରତ ଆଜି ଦ୍ରୁତଗତିରେ ଆଗକୁ ବଢ଼ୁଛି। “ଭାରତ ଆଜି କେବଳ ଏକ ବଜାର ନୁହେଁ, ବରଂ ଗ୍ଲୋବାଲ ସଲ୍ୟୁସନର ମୁଖ୍ୟ କେନ୍ଦ୍ର ପାଲଟିଛି,” ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ‘ୟୁପିଆଇ’ ସମଗ୍ର ବିଶ୍ୱର ଅର୍ଥନୈତିକ ନେଣଦେଣକୁ ଏକ ନୂଆ ଦିଶା ଦେଇଛି। ଶିଳ୍ପ ଏବଂ ଷ୍ଟାର୍ଟଅପ୍ କ୍ଷେତ୍ର ପାଇଁ ଭାରତ ସରକାର ଏକ ଖୋଲା ମଞ୍ଚ ପ୍ରଦାନ କରିଛନ୍ତି। ବିଶେଷ କରି ମହିଳା ଉଦ୍ୟୋଗୀମାନେ ଆଗକୁ ଆସନ୍ତୁ ଏବଂ ନେତୃତ୍ୱ ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବିଶ୍ୱର ପ୍ରାୟ ୪୦ଟି ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରି ଭାରତ ବର୍ତ୍ତମାନ ନୂତନ ସୁଯୋଗର ଏକ ପ୍ରମୁଖ ରାଷ୍ଟ୍ର ଭାବେ ଉଭା ହୋଇପାରିଛି ।

ଅନ୍ୟପକ୍ଷରେ, ଫୋରମ୍ ମଞ୍ଚରୁ ପ୍ରଧାନମନ୍ତ୍ରୀ ପରୋକ୍ଷରେ ଆମେରିକାର ନବନିର୍ବାଚିତ ନେତୃତ୍ୱ ଏବଂ ଇରାନ ଭଳି ରାଷ୍ଟ୍ରମାନଙ୍କୁ ଏକ ସ୍ପଷ୍ଟ କୂଟନୈତିକ ବାର୍ତ୍ତା ଦେଇଛନ୍ତି। ବିଶ୍ୱ ବାଣିଜ୍ୟକୁ ସୁଗମ କରିବା ପାଇଁ ସମୁଦ୍ର ପଥର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ନିକଟ ଅତୀତରେ ସାମୁଦ୍ରିକ ପଥରେ ଦେଖାଦେଇଥିବା ବିବାଦ ପ୍ରତି ଇଙ୍ଗିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜଳପଥ ସୁରକ୍ଷିତ ତଥା ଖୋଲା ରହିଲେ ହିଁ ଗ୍ଲୋବାଲ ଟ୍ରେଡ୍ ଆଗକୁ ବଢ଼ିପାରିବ । ଏଥିସହ ବାଣିଜ୍ୟିକ ଜାହାଜ ଏବଂ ଏଥିରେ କାର୍ଯ୍ୟରତ ନାବିକମାନଙ୍କ ସୁରକ୍ଷା ପ୍ରତି ସମସ୍ତେ ସମ୍ବେଦନଶୀଳ ହେବା ଦରକାର । ନୌଚଳାଚଳର ସ୍ୱାଧୀନତା ଏବଂ ନାବିକଙ୍କ ନିରାପତ୍ତାକୁ ଭାରତ ସର୍ବଦା ଦୃଢ଼ ସମର୍ଥନ କରେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ପରିଶେଷରେ, ବିଶ୍ୱରେ ଶାନ୍ତି, ସ୍ଥିରତା ଓ ଅର୍ଥନୈତିକ ପ୍ରଗତି ଆଣିବା କ୍ଷେତ୍ରରେ ବ୍ରିକ୍ସ ସମୂହ ଏକାଠି ମିଳିମିଶି କାମ କରିବା ସହ ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମୋଦି କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL