ଜାତୀୟ

ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାମପୁରହାଟ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ରାମପୁରହାଟରେ ରବିବାର ସକାଳେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘର ନିକଟସ୍ଥ ଦଳୀୟ କାର୍ଯ୍ୟାଳୟରୁ ଉଦ୍ଧାର କରାଯାଇଛି। ଘଟଣା ପରେ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଶିଷ ବାନାର୍ଜୀ ରାମପୁରହାଟ ବିଧାନସଭା ଆସନରୁ ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମମତା ବାନାର୍ଜୀ ସରକାରରେ ସେ କୃଷି ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗ ବିଧାନସଭାର ଉପବାଚସ୍ପତି ଥିଲେ।୨୦୨୬ ବିଧାନସଭା ନିର୍ବାଚନରେ ରାମପୁରହାଟ ଆସନରେ ସେ ବିଜେପିର ଧ୍ରୁବ ସାହାଙ୍କ ନିକଟରୁ ପରାଜିତ ହୋଇଥିଲେ। ନିର୍ବାଚନ ପରେ ଜୁନ୍ ମାସରେ ସେ ବୀରଭୂମ ଜିଲ୍ଲା ତୃଣମୂଳ କଂଗ୍ରେସ କୋର୍ କମିଟିରୁ ଇସ୍ତଫା ଦେଇଥିଲେ। ତେବେ ଦଳର ସାଧାରଣ ସଦସ୍ୟ ଭାବେ ରହିବେ ବୋଲି ସେ କହିଥିଲେ।

ସ୍ଥାନୀୟ ଖବର ଅନୁଯାୟୀ, ଆଶିଷ ବାନାର୍ଜୀ ରାମପୁରହାଟର ହାଟତଲାପଡ଼ା ଅଞ୍ଚଳରେ ବାସ କରୁଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଦଳୀୟ କାର୍ଯ୍ୟାଳୟ ବାହାରେ ବହୁ ସଂଖ୍ୟାରେ ଲୋକ ଓ ସମର୍ଥକଙ୍କ ଭିଡ଼ ଜମିଥିଲା।ଘଟଣାସ୍ଥଳରୁ ଏକ ହାତଲେଖା ଚିଠି ମିଳିଥିବା ନେଇ ପୁଲିସ ସୂଚନା ଦେଇଛି। ତେବେ ଚିଠିଟି ତାଙ୍କର କି ନୁହେଁ ଏବଂ ମୃତ୍ୟୁର ପ୍ରକୃତ କାରଣ କଣ, ସେନେଇ ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଓ ପୁଲିସ ତଦନ୍ତ ପରେ ଘଟଣାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।ଆଶିଷ ବାନାର୍ଜୀଙ୍କ ଏଭଳି ମୃତ୍ୟୁ ଘଟଣା ପଶ୍ଚିମବଙ୍ଗର ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL