ମୁମ୍ବାଇ : ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ସିବିଆଇ ପକ୍ଷରୁ ଏଫଆଇଆର୍ ରୁଜୁ । ଆଦିତ୍ୟ ଠାକରେ, ଡିନୋ ମୋରିଆ ଓ ରିୟା ଚକ୍ରବର୍ତ୍ତୀଙ୍କ ନାଁ ଏଫଆଇଆରରେ ସାମିଲ । ସ୍ୱର୍ଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଆଜି ସିବିଆଇ ଆନୁଷ୍ଠାନିକ ଭାବେ ଏଫଆଇଆର୍ ରୁଜୁ କରିଛି । ରାଜନେତା, ଅଭିନେତା ଓ ପୋଲିସ ଅଧିକାରୀଙ୍କ ନାଁ ଏଫଆଇରରେ ରହିଛି ।
ଶିବସେନା UBT ନେତା ତଥା ବିଧାୟକ ଆଦିତ୍ୟ ଠାକରେଙ୍କ ନାଁରେ ତଦନ୍ତକୁ ଚପାଇଦେବା ଅଭିଯୋଗ ରହିଛି । ସେହିପରି ସରକାରୀ କଳର ଅପବ୍ୟବହାର ଅଭିଯୋଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଭୂମିକା ଉପରେ ମଧ୍ୟ ଅଭିଯୋଗ ଉଠିଛି । ଅଭିନେତା ଡିନୋ ମୋରିଆ, ସୁରଜ ପାଞ୍ଚୋଲି, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀ, ଦିଶାଙ୍କ ସାଥୀ ରୋହନ ରାୟ ଏବଂ ଆଦିତ୍ୟ ଠାକରେଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ନାଁରେ ମଧ୍ୟ ଅଭିଯୋଗ ରହିଛି । ଏହାସହ ମୁମ୍ବାଇର ତତ୍କାଳୀନ ପୋଲିସ କମିଶନର ପରମବୀର ସିଂହଙ୍କ ସହ ମାଲଭାନି ଥାନା ଏବଂ SIT ସହ ଜଡ଼ିତ ଥିବା ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ନାଁ ଏଫଆଇଆରରେ ରହିଛି । ପୋଷ୍ଟମର୍ଟମ୍ ପ୍ରକ୍ରିୟାରେ ସମ୍ପୃକ୍ତ ଥିବା ଡାକ୍ତର ଓ ମେଡିକାଲ କର୍ମଚାରୀ, କଲିନାସ୍ଥିତ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରୀ (FSL)ର କର୍ମଚାରୀ ଏବଂ ଘଟଣା ଘଟିଥିବା ଆପାର୍ଟମେଣ୍ଟର ସୁରକ୍ଷାକର୍ମୀଙ୍କ ନାଁ ମଧ୍ୟ ଉଲ୍ଲେଖ ରହିଛି ।
ଏଫଆଇରରେ ଆଇପିସିର ହତ୍ୟା ଧାରା 302, ଗଣଦୁଷ୍କର୍ମ ଧାରା 376D, ଅପରାଧିକ ଷଡ଼ଯନ୍ତ୍ର ଧାରା 120B, ପ୍ରମାଣ ନଷ୍ଟ କରିବା ପାଇଁ IPC ଧାରା 201 ଲାଗିଛି । ମିଥ୍ୟା ସୂଚନା ପ୍ରଦାନ ପାଇଁ 177/182 IPC ଧାରା ଲଗାଯାଇଛି । ୮ ଜୁନ୍ ୨୦୨୦ରେ ୨୮ ବର୍ଷୀୟା ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନ୍ ମୁମ୍ବାଇର ମଲାଡ୍ ସ୍ଥିତ ଏକ ଆପାର୍ଟମେଣ୍ଟରୁ ଖସିପଡ଼ି ପ୍ରାଣ ହରାଇଥିଲେ । ମୁମ୍ବାଇ ପୋଲିସ ଦୀର୍ଘ ଦିନ ଧରି ଏହାକୁ କେବଳ ଏକ ଅପମୃତ୍ୟୁ ମାମଲା (ADR) ଭାବେ ରଖିଥିଲା । ଏହାର ୬ ଦିନ ପରେ ୧୪ ଜୁନ୍ ୨୦୨୦ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଉଭୟ ମାମଲା ମଧ୍ୟରେ କୌଣସି ଲିଙ୍କ୍ ଥାଇପାରେ ବୋଲି ସନ୍ଦେହ କରାଯାଉଥିଲା। ଦିଶାଙ୍କ ପରିବାରର ସଙ୍ଗୀନ ଅଭିଯୋଗକୁ ଭିତ୍ତି କରି କୋର୍ଟ ତୁରନ୍ତ ସିବିଆଇକୁ ତଦନ୍ତ ଭାର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।




