ଓଡ଼ିଶା

ବନ୍ୟାଞ୍ଚଳ ପରିଦର୍ଶନ ବେଳେ ବିଧାୟକଙ୍କୁ ଦୁର୍ବ୍ୟବହାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସଙ୍ଗିନ ଥିବା ବେଳେ ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି । ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ଭାସ୍କର ମଢ଼େଇ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବା ସମୟରେ ଲୋକଙ୍କ ଆକ୍ରୋଶ ଏବଂ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି । ବନ୍ୟା ବିପନ୍ନଙ୍କ ଅବସ୍ଥା ଦେଖିବାକୁ ଯାଇଥିବା ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ଏଭଳି ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହା ସ୍ଥାନୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭାଇରାଲ ହେଉଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଧାୟକ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝୁଥିବା ବେଳେ ଜଣେ ଯୁବକ ତାଙ୍କ ସହ ଯୁକ୍ତିତର୍କ କରୁଛନ୍ତି । ଯୁବକ ଜଣକ ଅତ୍ୟନ୍ତ ଉଗ୍ର ରୂପ ଧାରଣ କରି ବିଧାୟକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବାର ନଜର ଆସିଛନ୍ତି । ଏପରିକି କଥା କଟାକଟି ଭିତରେ ଉକ୍ତ ଯୁବକ ଜଣକ ବିଧାୟକଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବା ମଧ୍ୟ ଭିଡିଓରେ ଦେଖାଯାଇଛି । ବିଧାୟକ ଭାସ୍କର ମଢ଼େଇ ନିଜକୁ ଶାନ୍ତ ରଖି ଯୁବକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ କିଛି ଶୁଣିବା ଅବସ୍ଥାରେ ନଥିଲେ ଏବଂ କ୍ରମାଗତ ଭାବେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲେ । ଯୁବକଙ୍କ ଏଭଳି ଉଦ୍ଧତ ଆଚରଣକୁ ନେଇ ବିଧାୟକ ନିଜର ଅସନ୍ତୋଷ ଓ ବିରକ୍ତି ପ୍ରକାଶ କରିଥିଲେ ।

ଏହି ଘଟଣାକୁ ନେଇ ବିଧାୟକ ଭାସ୍କର ମଢ଼େଇ ପରେ ଗଣମାଧ୍ୟମ ଆଗରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ, ବନ୍ୟା କାରଣରୁ ଲୋକେ ଜଳବନ୍ଦୀ ଥିବା ବେଳେ ସେମାନଙ୍କ ଅବସ୍ଥା ଅନୁଧ୍ୟାନ କରିବା ପାଇଁ ସେ ଉକ୍ତ ଅଞ୍ଚଳକୁ ଯାଇଥିଲେ । ସେଠାରେ ଜଣେ ସ୍ଥାନୀୟ ଯୁବକ ନିଜ ଉଦ୍ୟମରେ ଲୋକମାନଙ୍କୁ ମାଗଣାରେ ଖାଦ୍ୟ ଓ ରିଲିଫ୍ ବାଣ୍ଟୁଥିବା ଦେଖି ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । କିନ୍ତୁ ହଠାତ୍ ଅନ୍ୟ ଜଣେ ଯୁବକ ମଦ୍ୟପାନ କରି ସେଠାରେ ପହଞ୍ଚିଯାଇଥିଲେ। ସେ ବିଧାୟକଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ସହ କହିଥିଲେ ଯେ, “ଆପଣ କେବଳ ଭୋଟ୍ ମାଗିବା ପାଇଁ ଏଠାକୁ ଆସିଛନ୍ତି, ଲୋକଙ୍କ ଦୁଃଖ ସହ ଆପଣଙ୍କର କୌଣସି ସମ୍ପର୍କ ନାହିଁ ।”

ମଦ୍ୟପ ଯୁବକଙ୍କ ଏଭଳି ବିଶୃଙ୍ଖଳିତ କଥାରେ ବିଧାୟକ ବିରକ୍ତ ହୋଇଥିଲେ ସତ, କିନ୍ତୁ ଘଟଣାଟିକୁ ସୋସିଆଲ ମିଡିଆରେ ଅତିରଞ୍ଜିତ କରି ଉପସ୍ଥାପନ କରାଯାଉଛି ବୋଲି ଭାସ୍କର ମଢ଼େଇ ଦାବି କରିଛନ୍ତି । ଜଣେ ଲୋକପ୍ରତିନିଧି ବିପଦ ସମୟରେ ଲୋକଙ୍କ ପାଖରେ ଠିଆ ହେବାକୁ ଯାଇଥିବା ବେଳେ ତାଙ୍କ ସହ ଏଭଳି ଅଭଦ୍ରାମୀ କରାଯିବା ଘଟଣାକୁ ସାଧାରଣ ଲୋକ ନିନ୍ଦା କରିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL