ଆଳି: ସ୍କୁଲରେ ଟଳିପଡ଼ିଲେ ଛାତ୍ରୀ । ପାଠପଢ଼ା ଚାଲିଥିବାବେଳେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । କେନ୍ଦ୍ରାପଡା ରାଜକନିକା ଥାନା ମହାଦେଇଆଡ଼ିଆର କମଳା ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଘଟଣ ଘଟିଛି । ମୃତ ଛାତ୍ରୀ ହେଲେ ବିଶ୍ବରୂପା ବେହେରା। ସାଇନ୍ସ କ୍ଲାସ୍ ଚାଲିଥିବାବେଳେ ଛାତ୍ରୀ ଜଣକ ହଠାତ୍ ଚେତାଶୂନ୍ୟ ହୋଇଯାଇଥିଲେ । ଏନେଇ ଅଭିଭାବକଙ୍କୁ ଜଣାଇଥିଲେ ପ୍ରଧାନ ଶିକ୍ଷୟିତ୍ରୀ । ପରେ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା କହିଥିଲେ ଡାକ୍ତର । ସେପଟେ ଛାତ୍ରୀ ଜଣଙ୍କ ବ୍ୟାଗରୁ ବାଣ କାଢି ଫୁଟାଉଥିଲେ ବୋଲି କହିଛନ୍ତି ସହପାଠୀ । ଏଯାଏ ଛାତ୍ରୀଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବାବେଳେ ଘଟଣାର ତଦନ୍ତ କରୁଛି ପୋଲିସ ।
ଅନ୍ୟପଟେ ଏହି ଘଟଣାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଛାତ୍ରୀଙ୍କ ବ୍ୟାଗରୁ ବାଣ ବାହାର କରି ସେ ଫୁଟାଉଥିବା ସହପାଠୀମାନେ କହିଥିବା ଜଣାପଡ଼ିଛି । ତେବେ ବାଣ ଫୁଟାଇବା ଓ ଛାତ୍ରୀଙ୍କ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବିଶ୍ୱରୂପାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଛାତ୍ରୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।





