ମହାରାଷ୍ଟ୍ର : VT-SSK ବିମାନଟି ଆଜି ସକାଳ ପ୍ରାୟ ୮:୧୦ ସମୟରେ ମୁମ୍ବାଇରୁ ବାରାମତୀ ଅଭିମୁଖେ ବାହାରିଥିଲା । ପ୍ରାୟ ୮:୪୫ ସମୟରେ ବାରାମତୀ ଏୟାରପୋର୍ଟରେ ଅବତରଣ କରିବା ବେଳେ ଏହା ରନୱେରୁ ବାହାରକୁ ଖସିଯାଇଥିଲା । ପୁଣେ-ବାରାମତୀ ଅଞ୍ଚଳରେ ପ୍ରବଳ କୁହୁଡ଼ି ଯୋଗୁଁ ଭିଜିବିଲିଟି ଅତି କମ୍ ଥିଲା । ବାରାମତୀ ବିମାନ ଅବତରଣ ପଥ ଛୋଟ । ସେଠାରେ ‘ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ’ (ILS) ବା ସ୍ୱୟଂଚାଳିତ ଅବତରଣ ସୁବିଧା ନଥିଲା । ପାଇଲଟଙ୍କୁ ନିଜ ଆଖିରେ ଦେଖି ଏବଂ ମାନୁଆଲ୍ ପଦ୍ଧତିରେ ବିମାନ ଅବତରଣ କରିବାକୁ ଚେଷ୍ଟା କରିବାକୁ ପଡ଼ିଥିଲା । ବିମାନଟି ସିଧାସଳଖ ରନ୍ ୱେ ଆଡ଼କୁ ନଆସି ଏକ ବଡ଼ ବୁଲାଣି ନେଇଥିଲା, ଯାହା ସୂଚାଉଥିଲା ଯେ ପ୍ରଥମ ଅବତରଣ ପ୍ରୟାସ ବିଫଳ ହୋଇଥିଲା । କୁହୁଡ଼ି ଯୋଗୁଁ ରନ୍ ୱେ ସହ ସମାନ୍ତରାଳ ଲ୍ୟାଣ୍ଡିଂ କଷ୍ଟକର ହେଉଥିଲା ।
ଦ୍ୱିତୀୟ ଥର ଅବତରଣ ପାଇଁ ଚେଷ୍ଟା କରାଯାଇଥିଲା । ଏହି ସମୟରେ ପାଇଲଟ୍ ‘ମେ-ଡେ’ ବା ଜରୁରୀକାଳୀନ ବିପଦ ସଙ୍କେତ ଦେଇଥିଲେ । DGCA ସୂତ୍ର ଅନୁସାରେ, ଏହା ଏକ ‘ଟେବୁଲ୍-ଟପ୍’ ରନ୍ ୱେ ଥିଲା । ଅବତରଣ ସମୟରେ ରନ୍ ୱେର ଧାର ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରାୟ ୧୦୦ ଫୁଟ ଉଚ୍ଚତାରେ ବିମାନଟି ନିଜର ଭାରସାମ୍ୟ ହରାଇଥିଲା । ରନ୍ ୱେରେ ପହଞ୍ଚିବା ପୂର୍ବରୁ ହିଁ ବିମାନଟି ତଳେ ପିଟି ହୋଇଯାଇଥିଲା । ବିମାନଟି ମାଡ଼ ହେବା ମାତ୍ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା ଏବଂ ପରେ କିଛି ଛୋଟ ଛୋଟ ବିସ୍ଫୋରଣ ମଧ୍ୟ ହୋଇଥିଲା । ଏହାପରେ ବିମାନରେ ଭୟଙ୍କର ନିଆଁ ଲାଗିଯାଇଥିଲା । ନିଆଁ ଏତେ ପ୍ରବଳ ଥିଲା ଯେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବା ସମ୍ଭବ ହୋଇନଥିଲା । ଦୁର୍ଘଟଣାର ତଦନ୍ତ ଜାରି ରହିଛି। DGCA ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ।







