ଜାତୀୟ

ଚଳନ୍ତା ବସରେ ଲାଗିଲା ନିଆଁ, ୯ ଯାତ୍ରୀ ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଜେୱର ଥାନା ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ଚଳନ୍ତା ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଫଳରେ ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନାନୁଯାୟୀ, ଯମୁନା ଏକ୍ସପ୍ରେସୱେର ଜେୱର ଅଞ୍ଚଳର ଦୟାନତପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ବସ୍‌ଟି ଗ୍ରେଟର ନୋଏଡାରୁ ଆଗ୍ରା ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ଏଥିରେ ନିଆଁ ଲାଗିଯାଇଥିଲା ଏବଂ ନିଆଁରେ ସମ୍ପୂର୍ଣ୍ଣ ବସ୍‌ଟି ଜଳିଯାଇଥିଲା । ବସ୍‌ରେ ନିଆଁ ଲାଗିଥିବା କାରଣରୁ ଜେୱର ଟୋଲ୍‌ ଏବଂ ଫଲୈଦା କଟ୍‌ ନିକଟରେ ଅଧଘଣ୍ଟାରୁ ଅଧିକ ସମୟ ଧରି ଯାତାୟାତ ବନ୍ଦ ରହିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଏକ୍ସପ୍ରେସୱେର ଘରୋଇ ସୁରକ୍ଷା ଟିମ୍‌ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ୪ରୁ ୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ଫଳରେ ପୁଣି ଯାତୟାତ ଆରମ୍ଭ ହୋଇଥିଲା । ଅଗ୍ନିକାଣ୍ଡ ସମୟରେ ବସ୍‌ରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିଲେ । ଏହି ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜୀବନ ବଞ୍ଚାଇବା ପାଇଁ ଅନେକ ଯାତ୍ରୀ ବସ୍‌ରୁ ଡେଇଁ ପଡ଼ିଥିଲେ ବୋଲି ନୋଏଡା ପୁଲିସ ସ୍ପଷ୍ଟ କରିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ କୈଳାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ବସରେ ନିଆଁ କେଉଁ କାରଣରୁ ଲାଗିଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗ୍ରେଟର ନୋଏଡାରେ ଘଟିଥିବା ସଡ଼କ ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ପ୍ରକାଶ କରିଛନ୍ତି । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଏବଂ ମୃତକଙ୍କ ପରିବାର ସହ କଥା ହୋଇ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ମଧ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL