ଭୁବନେଶ୍ୱର : ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ । ଏବେ ଜେଲ୍ ରୁ ମୁକୁଳିବେନି ଦାରା ସିଂ। ମୁକ୍ତିକୁ ବିରୋଧ କଲା ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ। ୧୯୯୯ର ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ଜାଳି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନକୁ ଖାରଜ କରିଛି ଓଡ଼ିଶାର State Sentence Review Board।
୬୭ ବର୍ଷୀୟ ଦାରା ସିଂ ୨୬ ବର୍ଷ ୬ ମାସରୁ ଅଧିକ ସମୟ ଜେଲ୍ ରେ କାଟିସାରିଥିଲେ ମଧ୍ୟ ତାଙ୍କୁ ଏବେ ମୁକ୍ତ କରିବା ସପକ୍ଷରେ ବୋର୍ଡ ମତ ଦେଇନାହିଁ। ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟରେ ଦାରା ସିଂଙ୍କ ଆବେଦନର ଶୁଣାଣି ପୂର୍ବରୁ ଏହି ନିଷ୍ପତ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ। ଗତ ସପ୍ତାହରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟ ଆଭିମୁଖ୍ୟ ନେବାକୁ କହିଥିଲେ। ଅଗଷ୍ଟ ୩୧ରେ ବସିଥିବା Sentence Review Boardର ସ୍ୱତନ୍ତ୍ର ବୈଠକରେ ଦାରା ସିଂଙ୍କ ମାମଲା ଉପରେ ବିଚାର ହୋଇଥିଲା।
ବୋର୍ଡର ମୁଖ୍ୟ ଆଶଙ୍କା ଥିଲା—ତାଙ୍କ ଆଗୁଆ ମୁକ୍ତିର ସାମାଜିକ ପ୍ରଭାବ ପଡ଼ିପାରେ ଏବଂ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିର ଆଶଙ୍କା ରହିଛି। ଏଥିପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନର ସଦ୍ୟତମ ରିପୋର୍ଟକୁ ମଧ୍ୟ ବୋର୍ଡ ଗୁରୁତ୍ୱ ଦେଇଛି। ରିପୋର୍ଟ ଅନୁସାରେ, ଅଗଷ୍ଟ ୧୫ରେ କେନ୍ଦୁଝର ଜିଲ୍ଲା ଜେଲ୍ ବାହାରେ ‘ଦାରା ସେନା’ ସହ ଜଡ଼ିତ ପ୍ରାୟ ୨୦୦ରୁ ୨୫୦ ଲୋକ ଏକାଠି ହୋଇ ଉତ୍ତେଜନାମୂଳକ ସ୍ଲୋଗାନ୍ ଦେଇଥିଲେ।
ଏହି ଘଟଣାକୁ ମୁକ୍ତି ପରେ ସମ୍ଭାବ୍ୟ ଆଇନଶୃଙ୍ଖଳା ଓ ସାମ୍ପ୍ରଦାୟିକ ସଦଭାବନା ସହ ଯୋଡ଼ି ଦେଖାଯାଇଛି। ଏହା ପୂର୍ବରୁ ମାର୍ଚ୍ଚ ୨୦୨୫ରେ କେନ୍ଦୁଝର ଜିଲ୍ଲା ପ୍ରଶାସନ କିଛି କଠୋର ସର୍ତ୍ତ ଲଗାଇ ସାମାଜିକ ସଦ୍ ଭାବ ସୁନିଶ୍ଚିତ କରାଗଲେ ଦାରା ସିଂଙ୍କ ଆଗୁଆ ମୁକ୍ତି ଉପରେ ବିଚାର କରାଯାଇପାରେ ବୋଲି ସୁପାରିସ କରିଥିଲା। କିନ୍ତୁ ସଦ୍ୟତମ ରିପୋର୍ଟକୁ ବୋର୍ଡ ନିର୍ଦ୍ଦିଷ୍ଟ ସୁପାରିସ ବିହୀନ ଓ ଅନିର୍ଣ୍ଣାୟକ ବୋଲି ଦର୍ଶାଇ ଶେଷରେ ମୁକ୍ତି ବିରୋଧରେ ନିଷ୍ପତ୍ତି ନେଇଛି। ପୂର୍ବରୁ ୫ ଥର ଖାରଜ ହୋଇଛି ଆବେଦନ। ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନ ପ୍ରଥମ ଥର ପାଇଁ ଖାରଜ ହୋଇନାହିଁ। ୨୦୧୬, ୨୦୧୯, ୨୦୨୦, ୨୦୨୨ ଓ ୨୦୨୩ରେ ମଧ୍ୟ ତାଙ୍କ ଆବେଦନ ଖାରଜ ହୋଇଥିଲା। ସେତେବେଳେ ମଧ୍ୟ ସାମ୍ପ୍ରଦାୟିକ ସଦ୍ ଭାବ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ କାରଣ ଭାବେ ଦର୍ଶାଯାଇଥିଲା।
ଓଡ଼ିଶା ସରକାରଙ୍କ ୨୦୨୨ remission guidelines ଅନୁସାରେ ଆଗୁଆ ମୁକ୍ତି ପାଇଁ ତାଙ୍କ ମାମଲା ବିଚାରଯୋଗ୍ୟ ହୋଇଥିଲା। ଏହି ନୀତି ଅନୁସାରେ ତାଙ୍କ ମାମଲା ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଦାବିରେ ସେ ୨୦୨୪ରେ ସୁପ୍ରିମକୋର୍ଟ ଯାଇଥିଲେ। ଦାରା ସିଂଙ୍କ ଆବେଦନ ଉପରେ ବାରମ୍ବାର ନିଷ୍ପତ୍ତି ଟାଳିବାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।
ଅଗଷ୍ଟ ୧୯ରେ କୋର୍ଟ ସେପ୍ଟେମ୍ବର ୨ ସୁଦ୍ଧା ନିଷ୍ପତ୍ତି ନେଇ ତାହା ଜଣାଇବାକୁ ବୋର୍ଡକୁ କହିଥିଲେ। ମୁକ୍ତି ଦେବେ କି ଖାରଜ କରିବେ, ତାହା ସରକାର ନିଷ୍ପତ୍ତି ନିଅନ୍ତୁ। ମାମଲାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଝୁଲାଇ ରଖାଯାଇପାରିବ ନାହିଁ। ଆବଶ୍ୟକ ହେଲେ ସମ୍ପୃକ୍ତ ଅଧିକାରୀଙ୍କୁ ଡକାଯାଇପାରେ ବୋଲି ମଧ୍ୟ କୋର୍ଟ ସତର୍କ କରାଇଥିଲେ। ଏବେ ସମସ୍ତଙ୍କ ନଜର ସେପ୍ଟେମ୍ବର ୧୭ର ସୁପ୍ରିମକୋର୍ଟ ଶୁଣାଣି ଉପରେ।








