ଓଡ଼ିଶା

ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୂରଣ ହେବ ଖାଲି ପଡ଼ିଥିବା ୧୪୦୦ ଖାଲି ପଦ

ଭୁବନେଶ୍ୱର  : ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦ ପୂରଣକୁ ନେଇ ବଡ଼ କସରତ । ଲୋକ ଭବନରେ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି। ବୈଠକରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଯୋଗ ଦେଇଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ଥିଲେ । ବିଶେଷ କରି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ୧୪୦୦ରୁ ଅଧିକ ପଦରେ ନିଯୁକ୍ତି କିଭଳି ଶୀଘ୍ର କରାଯିବ, ତାହା ବୈଠକର ପ୍ରମୁଖ ପ୍ରସଙ୍ଗ ରହିଥିଲା। ନଭେମ୍ବର ମାସରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ଯଥାସମ୍ଭବ କମ୍ ସମୟ ମଧ୍ୟରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର।

ତାଙ୍କ କହିବା ଅନୁସାରେ, ଖାଲି ପଦ ପୂରଣ ପ୍ରକ୍ରିୟାକୁ ଆଉ ବିଳମ୍ବ ନକରି ଆଗକୁ ନେବା ଉପରେ ଆଲୋଚନା ହୋଇଛି। ନଭେମ୍ବରରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ଏହାକୁ ଶୀଘ୍ର ସାରିବା ଦିଗରେ ପଦକ୍ଷେପ ନିଆଯିବ। ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବୈଠକ ପରେ ଏନେଇ ସ୍ପଷ୍ଟ ଚିତ୍ର ଦେଇଛନ୍ତି ରେଭେନ୍ସା କୁଳପତି। ଆଜିର ଉଚ୍ଚସ୍ତରୀୟ ବୈଠକରେ ଛାତ୍ର ସଂସଦ କିମ୍ବା କଲେଜ ନିର୍ବାଚନ ସମ୍ପର୍କରେ କୌଣସି ଆଲୋଚନା ହୋଇନଥିବା ସେ କହିଛନ୍ତି। ଏପରିକି ଏହି ପ୍ରସଙ୍ଗରେ କୁଳପତିମାନଙ୍କୁ କୌଣସି ମତାମତ ମଧ୍ୟ ପଚରାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି। ତେଣୁ ଲୋକ ଭବନର ଏହି ବୈଠକରେ ମୁଖ୍ୟ ଫୋକସ୍ ରହିଥିଲା ବିଶ୍ୱବିଦ୍ୟାଳୟର ଖାଲି ପଦ ଓ ନିଯୁକ୍ତି ପ୍ରକ୍ରିୟା। ନଭେମ୍ବରରୁ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୧୪୦୦ରୁ ଅଧିକ ଖାଲି ପଦ କେତେ ଶୀଘ୍ର ପୂରଣ ହେଉଛି, ତାହା ଉପରେ ଏବେ ନଜର ରହିବ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL