ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ୧୬୯ କୋଟିର RBI ଡାଟା ସେଣ୍ଟର ଉଦ୍ ଘାଟନ କରିବେ । ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସୂଚନା । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ଇନ୍ ଫୋଭ୍ୟାଲି-୨ରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କ ବା RBIର ନୂତନ ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । କାର୍ଯ୍ୟକ୍ରମ ଅପରାହ୍ଣ ପ୍ରାୟ ୪ଟା ୪୫ ମିନିଟରେ ଅନୁଷ୍ଠିତ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ।
ଆଜି ପୋଲିସ କମିଶନର ଡାକ୍ତର ସୁରେଶ ଦେବଦତ୍ତ ସିଂହଙ୍କ ପକ୍ଷରୁ ଜାରି ଟ୍ରାଫିକ୍ ସୂଚନା ଅନୁସାରେ, କାଲି ସନ୍ଧ୍ୟା ୫ଟା ୪୦ରୁ ୬ଟା ୪୦ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଯାତାୟାତ ମାର୍ଗରେ ସାଧାରଣ ଯାନବାହନ ଚଳାଚଳ ଉପରେ କଟକଣା ରହିବ। RBI ଡାଟା ସେଣ୍ଟରରୁ ଇନ୍ ଫୋଭ୍ୟାଲି ଛକ, ତଳଖେତା ଛକ, ବାଟଭୁଆଶୁଣୀ ଛକ, ଜାତୀୟ ରାଜପଥ-୧୬, ଜୟଦେବ ବିହାର, ବେହେରା ସାହି, ଶାସ୍ତ୍ରୀନଗର, ୧୨୦ ବାଟାଲିୟନ ଛକ, ପାୱାର ହାଉସ୍, ଲୋକଭବନ, ଏଜି ଛକ ଓ ହସ୍ପିଟାଲ ଛକ ଦେଇ ବିମାନବନ୍ଦର ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ।
ଜରୁରୀକାଳୀନ ସେବାରେ ନିୟୋଜିତ ଆମ୍ବୁଲାନ୍ସ, ଅଗ୍ନିଶମ ଓ ପୋଲିସ ଗାଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ସାଧାରଣ ଲୋକଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବା ସହ ଟ୍ରାଫିକ୍ ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ପ୍ରାୟ ୧୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାଟା ସେଣ୍ଟର ପ୍ରାୟ ୧୮.୫୫ ଏକର ଜମିରେ ପ୍ରତିଷ୍ଠା କରାଯାଇଛି। ୨୦୨୩ ମାର୍ଚ୍ଚ ୨୨ ତାରିଖରେ ତତ୍କାଳୀନ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହାର ଶିଳାନ୍ୟାସ କରିଥିଲେ। ଏହି କେନ୍ଦ୍ରରେ ଚାରିଟି ଅତ୍ୟାଧୁନିକ ଡାଟା ସେଣ୍ଟର ରହିବ। ଏଠାରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ତଥ୍ୟ, ପେମେଣ୍ଟ ଓ ସେଟେଲମେଣ୍ଟ ବ୍ୟବସ୍ଥା ସହ ଅନ୍ୟାନ୍ୟ ଜରୁରୀ ସେବା ପାଇଁ କମ୍ପ୍ୟୁଟିଂ ଭିତ୍ତିଭୂମି ଉପଲବ୍ଧ ହେବ।
ଏହି ପ୍ରକଳ୍ପକୁ ଆନ୍ତର୍ଜାତୀୟ ମାନର Uptime Institute Tier IV ସାର୍ଟିଫିକେସନ୍ ମିଳିଛି। ଏହା ଡାଟା ସେଣ୍ଟରର ଉଚ୍ଚସ୍ତରୀୟ ବିଶ୍ୱସନୀୟତା ଓ କାର୍ଯ୍ୟକ୍ଷମତାର ଏକ ମାନଦଣ୍ଡ। ବିଶ୍ୱର ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ସେବା କ୍ଷେତ୍ରରେ ଏହା ଅନ୍ୟତମ ବୃହତ୍ Tier IV ପ୍ରମାଣିତ କେନ୍ଦ୍ର ହେବ। ସେହିପରି ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଓ ଅନ୍ୟାନ୍ୟ ଆଧୁନିକ ପ୍ରଯୁକ୍ତି ଉପରେ ପ୍ରଶିକ୍ଷଣ ଏବଂ ଗବେଷଣାକୁ ଗୁରୁତ୍ୱ ଦିଆଯିବ। ଏହାଦ୍ୱାରା ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ସାଇବର ସୁରକ୍ଷା ଓ ଡିଜିଟାଲ୍ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।
ଓଡ଼ିଶା ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବାରାଣସୀ ଗସ୍ତ କରିବେ। ସକାଳ ପ୍ରାୟ ୧୧ଟାରେ ଏକ ନୂତନ ପୋଷାକ ଉତ୍ପାଦନ କାରଖାନାର ଉଦ୍ ଘାଟନ କରିବେ। ଏହାପରେ ଅପରାହ୍ଣ ଗୋଟାଏରେ ନମୋ ଘାଟରେ ଭାରତୀୟ ବାୟୁସେନାର ୯୪ତମ ପ୍ରତିଷ୍ଠା ବାର୍ଷିକୀ ଉପଲକ୍ଷେ ଆୟୋଜିତ ‘Wings over Ganges’ ଏୟାର ଶୋ’ ଦେଖିବେ। ଏହାପରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସି RBIର ନୂଆ ଡାଟା ସେଣ୍ଟର ଉଦ୍ ଘାଟନ କରିବା ସହ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିବେ।








