ଭୁବନେଶ୍ବର : ଓଡ଼ିଶା ଉପକୂଳରୁ ସ୍ୱଦେଶୀ ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ଓଡ଼ିଶା ଉପକୂଳରୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ଉଡ଼ାଣ ପରୀକ୍ଷଣ କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା ଡିଆରଡିଓ । ଗୁରୁବାର ଧାମରା ନିକଟସ୍ଥ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋସିଆଲ ମିଡିଆ ଏକ୍ସରେ ଏହି ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି ।
ରାଜନାଥ ସିଂହ କହିଛନ୍ତି, ସେନାର ବ୍ୟବହାରିକ ଆବଶ୍ୟକତା ଅନୁଯାୟୀ ହୋଇଥିବା ୟୁଜର୍ ଇଭାଲୁଏସନ୍ ଟ୍ରାଏଲରେ କ୍ଷେପଣାସ୍ତ୍ର ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ କରିଛି । ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ବିଭିନ୍ନ ଟ୍ରାକିଂ ଓ ମାପକ ଯନ୍ତ୍ରରୁ ସଂଗୃହୀତ ତଥ୍ୟ ଆଧାରରେ ପରୀକ୍ଷଣର ସଫଳତା ନିଶ୍ଚିତ କରାଯାଇଛି । ପ୍ରଳୟ ହେଉଛି ସ୍ୱଦେଶୀ ଭାବେ ବିକଶିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ଏହାର ମାରକ କ୍ଷମତା ପ୍ରାୟ ୧୫୦ରୁ ୫୦୦ କିଲୋମିଟର। ଏଥିରେ ଅତ୍ୟାଧୁନିକ ନାଭିଗେସନ୍ ଓ ଗାଇଡାନ୍ସ ବ୍ୟବସ୍ଥା ରହିଛି । ଉଡ଼ାଣ ସମୟରେ ଗତିପଥ ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ଏହାର ଅନ୍ୟତମ ବିଶେଷତ୍ୱ ।
ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରତ ସହ ଡିଆର୍ ଡିଓର ଅନ୍ୟାନ୍ୟ ପରୀକ୍ଷାଗାର ମିଳିତ ଭାବେ ଏହି କ୍ଷେପଣାସ୍ତ୍ର ବିକଶିତ କରିଛ ନ୍ତି। ଭାରତ ଡାଇନାମିକ୍ସ ଲିମିଟେଡ୍ ଏହାର ଉତ୍ପାଦନରେ ସହଯୋଗ କରିଛି । ପରୀକ୍ଷଣ ସମୟରେ ଡିଆରଡିଓର ବରିଷ୍ଠ ଅଧିକାରୀ, ପ୍ରତିରକ୍ଷା ବାହିନୀର ପ୍ରତିନିଧି ଏବଂ ଶିଳ୍ପ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ । ସଫଳ ପରୀକ୍ଷଣ ପାଇଁ ଡିଆରଡିଓ, ସଶସ୍ତ୍ର ବାହିନୀ ଓ ଶିଳ୍ପ ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହି ସଫଳତା ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବା ସହ ସଶସ୍ତ୍ର ବାହିନୀର ଯୁଦ୍ଧ ପ୍ରସ୍ତୁତିକୁ ଶକ୍ତିଶାଳୀ କରିବ ବୋଲି ସେ କହିଛନ୍ତି । ସଫଳ ୟୁଜର୍ ଟ୍ରାଏଲ୍ ପରେ ପ୍ରଳୟ କ୍ଷେପଣାସ୍ତ୍ରକୁ ସେନାରେ ସାମିଲ କରିବା ପ୍ରକ୍ରିୟା ଆଉ ଏକ ପାଦ ଆଗକୁ ବଢ଼ିଛି ।






