ଓଡ଼ିଶା

ପୋଲ ଉପରେ ୪ ଫୁଟ ଉଚ୍ଚର ବନ୍ୟା ଜଳ, ଯୋଗାଯୋଗ ବିଚ୍ଛିନ୍ନ

ବଂଶପାଳ : କେନ୍ଦୁଝର‌‌‌ ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ବାତ୍ୟା ଜନିତ ଲଗାଣ ବର୍ଷା ଜାରି ରହିଛି । ୨ ଦିନ ଲଗାଣ ବର୍ଷା ହେବା ପରେ ଆଜି ସକାଳେ ଉପର ମୁଣ୍ଡରେ ସମାକୋଇ ନଦୀର ପଙ୍ଗା ପୋଲ ଉପରେ ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ତେଲକୋଇ- ହରିଚନ୍ଦନପୁର ଓ ଘଟଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପଙ୍ଗା ପୋଲ ନିକଟରେ ଉଭୟ ପାର୍ଶ୍ବରେ ଯାତ୍ରୀବାହୀ ବସ୍ ଓ ଗାଡ଼ି ମୋଟର ଅଟକି ରହିଛି । ସେହିପରି ତେଲକୋଇ ଶିବନାରାୟଣପୁର ଗୋଡା ରାସ୍ତାର ଶଙ୍କରପୁର ନାଳ ପୋଲ ଉପରେ ୪ ଫୁଟ୍ ବନ୍ୟାଜଳ ପ୍ରବାହିତ ହେଉଛି । ଉଭୟ ପାର୍ଶ୍ବରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଗାଡି ମୋଟର ଓ ଶିକ୍ଷକ ଶିକ୍ଷୟିତ୍ରୀ ଜନସାଧାରଣ ଅଟକି ରହିଛନ୍ତି ।

ଓରିଆବିରିଦା ପଞ୍ଚାୟତ ଅନ୍ତର୍ଗତ ପିଟାନାଳୀ ଓଏଭି ସ୍କୁଲ ନାଳ ପୋଲ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି । ବର୍ଷାକୁ ଆଖି ଆଗରେ ରଖି ଆଗୁଆ ସ୍କୁଲ ଛୁଟି ଘୋଷଣା କରାଯାଇ ପାରେ ବୋଲି ଅଧ୍ୟକ୍ଷ ରଘୁନାଥ ପରିଡ଼ା ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଘୁରୁଡିଆ ଓ ଟେନାର ନାଳ ସମେତ ଅନ୍ୟାନ୍ୟ ନାଳ ଗୁଡିକରେ ବନ୍ୟାଜଳ ପ୍ରବାହିତ ହେଉଛି । ସମାକୋଇ ଧିରେ ଧିରେ ଫୁଲିବା ଆରମ୍ଭ କରିଛି । ଆଗକୁ ଲଗାଣ ବର୍ଷା ଜାରି ରହିଲେ ତେଲକୋଇ ବାହ୍ୟ ଜଗତରୁ ବିଛିନ୍ନ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟା ଭିତରେ ତେଲକୋଇରେ ୬୧.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL