ଆମେରିକା: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ ବଡ଼ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ହ୍ୱାଇଟ୍ ହାଉସ୍ ନିକଟରୁ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଏକ ଚୋରି ପିକଅପ୍ ଟ୍ରକ୍ ସହ ଜଣେ ୩୦ ବର୍ଷୀୟ ଭେନେଜୁଏଲା ନାଗରିକଙ୍କୁ ଗିରଫ କରିଛି ଆମେରିକାର ଗୁପ୍ତ ସେବା । ଅଭିଯୁକ୍ତଙ୍କ ଗାଡ଼ିରୁ ତିନୋଟି ବନ୍ଧୁକ ସମେତ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି।
ସୂଚନା ଅନୁଯାୟୀ, ଗୁରୁବାର ରାତିରେ ହ୍ୱାଇଟ୍ ହାଉସ୍ ନିକଟସ୍ଥ କନଷ୍ଟିଚ୍ୟୁସନ୍ ଆଭେନ୍ୟୁରେ ଜଣେ ଗୁପ୍ତ ସେବା ଅଧିକାରୀ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ରାସ୍ତା ପାର୍ଶ୍ୱରେ ଏକ ନୀଳ ରଙ୍ଗର ଫୋର୍ଡ F-150 ପିକଅପ୍ ଟ୍ରକ୍ ସନ୍ଦେହଜନକ ଅବସ୍ଥାରେ ପାର୍କିଂ ହୋଇଥିବା ଦେଖିଥିଲେ। ଗାଡ଼ି ଭିତରେ ଥିବା ବ୍ୟକ୍ତିଙ୍କୁ ଅଧିକାରୀ ଜଣକ ପଚରାଉଚରା କରିଥିଲେ। କୋର୍ଟରେ ଦାଖଲ ଅଭିଯୋଗ ଅନୁଯାୟୀ, ଅଧିକାରୀ ଅସ୍ତ୍ରଶସ୍ତ୍ର ବିଷୟରେ ପଚାରିବାରୁ ଅଭିଯୁକ୍ତ ଆଙ୍ଗୁଠିରେ ବନ୍ଧୁକର ଇଙ୍ଗିତ କରିଥିଲେ। ପରେ ସେ ଗାଡ଼ିରୁ ବାହାରି ଗୁଗୁଲ୍ ଟ୍ରାନ୍ସଲେଟ୍ ମାଧ୍ୟମରେ ଅଧିକାରୀଙ୍କ ସହ କଥା ହୋଇଥିଲେ। ତାଙ୍କ କହିବା ଅନୁଯାୟୀ, କେହି ଜଣେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବାରୁ ସେ ଅସ୍ତ୍ରଶସ୍ତ୍ର ରଖିଥିଲେ। ପରବର୍ତ୍ତୀ ତଦନ୍ତ ବେଳେ ଗାଡ଼ିରୁ ଏକ MAC-10 ମେସିନ୍ ପିସ୍ତଲ, ଏକ Glock 43X ପିସ୍ତଲ ଏବଂ ଏକ AR-15 ରାଇଫଲ୍ ଜବତ କରାଯାଇଥିଲା। ଏହା ସହ ବିପୁଳ ପରିମାଣର ଗୁଳି ମଧ୍ୟ ମିଳିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଉକ୍ତ ପିକଅପ୍ ଟ୍ରକ୍ଟି ଦକ୍ଷିଣ କାରୋଲିନାରୁ ଚୋରି ହୋଇଥିଲା । ଏହି ଘଟଣାକୁ ନେଇ ଆହୁରି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ (DHS)। ବିଭାଗର କହିବା ଅନୁଯାୟୀ, ଅଭିଯୁକ୍ତ ରୋନି ୟୋର୍ଡ୍ରିକ୍ସ ଗୁଆନିପା କ୍ରିନୋସ୍ ଅଧିକାରୀଙ୍କୁ କହିଥିଲେ ଯେ ତାଙ୍କ ମୁଣ୍ଡ ଭିତରେ କିଛି ଶବ୍ଦ ଶୁଣାଯାଉଛି ଏବଂ ତାଙ୍କୁ ୱାଶିଂଟନ୍ ଡିସି ଯାଇ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବାକୁ କୁହାଯାଉଛି। ତେବେ ଏହି ତଥ୍ୟ କୋର୍ଟରେ ଦାଖଲ ହୋଇଥିବା ଅପରାଧିକ ଅଭିଯୋଗପତ୍ରରେ ଉଲ୍ଲେଖ ନାହିଁ ।
ଅନ୍ୟପଟେ, ଆମେରିକାର ଗୁପ୍ତ ସେବା ନିର୍ଦ୍ଦେଶକ ସିଆନ୍ କ୍ୟୁରାନ୍ ଏହି ଘଟଣାକୁ ହ୍ୱାଇଟ୍ ହାଉସ୍ ପରିସରରେ ବଢ଼ୁଥିବା ସୁରକ୍ଷା ବିପଦର ଏକ ଉଦାହରଣ ବୋଲି କହିଛନ୍ତି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଅଧିକାରୀମାନେ ତାଲିମପ୍ରାପ୍ତ ଥିବା ସେ କହିଥିବା ବେଳେ ସୁରକ୍ଷା ଘଟଣା ବୃଦ୍ଧିକୁ ନେଇ ଚିନ୍ତା ମଧ୍ୟ ପ୍ରକାଶ କରିଛନ୍ତି ।





