ଜାତୀୟ

ରିପବ୍ଲିକାନ୍ ବହୁମତ ବଜାୟ ରଖିଲେ ପ୍ରତ୍ୟେକ ବରିଷ୍ଠ ଆମେରିକୀୟଙ୍କୁ ମିଳିବ ୫,୦୦୦ ଡଲାର, ଘୋଷଣା କଲେ ଟ୍ରମ୍ପ

ୱାଶିଂଟନ: ଆମେରିକୀୟଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନଭେମ୍ବର ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ପ୍ରତିନିଧି ସଭା ଓ ସିନେଟ୍‌ରେ ବହୁମତ ବଜାୟ ରଖିଲେ, ପ୍ରତ୍ୟେକ ବୟସ୍କ ଆମେରିକୀୟଙ୍କୁ ୫,୦୦୦ ଡଲାର ଦିଆଯିବ ବୋଲି ଟ୍ରମ୍ପ କହିଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୪.୭୬ ଲକ୍ଷ ଟଙ୍କା। ଡାଲାସରେ ରିପବ୍ଲିକାନ୍ ସମ୍ମିଳନୀକୁ ସମ୍ବୋଧିତ କରି ଟ୍ରମ୍ପ ଏହି ଘୋଷଣା କରିଥିଲେ। ସେ ଏହି ଯୋଜନାକୁ ‘ଟ୍ରମ୍ପ ଡିଭିଡେଣ୍ଡ’ ନାମ ଦେଇଛନ୍ତି। ଆମେରିକାର ଅର୍ଥନୈତିକ ଶକ୍ତି ଓ ସଫଳତାରୁ ଏହି ଲାଭାଂଶ ଦିଆଯିବ ବୋଲି ସେ ଦାବି କରିଛନ୍ତି।

ତେବେ ଏହି ବିପୁଳ ଅର୍ଥ କେଉଁଠାରୁ ଆସିବ, କେଉଁମାନେ ଏହା ପାଇବେ ଏବଂ କିପରି ଟଙ୍କା ବଣ୍ଟନ ହେବ—ସେନେଇ ଟ୍ରମ୍ପ ସ୍ପଷ୍ଟ ଭାବେ କିଛି କହିନାହାନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସଂସଦୀୟ ଅନୁମୋଦନ ମଧ୍ୟ ଆବଶ୍ୟକ ହେବ।ଆମେରିକାରେ ପ୍ରାୟ ୨୬୯.୮ ନିୟୁତ ବୟସ୍କ ଥିବା ଆକଳନ ଅନୁଯାୟୀ, ପ୍ରତ୍ୟେକଙ୍କୁ ୫,୦୦୦ ଡଲାର ଦିଆଗଲେ ସରକାରଙ୍କୁ ପ୍ରାୟ ୧.୩୫ ଟ୍ରିଲିୟନ ଡଲାର ଖର୍ଚ୍ଚ କରିବାକୁ ପଡ଼ିପାରେ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୧୨୮.୨୫ ଲକ୍ଷ କୋଟି ଟଙ୍କା ସହ ସମାନ।

ଏହି ରାଶି ବିଶ୍ୱର ପ୍ରାୟ ୧୬୨ଟି ଦେଶର ଅର୍ଥନୀତିଠାରୁ ମଧ୍ୟ ବଡ଼ ବୋଲି ତୁଳନା କରାଯାଇଛି। ୨୦୨୫ର ବିଶ୍ୱ ବ୍ୟାଙ୍କ ତଥ୍ୟ ଅନୁସାରେ, କେବଳ ୧୯ଟି ଦେଶର GDP ଏହି ରାଶିଠାରୁ ଅଧିକ।୨୦୨୫ରେ ଆମେରିକାର GDP ପ୍ରାୟ ୩୦.୮ ଟ୍ରିଲିୟନ ଡଲାର ଥିବାବେଳେ, ୧.୩୫ ଟ୍ରିଲିୟନ ଡଲାରର ଏହି ଯୋଜନା ଦେଶର GDPର ପ୍ରାୟ ୪.୨ ପ୍ରତିଶତ ସହ ସମାନ।ଅନ୍ୟପକ୍ଷରେ, ଆମେରିକାର ବାର୍ଷିକ ବଜେଟ୍ ନିଅଣ୍ଟ ପ୍ରାୟ ୧.୮ ଟ୍ରିଲିୟନ ଡଲାର ରହିଛି। ତେଣୁ ଏତେ ବଡ଼ ଅର୍ଥରାଶି ବଣ୍ଟନ କରାଗଲେ ସରକାରୀ ଖର୍ଚ୍ଚ ଓ ବଜେଟ୍ ନିଅଣ୍ଟ ଉପରେ ଅତିରିକ୍ତ ଚାପ ପଡ଼ିପାରେ।

ଆମେରିକାର ଜାତୀୟ ଋଣ ପୂର୍ବରୁ ୪୦ ଟ୍ରିଲିୟନ ଡଲାର ଅତିକ୍ରମ କରିସାରିଛି। ଏଭଳି ସ୍ଥିତିରେ ୧.୩୫ ଟ୍ରିଲିୟନ ଡଲାରର ନୂଆ ଅର୍ଥ ବଣ୍ଟନ ହେଲେ ସରକାରୀ ଋଣ ଉପରେ ଚାପ ବଢ଼ିବା ସହ ମୁଦ୍ରାସ୍ଫୀତିକୁ ନେଇ ମଧ୍ୟ ଚିନ୍ତା ସୃଷ୍ଟି ହୋଇପାରେ।ତେବେ ‘ଟ୍ରମ୍ପ ଡିଭିଡେଣ୍ଡ’ ବାସ୍ତବରେ କେବେ ଓ କିପରି ଲାଗୁ ହେବ, ତାହା ରିପବ୍ଲିକାନ୍ ପାର୍ଟିର ନିର୍ବାଚନୀ ପ୍ରଦର୍ଶନ ଏବଂ ପରବର୍ତ୍ତୀ ସଂସଦୀୟ ପ୍ରକ୍ରିୟା ଉପରେ ନିର୍ଭର କରିବ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL