ଭୁବନେଶ୍ୱର : ପୂଜା ପୂର୍ବରୁ ପ୍ରସ୍ତୁତ କମିଶନରେଟ ପୋଲିସ । ପୋଲିସ ସେବା ଭବନରେ ବସିଲା ବଡ଼ ବୈଠକ । ଶାରଦୀୟ ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣଉତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଭୁବନେଶ୍ବର କମିଶନରେଟ ପୋଲିସ ପକ୍ଷରୁ ପୋଲିସ ସେବା ଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପୋଲିସ କମିଶନର ଏସ୍ . ଦେବଦତ୍ତ ସିଂ, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଭୁବନେଶ୍ୱର ସହର ଓ ଉପକଣ୍ଠର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଓ ଜନପ୍ରତିନିଧିମାନେ ଯୋଗଦେଇଥିଲେ । ମଣ୍ଡପରେ ଭିଡ଼ ନିୟନ୍ତ୍ରଣ, ମହିଳା ଭକ୍ତଙ୍କ ସୁରକ୍ଷା, ଭସାଣ ଶୋଭାଯାତ୍ରାର ପରିଚାଳନା ପାଇଁ ସିସିଟିଭିରେ ନଜର ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି।
ଏହାସହ ମେଲୋଡି କାର୍ଯ୍ୟକ୍ରମର ସମୟସୀମା, ଡିଜେ ବ୍ୟବହାର, ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଓ ପ୍ଲାଷ୍ଟିକର ସର୍ବନିମ୍ନ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସିଙ୍ଗିଲ୍ ୱିଣ୍ଡୋରେ ଲାଇସେନ୍ସ ବ୍ୟବସ୍ଥା, ପାନୀୟ ଜଳ, ଅଗ୍ନିଶମ ସୁବିଧା, ଭ୍ରାମ୍ୟମାଣ ଟଏଲେଟ୍ ଓ ନିର୍ମାଣାଧୀନ ରାସ୍ତାଘାଟ ଭଳି ପ୍ରସଙ୍ଗ ଉପରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଛି ।








