ଓଡ଼ିଶା

ସମ୍ବଲପୁରରେ ନକଲି ସିମ୍‌ କାରବାର; ୩ ଗିରଫ

ସମ୍ବଲପୁର: ସମ୍ବଲପୁର ସାଇବର ଥାନା ପୋଲିସ ନକଲି ସିମ୍‌ କାର୍ଡ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଚପୁଟର ସୂରଜ ବାଗ (୨୪), ସିନାପାଲିର ମାଳତୀ ଓରାମ ଓରଫ ମାଳା (୨୯) ଏବଂ ସମ୍ବଲପୁର ମୋତିଝରଣର ପାପୁ ଓରଫ ଶେଖ ପରୱେଜ (୩୨)।ସମ୍ବଲପୁର ସାଇବର ଥାନା ମାମଲା ନଂ-୩୪, ତା. ୨୨.୦୯.୨୦୨୬ର ତଦନ୍ତ ବେଳେ ଏହି ନକଲି ସିମ୍‌ କାରବାର ସାମ୍ନାକୁ ଆସିଥିଲା। ଅଭିଯୁକ୍ତମାନେ ଗ୍ରାହକଙ୍କ ପରିଚୟ ପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ବ୍ୟବହାର କରି ଗୋଟିଏ ନମ୍ବର ବଦଳରେ ଏକାଧିକ ସିମ୍‌ ପ୍ରସ୍ତୁତ କରୁଥିଲେ। ଗ୍ରାହକଙ୍କୁ ଗୋଟିଏ ସିମ୍‌ ଦେବା ପରେ ଅତିରିକ୍ତ ସିମ୍‌ଗୁଡ଼ିକୁ ନିଜ ପାଖରେ ରଖି ଅନ୍ୟମାନଙ୍କୁ ବିକ୍ରି କରୁଥିଲେ।

ତଦନ୍ତରୁ ଜଣାପଡ଼ିଛି ଯେ, ଏହିପରି ଭାବେ ପ୍ରସ୍ତୁତ କିଛି ସିମ୍‌ ଝାଡ଼ଖଣ୍ଡର ଜାମତାରା ଅଞ୍ଚଳରେ ସାଇବର ଅପରାଧରେ ବ୍ୟବହୃତ ହେଉଥିଲା। ସିମ୍‌ ବିକ୍ରିରୁ ମିଳୁଥିବା ଅର୍ଥ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ବଣ୍ଟାଯାଉଥିବା ନେଇ ମଧ୍ୟ ତଥ୍ୟ ମିଳିଛି।ଅଭିଯୁକ୍ତମାନଙ୍କ ନିକଟରୁ 4ଟି ମୋବାଇଲ୍‌ ଫୋନ୍‌, ୪ଟି ସକ୍ରିୟ ସିମ୍‌, ୧୨୦ଟି ସିଲ୍‌ ଥିବା ଖାଲି ଏୟାରଟେଲ୍‌ ସିମ୍‌ କାର୍ଡ, ୩ଟି ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ବୁକ୍‌, ଆଧାର କାର୍ଡ, ଗୋଟିଏ ଫୋନ୍‌ପେ କ୍ୟୁଆର୍‌ କୋଡ୍‌ ସ୍କାନର, ୪ଟି ଆଫିଡେଭିଟ୍‌, ଘରଭଡ଼ା ଚୁକ୍ତିପତ୍ର, ୧୦ଟି ଏୟାରଟେଲ୍‌ ପାମ୍ପଲେଟ୍‌ ଓ ୪ଟି ଏୟାରଟେଲ୍‌ ୫ଜି ପ୍ଲସ୍‌ ସାଇନ୍‌ବୋର୍ଡ ଜବତ କରାଯାଇଛି।ଏହି ନେଟୱର୍କରେ ଆଉ କେଉଁମାନେ ସମ୍ପୃକ୍ତ, କେତେ ସିମ୍‌ ପ୍ରସ୍ତୁତ ହୋଇଛି, କାହାକୁ ଯୋଗାଇ ଦିଆଯାଇଛି ଏବଂ କେତେ ପରିମାଣରେ ଅର୍ଥ କାରବାର ହୋଇଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଜାମତାରା ସହ ଏହି ନେଟୱର୍କର ସମ୍ପର୍କ ନେଇ ମଧ୍ୟ ତଦନ୍ତ କରାଯାଉଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL