ଓଡ଼ିଶା

ଗଞ୍ଜାମ ଜିଲ୍ଲାରେ ଗଡ଼ିଲା ଆଉ ୨୫ ‘ଆମ ବସ୍‌’

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଗମନାଗମନ ବ୍ୟବସ୍ଥାକୁ ମିଳିବ ନୂଆ ଗତି । ଜିଲ୍ଲାବାସୀଙ୍କ ଯାତାୟାତକୁ ଅଧିକ ସୁଗମ ଓ ସୁବିଧାଜନକ କରିବା ପାଇଁ ଗଡ଼ିଲା ଆଉ ୨୫ଟି ‘ଆମ ବସ୍’ । ଛତ୍ରପୁର ବସଷ୍ଟାଣ୍ଡରୁ ୮ଟି ପ୍ରମୁଖ ରୁଟ୍ରେ ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପୂର୍ବରୁ ଜିଲ୍ଲାରେ ୨୫ଟି ବସ୍ ଚଳାଚଳ କରୁଥିବା ବେଳେ ଏବେ ଆଉ ୨୫ଟି ବସ୍ ଯୋଡ଼ି ହୋଇଛି । ଫଳରେ ସାଧାରଣ ଯାତ୍ରୀଙ୍କ ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଯାତାୟାତ ଆହୁରି ସହଜ ହେବା ଆଶା କରାଯାଉଛି ।

ଛତ୍ରପୁର ବସଷ୍ଟାଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ୮ଟି ପ୍ରମୁଖ ରୁଟ୍ରେ ଗଡ଼ିବ ଏହି ଇଲେକ୍ଟ୍ରିକ୍ ବସ୍ । ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ସୋନାପୁର, ତାରାତାରିଣୀ, ହିଞ୍ଜିଳି, ଗଞ୍ଜାମ, ରମ୍ଭା ଓ ଖଲ୍ଲିକୋଟ ଭଳି ଅଞ୍ଚଳକୁ ଏହି ବସ୍ ସେବା ସଂଯୋଗ କରିବ । ବସ ଗୁଡ଼ିକର ଚାର୍ଜିଂ ବ୍ୟବସ୍ଥା ମଧ୍ୟ ଛତ୍ରପୁରରେ କରାଯାଇଛି । କ୍ରୁଟ୍ ପକ୍ଷରୁ ଏହାର ପରିଚାଳନା କରାଯିବ ।

ଗୋପାଳପୁର ଓ ସୋନାପୁରର ପ୍ରସିଦ୍ଧ ବେଳାଭୂମି ହେଉ କି ମା’ ତାରାତାରିଣୀ ଓ ମା’ ନାରାୟଣୀଙ୍କ ପୀଠ । ଏହି ସବୁ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀକୁ ଯିବା ପାଇଁ ଏଣିକି ଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା । ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ୨୫ଟି ‘ଆମ ବସ୍’ ଚଳାଚଳ କରୁଥିବା ବେଳେ ଏବେ ଆଉ ୨୫ଟି ବସ୍ ଯୋଡ଼ି ହୋଇଛି । ଏହି ପର୍ଯ୍ୟାୟରେ ମୋଟ୍ ୫୦ଟି ବସ୍ ଚଳାଚଳ କରିବା ଲକ୍ଷ୍ୟ ରହିଛି । ଏହାଦ୍ୱାରା ଛାତ୍ରଛାତ୍ରୀ, କର୍ମଜୀବୀ, ବ୍ୟବସାୟୀ ଓ ଦୈନନ୍ଦିନ ଯାତ୍ରୀଙ୍କୁ ବିଶେଷ ସୁବିଧା ମିଳିବ ବୋଲି ଆଶା କରାଯାଉଛି ।

କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ଏବଂ ଛତ୍ରପୁର ପୌର ପରିଷଦ ଅଧ୍ୟକ୍ଷା ଜି. ପାପା ରାଓଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ । ତେବେ ଏହି ବସ୍ଗୁଡ଼ିକର ସମୟସାରଣୀ ଓ ଭଡ଼ା ସମ୍ପର୍କିତ ବିସ୍ତୃତ ତଥ୍ୟ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଦୀର୍ଘଦିନର ଦାବି ପରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଆଉ ୨୫ଟି ‘ଆମ ବସ୍’ର ଚଳାଚଳ । ଏହାଦ୍ୱାରା ଜିଲ୍ଲାର ସହରାଞ୍ଚଳ ସହ ଗ୍ରାମାଞ୍ଚଳ ଓ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଯୋଗାଯୋଗ ଅଧିକ ସୁଗମ ହେବ ବୋଲି ଆଶା ରହିଛି । ତେବେ ନୂଆ ବସ୍ ସେବା କେତେ ସୁବିଧାଜନକ ହେଉଛି, ତାହା ଆଗାମୀ ଦିନରେ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL