ଭୁବନେଶ୍ୱର : ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ। ସକାଳ ୬ରୁ ସନ୍ଧ୍ୟା ୬, ସବୁ ଜିଲ୍ଲାପାଳଙ୍କୁ ସତର୍କ କଲା ଗୃହ ବିଭାଗ। ନବ ନିର୍ମାଣ କୃଷକ ସଂଗଠନ ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବୁଧବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି। ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ କରିଛି ନବ ନିର୍ମାଣ ଯୁବ ଛାତ୍ର ସଂଗଠନ।
ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ସଂଶୋଧିତ ପୁସ୍ତକ ଯୋଗାଇବା ସହ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି ସଂଗଠନ। ଅନ୍ୟପଟେ ପାଠ୍ୟପୁସ୍ତକରେ ଆବଶ୍ୟକ ସଂଶୋଧନ କରାଯାଇ ସଂଶୋଧିତ ପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତାକାଲିର ବନ୍ଦକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସତର୍କ କରିଛି ରାଜ୍ୟ ଗୃହ ବିଭାଗ। ବନ୍ଦ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ସହ କୌଣସି ଅପ୍ରୀତିକର ଘଟଣା ଯେପରି ନଘଟେ, ସେଥିପାଇଁ ଆବଶ୍ୟକ ପ୍ରତିଷେଧମୂଳକ ଓ ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି।
ଗୃହ ବିଭାଗର ଚିଠି ଅନୁସାରେ, ବନ୍ଦ ସମୟରେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ, ଯାନବାହନ ଅଟକାଇବା, ଟାୟାର ଜାଳିବା ଏବଂ ଯାତାୟାତରେ ବାଧା ସୃଷ୍ଟି ହୋଇପାରେ। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଆଗୁଆ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବନ୍ଦ ସତ୍ତ୍ୱେ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟର କାମ ଯେପରି ସ୍ୱାଭାବିକ ରହିବ, ସେଥିପାଇଁ ପଦକ୍ଷେପ ନେବା ସହ ଅତ୍ୟାବଶ୍ୟକ ସେବା ଉପରେ ମଧ୍ୟ ନଜର ରଖିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି। ଗୃହ ବିଭାଗର ଚିଠିରେ ବାମଦଳ ସମେତ ବିଜେଡି ଓ କଂଗ୍ରେସ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଉଲ୍ଲେଖ ରହିଛି। ତେଣୁ ଆସନ୍ତାକାଲିର ୧୨ ଘଣ୍ଟିଆ ବନ୍ଦକୁ ନେଇ ସାରା ରାଜ୍ୟରେ ଆଇନଶୃଙ୍ଖଳା ଓ ଯାତାୟାତ ବ୍ୟବସ୍ଥା ଉପରେ ପ୍ରଶାସନର ବିଶେଷ ନଜର ରହିବ।







