ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଖଇରାଗଡ଼ ଜିଲ୍ଲା ପୋଲିସ ମୁଖ୍ୟଙ୍କ ନିକଟରେ ଜଣେ ମହିଳା ମାଓ କମାଣ୍ଡର କମଳା ସୋଡ଼ି ଆତ୍ମସମର୍ପଣ କରିଛନ୍ତି। ସରକାର ତାଙ୍କ ନାଁରେ ୧୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। କମଳା ସୋଡ଼ି ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ମାଓ ସଙ୍ଗଠନର ମୁଖ୍ୟ ଥିଲେ। ସେ ୨୦୧୧ରେ ମାଓ ସଙ୍ଗଠନରେ ଯୋଗ ଦେଇଥିଲେ। ମଧ୍ୟପ୍ରଦେଶରୁ ପ୍ରାୟ ୧୨ ଘଣ୍ଟା ଚାଲି ଚାଲି ଆସି ପୋଲିସ ନିକଟରେ ପହଞ୍ଚି ସେ ଆତ୍ମସମର୍ପଣ କରିଥିଲେ। ସେ ହାତରେ ଏକ ଏସଏଲଆର ବନ୍ଧୁକ ଧରିଥିଲେ। ଏହି ତିନି ରାଜ୍ୟରେ ସେ ଅନେକ ହିଂସାକାଣ୍ଡ ଘଟାଇଥିବାରୁ ସେ କୁଖ୍ୟାତ ଥିଲେ।
କମଳା ସୁକମା ଅଞ୍ଚଳର କରଲମପାଲୀ ଗ୍ରାମର ବାସିନ୍ଦା। ସେ କହିଛନ୍ତି ଯେ, ୧୫ ବର୍ଷ ବୟସରେ ସେ ନକ୍ସଲ ସଙ୍ଗଠନରେ ଯୋଗ ଦେଇଥିଲେ। ବଡ଼ ବଡ଼ ନକ୍ସଲ ନେତାମାନେ ଆତ୍ମସମର୍ପଣ କରୁଥିବା ଖବର ପାଇବା ପରେ ସେ ହିଂସା ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ। ମୁଖ୍ୟସ୍ରୋତରେ ସାମିଲ ହୋଇ ଶାନ୍ତିପୂର୍ଣ୍ଣ ଜୀବନ ବିତାଇବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ସରକାରଙ୍କ ଆତ୍ମନିର୍ଭରଶୀଳ ନୀତି ତାଙ୍କୁ ପ୍ରଭାବିତ କରିଥିବା ମଧ୍ୟ ସେ କହିଛନ୍ତି। ସରକାରଙ୍କ ତରଫରୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ତାଙ୍କୁ ତାଲିମ ଦେଇ ସ୍ୱାବଲମ୍ବୀ କରାଯିବ ବୋଲି କୁହାଯାଇଛି।
ଗତ ଦୁଇ ଦିନ ତଳେ ତେଲେଙ୍ଗାନା ଏରିଆ କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇ ସରକାରଙ୍କୁ ପୁଣି ୬ ମାସ ପାଇଁ ଅସ୍ତ୍ରବିରତି କରିବାକୁ ନିବେଦନ କରାଯାଇଛି। ଏହି ସମୟରେ କୌଣସି ଅପ୍ରୀତିକର ଘଟଣା ଘଟାଇବେ ନାହିଁ ବୋଲି ସେମାନେ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ତେବେ ଏହାକୁ ଖଣ୍ଡନ କରି ଆଜି ପୂର୍ବ ଆଞ୍ଚଳିକ ବ୍ୟୁରୋ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରି କୁହାଯାଇଛି ଯେ, ତେଲେଙ୍ଗାନା ଏରିଆ କମିଟି ପକ୍ଷରୁ ଜାରି କରାଯାଇଥିବା ଅସ୍ତ୍ରବିରତି ବିଜ୍ଞପ୍ତିକୁ ଆମେ ନିନ୍ଦା କରୁଛୁ। ଏମାନେ ଅପ୍ରତ୍ୟାଶିତ ଭାବେ ଆତ୍ମସମର୍ପଣ କରିଛନ୍ତି ବୋଲି ପ୍ରବକ୍ତା ସଙ୍କେତ ପ୍ରକାଶ କରିଛନ୍ତି।
ଗତ କିଛି ମାସ ହେଲା ତେଲେଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ଲଗାତାର ଭାବେ ନକ୍ସଲମାନେ ଅସ୍ତ୍ରଶସ୍ତ୍ର ସହ ଏବଂ ବିନା ଅସ୍ତ୍ରଶସ୍ତ୍ରରେ ଆତ୍ମସମର୍ପଣ କରୁଛନ୍ତି, ଯାହା ସଙ୍ଗଠନକୁ ବହୁତ କ୍ଷତି ପହଞ୍ଚାଇଛି। ପୋଲିସ ତରଫରୁ ‘କଗାର’ ନାମକ ଅପରେସନ କରାଯିବାରୁ ଅନେକ ନକ୍ସଲ ମୃତ୍ୟୁବରଣ କରିଥିଲେ। ଏହାପରେ ନକ୍ସଲମାନେ ସରକାରଙ୍କୁ ଶାନ୍ତିବାର୍ତ୍ତା ପାଇଁ ଆହ୍ୱାନ କରି ବିଫଳ ହେଲେ। ତେଣୁ ଜୀବନ ବଞ୍ଚାଇବା ପାଇଁ ଏମାନେ ଆତ୍ମସମର୍ପଣର ପଥ ବାଛିନେଲେ ବୋଲି କୁହାଯାଇଛି। କ୍ରାନ୍ତିକାରୀ ଆନ୍ଦୋଳନରେ ଉତ୍ଥାନ-ପତନ ଆସେ। ଆନ୍ଦୋଳନରେ ଅନେକ କଷ୍ଟ ରହିଛି। ଆମ ପାର୍ଟି ମଧ୍ୟ ବହୁ ଥର ଉତ୍ଥାନ-ପତନ ଦେଇ ଆଜି ଏ ପର୍ଯ୍ୟନ୍ତ ପହଞ୍ଚିଛି। ତେଲେଙ୍ଗାନା ଏରିଆ କମିଟି ତେଲେଙ୍ଗାନା ସରକାରଙ୍କ ନିକଟରେ ଏକପ୍ରକାର ଆତ୍ମସମର୍ପଣ କରିସାରିଛି। ଅସ୍ତ୍ରବିରତି ନେଇ ତେଲେଙ୍ଗାନା ଏରିଆ କମିଟି ଆମ ସହ କୌଣସି ଆଲୋଚନା କରିନାହିଁ, ଯାହା ସଙ୍ଗଠନରେ ଦୁଇ ଗୋଷ୍ଠୀ ହେବା ନେଇ ସୂଚନା ଦେଉଛି। ଆତ୍ମସମର୍ପଣ କରୁଥିବା ନକ୍ସଲମାନେ କାପୁରୁଷ ଓ ଭୀରୁ ଅଟନ୍ତି। ତେଣୁ ଜନସାଧାରଣ ସେମାନଙ୍କୁ ପ୍ରଶ୍ନ କରନ୍ତୁ ଏବଂ କ୍ରାନ୍ତିକାରୀ ଆନ୍ଦୋଳନକୁ ଆଗକୁ ବଢ଼ାଇବାରେ ସହଯୋଗ କରନ୍ତୁ ବୋଲି ମାଓ ନେତା ସଙ୍କେତ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି।







