ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ଓ ତା ପରବର୍ତ୍ତୀ ବନ୍ୟା ଯୋଗୁ ରାଜ୍ୟରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ଆକଳନ କରିଛନ୍ତି କେନ୍ଦ୍ରୀୟ ଟିମ୍। ଏହି ଟିମ୍ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ରବିଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବନ୍ୟା, ବାତ୍ୟା ଓ ଗ୍ରୀଷ୍ମ ପ୍ରବାହ ପରି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଆସୁଛି। ଏହାଦ୍ୱାରା ରାଜ୍ୟର ବିକାଶ କାମ ବାଧାପ୍ରାପ୍ତ ହେଉଛି। ତେଣୁ, କେନ୍ଦ୍ରୀୟ ଟିମ୍ ତାଙ୍କ ରିପୋର୍ଟରେ ତତ୍କାଳ ରିଲିଫ ଓ ପୁନନିର୍ମାଣ ପାଇଁ ସହାୟତା ସହିତ ଏହାର ସ୍ଥାୟୀ ପ୍ରତିକାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।ରାଜ୍ୟରେ ବାତ୍ୟା ଓ ବନ୍ୟା ପ୍ରତିରୋଧୀ ଭିତ୍ତିଭୂମିର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏହାଦ୍ୱାରା ଓଡିଶାର ଲୋକମାନେ ସ୍ଥାୟୀ ସମାଧାନ ପାଇ ପାରିବେ ଏବଂ ରାଜ୍ୟର ବିକାଶ ବାଧାପ୍ରାପ୍ତ ନହୋଇ ତ୍ୱରାନ୍ୱିତ ହେବ।ବନ୍ୟା କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ର ସରକାରଙ୍କୁ ୨୫୨୬ କୋଟି ଟଙ୍କାର ସହାୟତା ମାଗିଛି ଓଡ଼ିଶା। ଏଥିସହ ବନ୍ୟାର ସ୍ଥାୟୀ ସମାଧାନ ପାଇଁ ଅତିରିକ୍ତ ୧୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଦାବି କରାଯାଇଛି।






